ଘରୋଇ ଛାତ୍ରୀନିବାସ ସୁରକ୍ଷିତ ତ? ଛତୁ ଫୁଟିଲା ପରି ଖୋଲୁଛି ମାଳ ମାଳ ହଷ୍ଟେଲ

ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ କି ସୁରକ୍ଷା କର୍ମୀ ନାହାନ୍ତି

ଭୁବନେଶ୍ବର: ଛାତ୍ରୀଙ୍କ ରହିବା ପାଇଁ ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ହଷ୍ଟେଲ ନାହିଁ। କେଉଁ ସରକାରୀ କଲେଜରେ ୨୫୦୦ ଛାତ୍ରୀଙ୍କ ପାଇଁ ୨୦୦ ଶଯ୍ୟାର ହଷ୍ଟେଲ ରହିଛି ତ ଆଉ କେଉଁଠି ଆଦୌ ନାହିଁ। କାଁ ଭାଁ ଘରୋଇ ଶିକ୍ଷାନୁଷ୍ଠାନରେ ହଷ୍ଟେଲ ରହିଛି। ‌ତେବେ ତାହା ବି ଛାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିପାରୁନି। ଯେଉଁଥିପାଇଁ ଛାତ୍ରୀଙ୍କ ଭରସା ପାଲଟିଛି ଘରୋଇ ହଷ୍ଟେଲ। ଏହାର ସୁଯୋଗ ନେଇ ସହରର ଗଳିକନ୍ଦିରେ ଛତୁ ଫୁଟିଲା ପରି ଖୋଲିଚାଲିଛି ହଷ୍ଟେଲ। ଯାହାର ବି ଗୋଟିଏ ଘର ରହିଛି ସଙ୍ଗେ ସଙ୍ଗେ ହଷ୍ଟେଲ ଖୋଲିଦେଇ ରୋଜଗାରରେ ଲାଗିପଡ଼ୁଛନ୍ତି। ନିୟମ କାନୁନ୍‌ କିଛି ବି ମାନୁନାହାନ୍ତି। ଗୋଟିଏ ରୁମ୍‌ରେ ୩ରୁ ୪ଟି ବେଡ୍‌ ପକାଇ ‌ଅର୍ଥ ରୋଜଗାର କରୁଛନ୍ତି। ଗୋଟିଏ ଗୋଟିଏ କୋଠାରେ ୪୦ରୁ ୫୦ ଜଣ ଛାତ୍ରୀ ରହୁଥିଲେ ମଧ୍ୟ ଅଗ୍ନି ନିର୍ବାପକ ସୁବିଧା ନାହିଁ କି ସୁରକ୍ଷା କର୍ମୀ ନାହାନ୍ତି। ଆଉ କିଛି ହଷ୍ଟେଲର ମାଲିକ ବି ବିଲଡିଂରେ ରହୁନାହାନ୍ତି। ହଷ୍ଟେଲରେ କ’ଣ ଚାଲିଛି? ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ରହୁଛନ୍ତି କି ନାହିଁ ତାହାର ବି ଯାଞ୍ଚ ହେଉନି। ଯେଉଁଥିପାଇଁ ବିଭିନ୍ନ ସମୟରେ ହଷ୍ଟେଲରେ ଅଘଟଣମାନ ଘଟୁଛି। କିଛି ଅଘଟଣ ପଦାକୁ ଆସୁଛି ତ ଆଉ କିଛି ଲୁଚିଯାଉଛି। ତେବେ ସହରରେ କିଭଳି ଚାଲିଛି ଘରୋଇ ହଷ୍ଟେଲ? କେମିତି ରହୁଛନ୍ତି ଛାତ୍ରଛାତ୍ରୀ? ସହରର ବିଭିନ୍ନ ସ୍ଥାନରେ ଥିବା ହଷ୍ଟେଲଗୁଡ଼ିକ ଅନୁଧ୍ୟାନ କରିବା ସମୟରେ ଏଭଳି ତଥ୍ୟ ପଦାକୁ ଆସିଛି।

