ଭୁବନେଶ୍ବର: ଗତବର୍ଷ ମେ’ ମାସରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ହସ୍ପିଟାଲମାନଙ୍କୁ ଏକ ନିର୍ଦେଶନାମା ଜାରି କରାଗଲା। ଏଥିରେ ରାଜ୍ୟର କୌଣସି ଘରୋଇ ହସ୍ପିଟାଲ କୋଭିଡ୍ ବାହାନାରେ କୌଣସି ରୋଗୀଙ୍କୁ ଫେରାଇବେ ନାହିଁ। ସେଥିପାଇଁ କଡ଼ା ଚେତାବନୀ ଦିଆଗଲା। ହସ୍ପିଟାଲକୁ ଆସିଥିବା ରୋଗୀଙ୍କୁ ଜରୁରୀକାଳୀନ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯିବାକୁ ବିଭାଗ ପକ୍ଷରୁ କୁହାଯାଇଥିଲା। ହେଲେ ଏହି ନିର୍ଦେଶନାମାକୁ ଫୁ' କରି ଉଡ଼ାଇ ଦେଇଛନ୍ତି ରାଜଧାନୀର ଘରୋଇ ହସ୍ପିଟାଲମାନେ।
ଗତ ୮ତାରିଖରେ କେନ୍ଦ୍ର ସରକାର ପୂର୍ବରୁ ଜାରି କରିଥିବା ଗାଡଇଲାଇନ୍ରେ ପରିବର୍ତନ କରି କୋଭିଡ୍ ସନ୍ଦିଗ୍ଧ ବ୍ୟକ୍ତି ହସ୍ପିଟାଲରେ ଆଡମିସନ ପାଇଁ କୋଭିଡ୍ ରିପୋର୍ଟର ଆବଶ୍ୟକତା ନ ଥିବା କହିଛନ୍ତି। ଯାହାଫଳରେ କୌଣସି ରୋଗୀ ଯେପରି ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହେବ ତାହାକୁ ଗୁରୁତ୍ବ ଦିଆଯାଇଛି। ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁଇ ଦୁଇଟି ଗାଇଡଲାଇନ୍ ଯେପରି ସ୍ଥାଣୁ ପାଲଟି ଯାଇଛି ରାଜ୍ୟରେ। ଏଭଳି ପରିସ୍ଥିତିରେ ୧୮ଦିନର ଜଣେ ନବବଧୂକୁ ଏକାଧିକ ଘରୋଇ ହସ୍ପିଟାଲକୁ ଯିବା ସତ୍ବେ ଆଇସିୟୁ ନ ମିଳି ପାରିବାରୁ ପ୍ରାଣ ହରାଇବା ଭଳି ଦୁଃଖଦ ଘଟଣା ଘଟିଛି ରାଜଧାନୀରେ। ହେଲେ ଏହି ଘଟଣାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଯେଉଁଭଳି ପ୍ରତିକ୍ରିୟା ପ୍ରକାଶ କରିବା କଥା ତାହା କରିନାହିଁ। ଏଭଳି ଏକ ଦୁଃଖଦ ଘଟଣା ଉପରେ ଜାତୀୟ ସ୍ବାସ୍ଥ୍ୟ ମିସନ ଏକ ଟ୍ବିଟ୍ କରି ନିଜର ଦୋଷ ଛଡ଼ାଇ ଦେଇଛି। ମୃତକଙ୍କ ପରିବାର ଲୋକ କଟକସ୍ଥିତ ଏସ୍ସିବିକୁ ସ୍ଥାନାନ୍ତରିତ କରିବା ଲାଗି ୧୦୮ ଆମ୍ବୁଲାନ୍ସକୁ ମନା କରିଦେବା ସହିତ ନିଜ ବ୍ୟବସ୍ଥା କରିବେ ବୋଲି କହିଥିବା ଏନ୍ଏଚ୍ଏମ୍ ପକ୍ଷରୁ ଟ୍ବିଟ୍ କରାଯାଇଛି। ଏନ୍ଏଚ୍ଏମ୍ର ଏଭଳି ଟ୍ବିଟ୍ରେ ଜଣେ ଗୁରୁତର ରୋଗୀ ଏକାଧିକ ହସ୍ପିଟାଲ ବୁଲିବା ସତ୍ବେ କିଭଳି ଶଯ୍ୟା ଖଣ୍ଡେ ପାଇପାରିଲେ ନାହିଁ ସେ ସଂପର୍କରେ ଧାଡ଼ିଟିଏ ବି ଉଲ୍ଲେଖ କରାଯାଇ ନାହିଁ।
ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ରାଜସ ବଡ଼ ପାଳସାହି ଗ୍ରାମର ବେଣୁଧର ପାଳଙ୍କ ଝିଅ ସ୍ବର୍ଣ୍ଣଲତା ଗତମାସ ୨୮ତାରିଖରେ କୁରୁଞ୍ଜିପୁର ପଞ୍ଚାୟତ ଇନ୍ଦୋଳକୁସିଆରି ଗ୍ରାମର ବିଷ୍ଣୁଚରଣ ଭୋଳଙ୍କୁ ବିବାହ କରିଥିଲେ। କିଛିଦିନ ହେବ ତାଙ୍କର ଜ୍ବର ହୋଇଥିଲା। ଘରେ ରହି ଔଷଧ ଖାଉଥିଲେ। ମାତ୍ର ଜ୍ବର କମି ନ ଥିଲା। ଗତକାଲି ସକାଳେ ସ୍ବର୍ଣ୍ଣଲତା ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରିବାର ଲୋକ ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଏସ୍ସିବିକୁ ରେଫର କରାଯାଇଥିଲା। ପରିବାର ଲୋକ କଟକ ନ ନେଇ ରାଜଧାନୀର ଏକାଧିକ ଘରୋଇ ହସ୍ପିଟାଲକୁ ଯାଇଥିଲେ। ହେଲେ କେଉଁଠି ଆଇସିୟୁ ଶଯ୍ୟା ନ ଥିବା କୁହାଯାଇଥିଲା। ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ପୁଣି କ୍ୟାପିଟାଲ ହସ୍ପିଟାଲ ଆଣିବା ଭିତରେ ଆମ୍ବୁଲାନ୍ସ ଭିତରେ ସ୍ବର୍ଣ୍ଣଲତାଙ୍କ ମୃତ୍ୟୁ ହୋଇ ଯାଇଥିଲା।
