ଘରୋଇ ସ୍କୁଲ ଉପରେ ଲଗାମ ନାହିଁ ପାଠ ମହଙ୍ଗା

ଭୁବନେଶ୍ୱର: ରାଜଧାନୀର ଗଳିକନ୍ଦିରେ ଖୋଲିଚାଲିଛି ଘରୋଇ ସ୍କୁଲ। ବିଶାଳ କୋଠା ସାଙ୍ଗକୁ ଶୀତତାପ ନିୟନ୍ତ୍ରିତ କୋଠରିରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ପ୍ରାଥମିକ ଶିକ୍ଷା। ଏଥିପାଇଁ ଅଭିଭାବକଙ୍କଠାରୁ ପ୍ରଚୁର ଟଙ୍କା ବି ନିଆଯାଉଛି। ଏଲ୍‌କେଜିଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। ବିଦ୍ୟାଳୟ କର୍ତୃପକ୍ଷ ମଧ୍ୟ ପ୍ରତିବର୍ଷ ମନଇଚ୍ଛା ଫି’ ବୃଦ୍ଧି କରି ଚାଲିଥିବା ବେଳେ ଲଗାମ ଲଗାଇବାକୁ କେହି ନାହିଁ। ଗଣଶିକ୍ଷା ବିଭାଗ ସବୁ ଜାଣି ଚୁପ୍‌ ବସିପଡ଼ିଥିବା ବେଳେ ଶୋଷଣର ଶିକାର ହେଉଛନ୍ତି ଅଭିଭାବକ। ଶିକ୍ଷା ଅଧିକାର ଆଇନକୁ ବିଦ୍ୟାଳୟଗୁଡ଼ିକ ଖୁଲାମଖୁଲା ଉଲଂଘନ କରୁଛନ୍ତି। ସମସ୍ତେ ସବୁ ଜାଣିଥିଲେ ମଧ୍ୟ ଚାପରେ ଚୁପ୍‌ ରହୁଛନ୍ତି।