ଜଣେ ଛାତ୍ରୀଙ୍କ ପାଇଁ ହଷ୍ଟେଲ ଖୋଜିବା ଆଳରେ ସହିଦନଗରରେ ଥିବା ଏକ ଘରୋଇ ହଷ୍ଟେଲରେ ପହଞ୍ଚିଥିଲୁ। ହଷ୍ଟେଲ ଖାଲି ଅଛି କି ବୋଲି ମାଲିକଙ୍କୁ ପଚାରିବାରୁ କହିଲେ କେତେ ଜଣ ରହିବେ? ଦୁଇ ଜଣ ଛାତ୍ରୀଙ୍କ ପାଇଁ ରୁମ୍‌ ଅଛି କି ବୋଲି ପଚାରିଥିଲୁ। ସେ ଉତ୍ତର ଦେଇଥିଲେ ରୁମ୍‌ ନାହିଁ। ୨ଟି ଶଯ୍ୟା ଖାଲି ଅଛି। ଗୋଟାଏ ବେଡ୍‌ ପିଛା ଦୁଇ ହଜାର। ରୋଷେଇ କରିବା ପାଇଁ ବ୍ୟବସ୍ଥା ନାହିଁ। ବାହାରୁ କିଣି ଖାଇବେ। ଏଠାରେ ୧୬ରୁ ୧୮ ଜଣ ଛାତ୍ରୀ ରହୁଛନ୍ତି। ସୁରକ୍ଷା କର୍ମୀ ନାହାନ୍ତି। ରାତି ୧୧ଟା ଯାଏ ହଷ୍ଟେଲ ଖୋଲା ରହୁଥିବା ମାଲିକ ସୂଚନା ଦେଇଥିଲେ। ନୟାପଲ୍ଲୀ ବେହେରା ସାହି ନିକଟରେ ଥିବା ଏକ ହଷ୍ଟେଲରେ ପହଞ୍ଚିବା ପରେ ସେଠାରେ ଯେଉଁ ସୂଚନା ମିଳିଲା ତାହା ଆଶ୍ଚର୍ଯ୍ୟ କରିବା ଭଳି। ଘରୋଇ ହଷ୍ଟେଲ ହୋଇଛି, ମାଲିକ ନାହାନ୍ତି। ସେଠାରେ ରହୁଥିବା ଦୁଇ ଜଣ ଅନ୍ତେବାସୀ ହଷ୍ଟେଲ ଚଲାଉଛନ୍ତି। ବିଲଡିଂରେ ଅତିବେଶିରେ ୧୬ ଜଣ ରହିବା ପରି ବ୍ୟବସ୍ଥା ରହିଛି। ତେବେ ୨୦ ଜଣଙ୍କ ଲାଗି ବେଡ୍‌ ପଡ଼ିଛି। ପ୍ରତି ବେଡ୍‌ ପିଛା ୨୨୦୦ ଟଙ୍କା ଲେଖା‌ଏ ଆଦାୟ ହେଉଛି। ପଚାରି ବୁଝିବାରୁ ଜଣାପଡ଼ିଲା ଯେ ଯେଉଁ ଦୁଇ ଜଣ ଛାତ୍ରୀ ଦାୟିତ୍ବ ନେଇଛନ୍ତି ସେମାନେ ମାଲିକଙ୍କୁ ମାସିକ ୨୫ ହଜାର ଟଙ୍କା ଦେଉଛନ୍ତି। ବାକି ଯାହା ବଳିଲା ସେମାନଙ୍କର। ଅନ୍ତେବାସୀଙ୍କ ପ୍ରବେଶର ଶେଷ ସମୟ ରାତି ୧୧ଟା ରହିଛି। ତେବେ ଏହାପରେ ଯଦି କିଏ ଫେରନ୍ତି ତେବେ ବି ସେମାନଙ୍କ ଲାଗି ଦ୍ବାର ଉନ୍ମୁକ୍ତ।

