ସରକାରୀ ନିର୍ଦେଶ ମାନୁନାହାନ୍ତି ଘରୋଇ ବିଦ୍ୟାଳୟ

ଭୁବ‌ନେଶ୍ବର: ଓଡ଼ିଶାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଗଲା। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆସିବା ଉପରେ କଟକଣା ଜାରି ହେଲା। ତେ‌ବେ ରାଜଧାନୀର କିଛି ଘରୋଇ ସ୍କୁଲ ଗଣଶିକ୍ଷା ବିଭାଗର ନିର୍ଦେଶକୁ ଖୁଲମ୍‌ଖୁଲ୍ଲା ଉଲ୍ଲଂଘନ କରୁଥିବା ଆଜି ନଜରକୁ ଆସିଥିଲା। ଚନ୍ଦ୍ରଶେଖରପୁର ଥାନା ନିକଟରେ ଥିବା ଏକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କ୍ଲାସରୁମ୍‌ରେ ଶିକ୍ଷା ଦିଆଯାଉଥିଲା। ଏନେଇ ଖବର ଜଣାପଡ଼ିବା‌ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ସମେତ କେତେଜଣ ଅଭିଭାବକ ଏନେଇ ସ୍କୁଲ କର୍ତୃପକ୍ଷଙ୍କୁ ଫୋନ୍‌ କରିବା ପରେ ସଙ୍ଗେ ସଙ୍ଗେ ଛୁଟି କରାଯାଇ ଥିଲା। ଆଉ ବିଦ୍ୟାଳୟକୁ ନ ଆସିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା।

ସେହିପରି ଜାଭିୟର ଛକ ନିକଟରେ ଥିବା ଏକ ଘରୋଇ ବିଦ୍ୟାଳୟରେ ଆଜି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବିକ୍ରି କରାଯାଉଥିଲା। ୫୦ରୁ ଅଧିକ ଅଭିଭାବକ ଏକତ୍ର ହୋଇ ପୁସ୍ତକ ‌କିଣୁଥିବା‌ ନଜରକୁ ଆସିବା ପରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଖୋର୍ଧା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା। ଘରୋଇ ବିଦ୍ୟାଳୟଗୁଡ଼ିକ କିଭଳି ସରକାରୀ ନିୟମକୁ ବେଖାତିର କରୁଛନ୍ତି ସେନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଏହାପରେ ପ୍ରଶାସନର ଏକ ପ୍ରତିନିଧି ଦଳ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ପଚରାଉଚରା କରିବା ପରେ ସ୍କୁଲ କର୍ତୃପକ୍ଷ ପୁସ୍ତକ ବିକ୍ରି ବନ୍ଦ କରିଥିଲେ। ଅଭିଯୋଗ ନେଇ ଖୋର୍ଧା ଜିଲ୍ଲାପାଳ ଅଭିଭାବକ ମହାସଂଘକୁ କହିଛନ୍ତି ଯେ ନିୟମ ଉଲ୍ଲଂଘନ କରୁଥିବା ବିଦ୍ୟାଳୟ ଉପରେ ନଜର ରଖିବାକୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି। ଉକ୍ତ ଦୁଇ ସ୍କୁଲ ବିଷୟରେ ଅନୁଧ୍ୟାନ କରିବାକୁ ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର