ଗୁରୁତର ରୋଗୀଙ୍କୁ ଫେରାଇଦେଲେ ଘରୋଇ ହସ୍ପିଟାଲ, ସର୍ବନିମ୍ନ ଚିକିତ୍ସା ବି ଯୋଗାଇ ଦେଲେନି

ହସ୍ପିଟାଲରେ ଅବହେଳାରୁ ମୃତ୍ୟୁ ଅଭି‌ଯୋଗ

ଭୁବନେଶ୍ୱର : ରାଜଧାନୀର ଘରୋଇ ହସ୍ପିଟାଲରେ ରୋଗୀଙ୍କୁ କିଭଳି ଚିକିତ୍ସା ମିଳୁଛି, ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଚିକିତ୍ସା ପାଇଁ ଜଣେ ରୋଗୀଙ୍କୁ ଏକାଧିକ ଘରୋଇ ହସ୍ପିଟାଲ ଓ ଶେଷରେ ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଦୌଡ଼ିବାକୁ ପଡ଼ିଛି। ହେଲେ ସବୁ ହସ୍ପିଟାଲରେ ଅବହେଳା ଯୋଗୁଁ ସଂପୃକ୍ତ ରୋଗୀଙ୍କ ଶେଷରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ରୋଗୀଙ୍କ ପରିବାରଲୋକ ‘ସମ୍ବାଦ’କୁ ଚିଠି ଲେଖି ଅବହେଳା ସଂପର୍କରେ ଜଣାଇଛନ୍ତି।

ଅଭିଯୋଗ ଅନୁସାରେ, ଗତ ଜୁଲାଇ ୧୮ ତାରିଖରେ ୭୧ ବର୍ଷର ଏମ୍‌.ସି ସାହୁ ଅସୁସ୍ଥ ହେବାରୁ ପରିବାରଲୋକ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କର ଶର୍କରା ସ୍ତର ଖସି ଯାଇଥିବା ଓ ଅକ୍ସିଜେନ୍‌ ଆବଶ୍ୟକ ରହିଥିବା କହିଥିଲେ। ଏଥିପାଇଁ ତାଙ୍କୁ ଆଇସିୟୁରେ ଭର୍ତି କରାଯିବ। ତେବେ ଆଇସିୟୁରେ ଶଯ୍ୟା ଉପଲବ୍ଧ ହେଲେ ହିଁ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଥିଲେ। ଡାକ୍ତରଙ୍କଠାରୁ ଏଭଳି କଥା ଶୁଣିବା ପରେ ରୋଗୀଙ୍କ ପରିବାରଲୋକ ରାଜଧାନୀର ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଜରୁରୀ ୱାର୍ଡରେ ଉପସ୍ଥିତ ରେସିଡେଣ୍ଟ ଡାକ୍ତର ରୋଗୀଙ୍କ କିଛି ପରୀକ୍ଷା କରିଥିଲେ। ମାତ୍ର ରୋଗୀଜଣକ କୋଭିଡ୍‌ ସନ୍ଦିଗ୍ଧ କହି ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବାଧ୍ୟ କରିଥିଲେ। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସ୍ବାସ୍ଥାବସ୍ଥା ସ୍ଥିର ହେଲେ ହିଁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ପରିବାରଲୋକ ଗୁହାରି କରିଥିଲେ ହେଁ ଡାକ୍ତରଜଣଙ୍କ ଶୁଣି ନଥିଲେ। ଶେଷରେ ମଧ୍ୟରାତ୍ରରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ଡାକ୍ତର ତାଙ୍କୁ ଠିକ୍‌ରେ ଚିକିତ୍ସା କରି ନଥିବା ଅଭିଯୋଗ ହୋଇଛି। ଫଳରେ ୧୯ ତାରିଖ ଭୋର ୪ଟାରେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା।

କୋଭିଡ୍‌ ସମୟରେ ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ଆଡମିସନ୍‌ ପାଇଁ ମନା କରାଯିବାର ଏକାଧିକ ଘଟଣା ପଦାକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରୋଇ ହସ୍ପିଟାଲଗୁଡ଼ିକୁ କଡ଼ା ନିର୍ଦେଶ ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ହିଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ନିର୍ଦେଶାବଳି ଜାରି କରିଥିଲା। ‌ତେବେ କେଉଁ ପରିସ୍ଥିତିରେ ଘରୋଇ ହସ୍ପିଟାଲ ସଂପୃକ୍ତ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ନଥିବା ସତ୍ତ୍ବେ ଅନ୍ୟତ୍ର ନେବା ପାଇଁ ବାଧ୍ୟ କରିଥିଲେ, ତାହା ତଦନ୍ତ ସାପେକ୍ଷ।

ସମ୍ବନ୍ଧିତ ଖବର