ପଟିଆ ଅଞ୍ଚଳରେ ଥିବା ଏକ ହଷ୍ଟେଲରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଲଡିଂରେ ଘରର ମାଲିକ ନାହାନ୍ତି। ୪ଟି ରୁମ୍‌ରେ ୮ ଜଣ ଛାତ୍ରୀ ରହୁଛନ୍ତି। ଏବେ ଆହୁରି ଏକ ରୁମ୍‌ ଖାଲି ରହିଛି। ସେଠାରେ ରହିବା ପାଇଁ ମାସକୁ ଭଡ଼ା ୫୫୦୦ ଟଙ୍କା ରଖାଯାଇଛି। ହଷ୍ଟେଲକୁ ଫେରିବା ସମୟ କିଛି ଧାର୍ଯ୍ୟ କରାଯାଇ ନାହିଁ। ତେବେ ହଷ୍ଟେଲକୁ କିଏ, କେତେବେଳେ ଆସିଲେ, ଗଲେ ତାହା ଦେଖିବାକୁ କେହି ନାହାନ୍ତି। କେବଳ ଏହି ତିନୋଟି ହଷ୍ଟେଲ ନୁହେଁ। ସହିଦନଗର, ଆଚାର୍ଯ୍ୟବିହାର, ନୟାପଲ୍ଲୀ, ସିଆରପି, ଚନ୍ଦ୍ରଶେଖରପୁର, ପଟିଆ, ଜାଗମରା, ମଞ୍ଚେଶ୍ବରରେ ଖୋଲିଥିବା ଘରୋଇ ହଷ୍ଟେଲଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା, ଯାଞ୍ଚ ଆଦି ନେଇ କୌଣସି କଟକଣା ନ ଥିବା ଦେଖିବାକୁ ମିଳିଥିଲା।

ଗୋଟିଏ ବି ହଷ୍ଟେଲ ପଞ୍ଜୀକୃତ ହୋଇନି
ଭୁବନେଶ୍ବର-କଟକ ସହରରେ ଥିବା ଥିବା ଗୋଟିଏ ବି ଛାତ୍ରୀନିବାସ ପଞ୍ଜୀକୃତ ହୋଇନାହିଁ। ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ୨୦୧୬ ଜୁଲାଇ ୨୭ରେ ରାଜ୍ୟ ସରକାରଙ୍କ ଗେଜେଟ୍‌ ନୋଟିଫିକେସନ ଅନୁଯାୟୀ ଶିକ୍ଷାନୁଷ୍ଠାନ ଅନ୍ତର୍ଭୁକ୍ତ ଘରୋଇ ପରିଚାଳିତ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଭୁବନେଶ୍ବର-କଟକ କମିସନରେଟ୍‌ ରେଗୁଲେସନ-୨୦୧୭ ପ୍ରକାଶିତ ହୋଇଛି। ସେହି ଅନୁଯାୟୀ ପୁଲିସ ଆୟୁକ୍ତ, ଭୁବନେଶ୍ବର-କଟକଙ୍କୁ ଲାଇସେନ୍ସିଂ ଅଥରିଟି ଘୋଷଣା କରାଯାଇଛି। ଇତି ମଧ୍ୟରେ ୧୦ଟି ଘରୋଇ ଛାତ୍ରୀନିବାସର ମାଲିକ ସେମାନଙ୍କ ହଷ୍ଟେଲର ପଞ୍ଜୀକରଣ କରିବା ପାଇଁ ଆବେଦନ କରିଥିଲେ। ତେବେ ସେମାନେ ଆଇନ ଅନୁଯାୟୀ ଆବଶ୍ୟକୀୟ କାଗଜପତ୍ର ଦେଇ ନଥିବାରୁ ଅଦ୍ୟାବଧି କୌଣସି ହଷ୍ଟେଲର ପଞ୍ଜୀକରଣ ହୋଇନାହିଁ।

ସମ୍ବନ୍ଧିତ ଖବର