ଭୁବନେଶ୍ୱର: ଚିନ୍ତା ବଢ଼ାଇଲେଣି ଘରୋଇ ହଷ୍ଟେଲ। କେତେବେଳେ ନିଆଁ ଲାଗିଲାଣି ତ’ କିଏ ଆତ୍ମହତ୍ୟା କଲାଣି। କେଉଁଠି ୨ ହଜାର ଜାଗାରେ ୫ହଜାର ଭଡ଼ା କହି ମାଲିକ ଲୁଟିଲାଣି ତ ଆଉ କେଉଁଠି କିଏ ନିଜ ରୁମ୍ମେଟ୍କୁ ହତ୍ୟା କଲାଣି। ଭୁବନେଶ୍ବରରେ ଏହି ଘରୋଇ ହଷ୍ଟେଲ ବା ମେସ୍ ଭୟଙ୍କର ସ୍ଥିତି ସୃଷ୍ଟି କଲାଣି। ହେଲେ ଏହା ଉପରେ କାହାରି କଟକଣା ନାହିଁ। ଗତ ମାସ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଘରୋଇ ହଷ୍ଟେଲମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ ବୋଲି ସ୍ବୀକାର ମଧ୍ୟ କରିଛନ୍ତି। କିନ୍ତୁ ହଷ୍ଟେଲଗୁଡ଼ିକୁ ନିୟନ୍ତ୍ରଣ କରିବା ସହ ଅନ୍ତେବାସୀଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୁଲିସ ଦୀର୍ଘ ୪ବର୍ଷ ହେଲା ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛି। ଏ ନେଇ ବିଭିନ୍ନ ସମୟରେ ପୁଲିସ କମିସନରମାନେ ଅଣପଞ୍ଜୀକୃତ ହଷ୍ଟେଲଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। କିନ୍ତୁ ଅଦ୍ୟାବଧି ଗୋଟିଏ ହେଲେ ହଷ୍ଟେଲ ପଞ୍ଜୀକୃତ ହୋଇନାହିଁ କିମ୍ବା କୌଣସି ବେଆଇନ ହଷ୍ଟେଲ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇନଥିବା ଜଣାଯାଇଛି। ଏହାର ସୁଯୋଗ ନେଇ ହଷ୍ଟେଲ ମାଲିକ ମାଲାମାଲ ହେଉଥିବା ବେଳେ ହଜାରହଜାର ଛାତ୍ରଛାତ୍ରୀ ଓ କର୍ମଜୀବୀଙ୍କ ଜୀବନ ବାଜିରେ ଲାଗିଛି।
ସୂଚନାଯୋଗ୍ୟ, ୨୦୧୬ ମସିହାରେ ତତ୍କାଳୀନ ପୁଲିସ କମିସନର୍ ୱାଇ.ବି ଖୁରାନିଆଙ୍କ କାର୍ଯ୍ୟକାଳ ସମୟରେ ‘ରେଜିଷ୍ଟ୍ରେସନ ଅଫ୍ ପ୍ରାଇଭେଟ୍ ରେସିଡେନ୍ସିଆଲ ହଷ୍ଟେଲ୍ସ ଅଫ୍ ଏଜୁକେସନାଲ ଇନ୍ଷ୍ଟିଚ୍ୟୁସନ୍ସ-୨୦୧୬’ର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହଷ୍ଟେଲ ବିଷୟରେ ସବିଶେଷ ବିବରଣୀ ନେଇ କମିସନରେଟ୍ ପୁଲିସ ନିକଟରେ ପଞ୍ଜୀକୃତ ହେବା ପାଇଁ ଆବେଦନ କରିବାକୁ ଏଥିରେ ଏକ ସ୍ବତନ୍ତ୍ର ଫର୍ମାଟ୍ ରହିଥିଲା। ଗତବର୍ଷ ୧୦ଟି ଘରୋଇ ଛାତ୍ରୀନିବାସର ମାଲିକ ଏହି ନିର୍ଦ୍ଧାରିତ ଫର୍ମାଟ୍ରେ ହଷ୍ଟେଲର ପଞ୍ଜୀକରଣ କରିବା ପାଇଁ ଆବେଦନ କରିଥିଲେ। କିନ୍ତୁ ଆବଶ୍ୟକ କାଗଜପତ୍ର ଦାଖଲ କରି ପାରି ନଥିବାରୁ ସେଗୁଡ଼ିକ ପଞ୍ଜୀକୃତ ହୋଇପାରିନାହିଁ। କମିସନରେଟ୍ ପୁଲିସ୍ ଦେଇଥିବା ସୂଚନା ମୁତାବକ, କୌଣସି ହଷ୍ଟେଲ ଏହି ନିୟମ ଆଧାରରେ ପଞ୍ଜୀକୃତ ହୋଇନାହିଁ। କଟକ ଓ ଭୁବନେଶ୍ବରରେ ଥିବା ସମସ୍ତ ହଷ୍ଟେଲ ବେଆଇନ ଭାବେ ଚାଲିଛି। ସେଥିପାଇଁ କେଉଁଠି କେତେ ହଷ୍ଟେଲ ଚାଲିଛି, ତାହାର ତଥ୍ୟ କମିସନରେଟ୍ ପୁଲିସ ପାଖରେ ନାହିଁ। ତାହା ଜାଣିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତୁରନ୍ତ ପଞ୍ଜୀକୃତ ହେବା ପାଇଁ ବିଜ୍ଞପ୍ତିରେ ନିର୍ଦ୍ଦେଶ ରହିଛି। ତେବେ କେବଳ କଟକ କିମ୍ବା ଭୁବନେଶ୍ବରରେ ନୁହେଁ, ବରଂ ରାଜ୍ୟର ସମସ୍ତ ସହରରେ ଏଭଳି ଘରୋଇ ହଷ୍ଟେଲ ବା ମେସ୍ ରହିଛି। କମ୍ ଖର୍ଚ୍ଚରେ କିଛି ଦିନ ମୁଣ୍ଡ ଗୁଞ୍ଜିବା ଆଶାରେ ପ୍ରତ୍ୟହ ଏମାନେ ହଷ୍ଟେଲମାଲିକ ଦ୍ବାରା ଅତ୍ୟାଚାରିତ ହେଉଛନ୍ତି। ସରକାର ହାତ ଟେକିଦେଇଥିବାରୁ ଏହି ଅନ୍ତେବାସୀଙ୍କ ପାଇଁ ବିପଦ ବଢ଼ିଛି। ଭୁବନେଶ୍ବରରେ ଲୋକ ଘର କରିବା ପରେ ଭଡ଼ା ଦେବା ପାଇଁ ପରିବାର ଅପେକ୍ଷା ଛାତ୍ରଛାତ୍ରୀଙ୍କୁ ପସନ୍ଦ କରୁଛନ୍ତି। ପରିବାର ପିଛା ୧୦ହଜାର ମିଳୁଥିବା ଘରକୁ ହଷ୍ଟେଲ କରିଦେଲେ, ବେଡ୍ ହିସାବରେ ୩ ଗୁଣ ମିଳୁଛି। ଗୋଟିଏ ରୁମ୍ରେ ୪ଟି ବେଡ୍ ପକାଇ ବେଶ୍ ଭଲ ପଇସା ରୋଜଗାର କରୁଛନ୍ତି। ନୂଆପଲ୍ଲୀରେ ଏଭଳି କେତେକ ହଷ୍ଟେଲ ରହିଛି, ଯେଉଁଠି ଉପରମହଲାରେ ପୁଅ ଓ ତଳ ମହଲାରେ ଝିଅ ରହୁଛନ୍ତି। ରାତି ୧୨ଯାଏ ଯିବା ଆସିବା ଲାଗି ରହୁଛି। କେତେକ ଲେଡିଜ୍ ହଷ୍ଟେଲରେ ରାତିରେ ପୁରୁଷ ବନ୍ଧୁମାନେ ରହୁଥିବା ମଧ୍ୟ ନଜିର ରହିଛି। ହଷ୍ଟେଲରେ ରହି ଛାତ୍ର ଓ ଯୁବକମାନେ ବିଭିନ୍ନ ଅପରାଧରେ ଲିପ୍ତ ହେଉଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/f8h498fh74f9h87sf98h7sf98hsfhsfhfh.jpg)