ଭୁବନେଶ୍ୱର: ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉ ଅଥବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ, ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଭୁବନେଶ୍ବରମୁହାଁ ହେଉଛନ୍ତି। ମାତ୍ର ସେମାନଙ୍କ ରହିବା ପାଇଁ ସହରରେ ଯଥେଷ୍ଟ ହଷ୍ଟେଲ ନାହିଁ। କେତେକ ସରକାରୀ ଶିକ୍ଷାନୁଷ୍ଠାନରେ ହଷ୍ଟେଲରେ ରହିଥିଲେ ମଧ୍ୟ ସେଥିରେ ଆବଶ୍ୟକୀୟ ସିଟ୍ ନାହିଁ। ପରିଣାମ ସ୍ବରୂପ ଛାତ୍ରଛାତ୍ରୀ ବାଧ୍ୟ ହୋଇ କ୍ୟାମ୍ପସ ବାହାରେ ହଷ୍ଟେଲ କିମ୍ବା ପେଇଙ୍ଗ୍ ଗେଷ୍ଟରେ ରହିବାକୁ ବାଧ୍ୟ ହେଉଛନ୍ତି। ଆଉ ଏହାର ଫାଇଦା ନେଇ ହଷ୍ଟେଲ ମାଲିକମାନେ ଏବେ ପ୍ରତିବର୍ଷ ଘର ଭଡ଼ା ବଢ଼ାଇ ଚାଲିଛନ୍ତି। କେହି କେହି ଆଗୁଆ ଦୁଇ ମାସର ଭଡ଼ା ନେଇଯାଉଛନ୍ତି। କେଉଁଠି ବେଡ୍ ଅନୁଯାୟୀ ଭଡ଼ା ବଢ଼ୁଛି ତ ଆଉ କେଉଁଠି ଘରର ଆକାର ହିସାବରେ। ତା’ପରେ ମଧ୍ୟ ଅଧିକାଂଶ ହଷ୍ଟେଲରେ ସୁରକ୍ଷା ଓ ସ୍ୱଚ୍ଛତା ବ୍ୟବସ୍ଥା ଠିକ୍ ରହୁ ନାହିଁ। ହଷ୍ଟେଲ୍ରେ ଗାଡ଼ି, ସାଇକେଲ ରଖିବାକୁ ଜାଗା ନ ଥିବାରୁ ଛାତ୍ରଛାତ୍ରୀ ହଇରାଣ ହେବାକୁ ପଡ଼ିଛି।
ଉତ୍କଳ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ନିକଟରେ ରହିବାକୁ ଛାତ୍ରଛାତ୍ରୀ ଅଧିକ ଆଗ୍ରହ ଦେଖାଉଛନ୍ତି। ଏଥିସହ ଜାତୀୟ ରାଜପଥ ନିକଟରେ ଥିବା ଆଚାର୍ଯ୍ୟବିହାର, ଜୟଦେବବିହାର ଓ ବାଣୀବିହାର ଛକରେ ୫୦ରୁ ଅଧିକ କୋଚିଂ ସେଣ୍ଟର ତଥା ସରକାରୀ, ବେସରକାରୀ ପ୍ରତିଷ୍ଠାନ ଖୋଲିଛି। ତେଣୁ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ଏହି ଅଞ୍ଚଳ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ହେଲେ ଆବଶ୍ୟକତା ଅନୁଯାୟୀ ଘର ମିଳୁ ନାହିଁ। ଘର ଖଣ୍ଡେ ପାଇବାକୁ ପିଲାମାନଙ୍କୁ ଦହଗଞ୍ଜ ହେବାକୁ ପଡ଼ୁଛି। ଏଠାକାର ହଷ୍ଟେଲଗୁଡ଼ିକରେ ସାଧାରଣତଃ ଚାରିପ୍ରକାର ଭଡ଼ା ଦିଆଯାଉଛି। ୧୮୦୦ ଟଙ୍କାରେ ଗୋଟିଏ କଠୋରିରେ ୪ ରୁ ୫ଜଣ ଛାତ୍ରଛାତ୍ରୀ ରହୁଛନ୍ତି। ସେମାନଙ୍କୁ ୭୦ରୁ ୮୦ ସେମି ଚଉଡ଼ାର ଏକ ଖଟ ସହ ଗୋଟିଏ ଶୌଚାଳୟ ବ୍ୟବହାର କରିବାକୁ ଦିଆଯାଉଛି। ସେହିପରି ୨୨୦୦ ଟଙ୍କାରେ ଗୋଟିଏ କୋଠରିରେ ତିନିଜଣ ରହିବାର ସୁବିଧା ହୋଇଛି ଏବଂ ଖଟ ସହ ଜିନିଷପତ୍ର ରଖିବାକୁ ଗୋଟିଏ କପ୍ବୋର୍ଡ ରହିଛି। ୩୦୦୦ ଟଙ୍କାରେ ଗୋଟିଏ ପ୍ରକୋଷ୍ଠରେ ଦୁଇ ଜଣ ସହିତ ଏକ କପ୍ ବୋର୍ଡ, ସ୍ୱତନ୍ତ୍ର ରୋଷେଇ ଘର, ଇଲେକ୍ଟ୍ରୋନିକ୍ସ ଜିନିଷ ଯେପରିକି ଗ୍ରାଇଣ୍ଡର, ଆଇରନ ବ୍ୟବହାର କରିବାକୁ ଅନୁମତି ମିଳୁଛି। ହଷ୍ଟେଲରେ ଯେଉଁ ରୋଷେଇ ଘର ରହିଛି ତାହା ବହୁତ ଛୋଟ କଠୋରି। ଏପରିକି ଯେଉଁଠି କମ୍ ମୂଲ୍ୟରେ ଭଡ଼ା ମିଳିଛି ସେଠାରେ ବେଡ୍ ପାଖରେ ରୋଷେଇ କରିବାକୁ ସୁଯୋଗ ଦିଆଯାଇଛି। କେତେକ ସ୍ଥାନରେ କୋଟିଏ କୋଠରିରେ ଲାଇନରେ ଚୁଲା ଥୁଆ ହୋଇଛି।
ହେଲେ ହଷ୍ଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଦୌ ନ ଥିବାରୁ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନିକଟରେ ଦିଲ୍ଲୀରେ ଘଟିଥିବା ଦୁର୍ଘଟଣା ଭଳି ଏଠାରେ ମଧ୍ୟ କେତେବେଳେ କ’ଣ ହୋଇଯିବ ତାହାକୁ ନେଇ ଛାତ୍ରଛାତ୍ରୀ ଆଶଙ୍କାରେ ରହିଛନ୍ତି। ୫ ବର୍ଷ ଧରି ଆଚାର୍ଯ୍ୟବିହାରରେ ରହୁଥିବା ମାନସ ସାମଲଙ୍କ କହିବାନୁଯାୟୀ, ପୂର୍ବରୁ ଏଠାରେ ଗୋଟିଏ କୋଠରୀରେ ସମସ୍ତ ସୁବିଧା ଥିବା ଘର ୪୦୦୦ ଟଙ୍କାରେ ମିଳିଯାଉଥିଲା। ବର୍ତ୍ତମାନ ତାହା ୬ରୁ ୭୦୦୦ରେ ପହଞ୍ଚିଲାଣି। ହଷ୍ଟେଲଗୁଡ଼ିକରେ ସିଟ୍ପିଛା ଭଡ଼ା ବଢ଼ୁଛି। ମାତ୍ର ମୌଳିକ ସୁବିଧାରେ କୌଣସି ସୁଧାର ଆସିନାହିଁ। ଘରଛାତରୁ ପାଣି ଗଳିବା ନେଇ ଅଭିଯୋଗ କଲେ ଛାଡ଼ି ଦେବାକୁ ମାଲିକ ଧମକ ଦେଉଛନ୍ତି। ପୁଲିସ କିମ୍ବା ମହାନଗର ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କଟକଣା ନ ଥିବାରୁ ମାଲିକମାନଙ୍କ ମନମାନୀ ବଢ଼ିଚାଲିଛି। ନୂଆକରି ଭୁବନେଶ୍ବର ଆସିଥିବା ଛାତ୍ରୀ କଳ୍ପନା ମହାନ୍ତି କହନ୍ତି, ‘‘କୋଚିଂ ସେଣ୍ଟର ନିକଟରେ ଘର ପାଇବାକୁ ମାସେ ହେଲା ବୁଲୁଛି। ଯେଉଁ କିଛି ସ୍ଥାନରେ ଖାଲି ଅଛି, ସେଠାରେ ଅଧିକ ଦର କହୁଛନ୍ତି। ମାତ୍ର ଆବଶ୍ୟକ ଅନୁଯାୟୀ ସୁବିଧା ନାହିଁ। ବସ୍ତି ଅଞ୍ଚଳରେ କମ୍ଦାମରେ ଘରଭଡ଼ା ମିଳୁଥିଲେ ମଧ୍ୟ ସେଠାରେ ରହିବା ସୁରକ୍ଷିତ ନୁହେଁ। ତେଣୁ ବାଧ୍ୟ ହୋଇ ଏବେ ଜଣେ ସମ୍ପର୍କୀୟଙ୍କ ଘରେ ରହୁଛି।’’