ରାଜ୍ୟ ସରକାର ୩୦ରୁ ଅଧିକ ଶଯ୍ୟା ଥିବା ଘରୋଇ ହସ୍ପିଟାଲରେ ୫୦ ପ୍ରତିଶତ ଶଯ୍ୟା କୋଭିଡ୍ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ଲାଗି ନିର୍ଦେଶ ଦେଇଛନ୍ତି। ହେଲେ ରାଜଧାନୀର ବଡ଼ ବଡ଼ ଘରୋଇ ହସ୍ପିଟାଲରେ ମଧ୍ୟ ସ୍ବର୍ଣ୍ଣଲତାଙ୍କ ପାଇଁ ଗୋଟିଏ ଆଇସିୟୁ ଶଯ୍ୟାଟିଏ ମିଳିପାରିଲା ନାହିଁ। ସେହିପରି କ୍ୟାପିଟାଲ ହସ୍ପିଟାଲରେ ୮ଟି କୋଭିଡ୍ ଆଇସିୟୁ ଶଯ୍ୟା ପ୍ରତିଷ୍ଠା ପାଇଁ ଗତବର୍ଷରୁ ନିଷ୍ପତ୍ତି ହେଲାଣି ତାହା ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। କେଉଁଠି ନା କେଉଁଠି ଆନ୍ତରିକତାର ଅଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ରାଜଧାନୀର କୋଭିଡ୍ ହସ୍ପିଟାଲରେ ଆଇସିୟୁ ଶଯ୍ୟାର ଯାଞ୍ଚ ପାଇଁ ରାଜ୍ୟ ସରକାର ୪ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ଜରୁରୀ ନ ଥିବା ଲୋକ ଆଇସିୟୁରେ ରହିଛନ୍ତି ତାହାର ଯାଞ୍ଚ କରିବ। ହେଲେ ଆଜି ପର୍ଯ୍ୟନ୍ତ କେତେ ଜଣ ଏଭଳି ମନଇଚ୍ଛା ଆଇସିୟୁ ଶଯ୍ୟା ମାଡ଼ି ବସିଛନ୍ତି ତାହାର ହିସାବ ସର୍ବସାଧାରଣଙ୍କୁ ଆସିନାହିଁ। ପ୍ରକୃତରେ ଯାଞ୍ଚ ହେଉଛି ନା ଖାଲି ମନ ବୁଝାଇବା ଲାଗି ଏକ କମିଟି ଗଠନ କରାଯାଇଛି ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଅପରପକ୍ଷରେ ବିନା ଚିକିତ୍ସାରେ ଫେରାଇଥିବା ଘରୋଇ ହସ୍ପିଟାଲ ବିରୋଧରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାକୁ ତାହାକୁ ଅପେକ୍ଷା କରାଯାଇଛି।
ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି
ଭୁବନେଶ୍ୱର: ରାଜଧାନୀରେ ୯ଟି ହସ୍ପିଟାଲ ବୁଲି ଶେଷରେ ପ୍ରାଣ ହରାଇଥିବା ବାଲିପାଟଣା ଅଞ୍ଚଳର ନବବଧୂ ସ୍ବର୍ଣ୍ଣଲତାଙ୍କ ମୃତ୍ୟୁ ଘଟଣର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସମାଜବାଦୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କହି ଆସିଛନ୍ତି ‘ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ’। କିନ୍ତୁ ଦୁଃଖ ଓ ପରିତାପର କଥା ସ୍ୱର୍ଣ୍ଣଲତାଙ୍କୁ ଖୋଦ ରାଜଧାନୀରେ କୌଣସି ଡାକ୍ତରଖାନା ଚିକିତ୍ସା ସୁବିଧା ଯୋଗାଇ ଦେଲେନାହିଁ କିମ୍ବା ଅମ୍ଳଜାନ ମିଳିଲା ନାହିଁ। ଶେଷରେ ତାଙ୍କ ଜୀବନଦୀପ ଲିଭିଗଲା। ଏଠାରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନକୁ ମଧ୍ୟ ଅନୁପାଳନ କରାଯାଇ ନାହିଁ। ତେଣୁ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦାୟୀ କର୍ତ୍ତୃପକ୍ଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଆଜି ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି। ଏହା ବ୍ୟତୀତ ସ୍ୱର୍ଣ୍ଣଲତାଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।