ଗତ ସପ୍ତାହରେ ଆମେ ପହଞ୍ଚିଥିଲୁ ସିଆର୍‌ପି ଛକଠାରୁ କିଛି ଦୂରରେ ଥିବା ଏକ ଘରୋଇ ବିଦ୍ୟାଳୟରେ। ପ୍ରବେଶ କରୁକରୁ ସୁରକ୍ଷା କର୍ମୀଙ୍କ ପ୍ରଶ୍ନବାଣ ଥିଲ, କେଉଁଠୁ ଆସିଛ? କ’ଣ ଦରକାର? କାହା ପାଖକୁ ଯିବେ? ଏଭଳି ଅନେକ ପ୍ରଶ୍ନ। ଅଭିଭାବକ ପରିଚୟ ଦେଇ ବିଦ୍ୟାଳୟ ଭିତରକୁ ପ୍ରବେଶ କରିଥିଲୁ। ନାମଲେଖା ଦାୟିତ୍ୱରେ ଥିବା ଅଧିକାରୀଙ୍କ ନିକଟରେ ପହଞ୍ଚିବା ପରେ ପ୍ରଶ୍ନ ଆସିଥିଲା ଆପଣ ନିଜ ପିଲାଙ୍କର ନାମ କେଉଁ ଶ୍ରେଣୀରେ ଲେଖାଇବେ। ଏଲ୍‌କେଜି ବୋଲି କହିବା ପରେ ସମ୍ପୃକ୍ତ ଅଧିକାରୀ ଜଣକ ଏକ ଲିଷ୍ଟ ଦେଖାଇଥିଲେ।  ଏଠାରେ ନାମଲେଖା ଫି’ ୩୭,୪୦୦ ରହିଥିବା ବେଳେ ଟ୍ୟୁସନ ଫି’, କ୍ରୀଡ଼ା ଫି’, ଲାଇବ୍ରେରି ଫି’ ଆଦିକୁ ମିଶାଇ ମୋଟ ୫୭ ହଜାର ଟଙ୍କା ଲାଗିବ ବୋଲି ଚିଠାରେ ଦର୍ଶା ଯାଇଥିଲା। ଏହାବ୍ୟତୀତ ପରିବହନ ଫି’ ବାବଦରେ ପିଲାଙ୍କୁ ଅଲଗା ଅର୍ଥ ଦେବାକୁ ହେବ ବୋଲି ଅଧିକାରୀ ଜଣକ କହିଥିଲେ। ପୁରୁଣା ଭୁବନେଶ୍ୱରରେ ଥିବା ଏକ ବିଦ୍ୟାଳୟରେ ପହଞ୍ଚି ନାମଲେଖା ଫି’ ବାବଦରେ ପଚାରିଥିଲୁ। ସ୍କୁଲର ଜଣେ ଅଧିକାରୀ କହିଥିଲେ ନାମଲେଖା ବାବଦରେ ୫୩,୩୦୦ ଟଙ୍କା ନେବୁ। ଏହାବାଦ ଯଦି ଆପଣଙ୍କ ପିଲାଙ୍କ ପରିବହନ ପାଇଁ ସ୍କୁଲ ପକ୍ଷରୁ ବସ୍‌ ବ୍ୟବସ୍ଥା ହେବ ତେବେ ଅଲଗା ଫି’ ଦେବାକୁ ପଡ଼ିବ। ମାସକୁ ପ୍ରାୟ ୪ ହଜାର ଟଙ୍କା ପଡ଼ିବ। ବସ୍‌ରେ ସୁରକ୍ଷା ବ୍ୟବସ୍ଥା ନେଇ ପଚାରିବାରେ ଅଧିକାରୀ ଜଣକ କହିଥିଲେ, ବସ୍‌ରେ ଚଢ଼ିବାଠାରୁ ଓହ୍ଲାଇବା ପର୍ଯ୍ୟନ୍ତ ପିଲାମାନେ ଆମ ଦାୟିତ୍ୱରେ ରହିବେ। ଜଣେ ମହିଳା ଓ ପୁରୁଷ ସୁରକ୍ଷାକର୍ମୀ ବସ୍‌ରେ ନିୟୋଜିତ ହୋଇଛନ୍ତି। ବସ୍‌ରେ ଜିପିଏସ୍‌  ଏବଂ ସିସିଟିଭି ବ୍ୟବସ୍ଥା କରାଯାଇଛି। ଅଭିଭାବକମାନେ ପିଲାଙ୍କ ସମସ୍ତ ସ୍ଥିତି ଉପରେ ନଜର ରଖିପାରିବେ। ସତ୍ୟନଗର ଓ ଖାରବେଳ ନଗର ଅଞ୍ଚଳରେ ଥିବା ଦୁଇଟି ଘରୋଇ ବିଦ୍ୟାଳୟରେ ପହଞ୍ଚି ନାମଲେଖା ସମ୍ପର୍କରେ ପଚାରିଥିଲେ ମଧ୍ୟ ଅଧିକାରୀମାନେ କିଛି ବି କହି ନ ଥିଲେ।

ପ୍ରତିବର୍ଷ ଏଭଳି ଫି’ ବୃଦ୍ଧି ନେଇ କେତେକ ବିଦ୍ୟାଳୟ ମୁଖ୍ୟଙ୍କୁ ଯୋଗାଯୋଗ କରିଥିଲୁ। ସେମାନଙ୍କ ମଧ୍ୟରୁ କେତେଜଣ ଉତ୍ତର ଦେଇ ନ ଥିଲେ। ଆଉ କିଛି ନାମ ଗୋପନ ରଖି କହିଥିଲେ ଯେ ଫି’ ନ ବଢ଼ାଇଲେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେଇ ହେବନି। ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଛି। ସ୍ମାର୍ଟ କ୍ଲାସ ରୁମ୍‌ ନ ହେଲେ ପିଲାଙ୍କ ଅଭିଭାବକ ନାମ ଲେଖାଇବାକୁ ଆଗ୍ରହ ଦେଖାଉ ନାହାନ୍ତି। କ୍ଲାସରୁମ୍‌ଗୁଡ଼ିକୁ ସମ୍ପୂର୍ଣ୍ଣରୂପେ ଶୀତତାପ ନିୟନ୍ତ୍ରିତ କରାଯାଇଛି। ବସ୍‌ଗୁଡ଼ିକରେ ସିସିଟିଭି, ଜାମର, ସ୍ୱତନ୍ତ୍ର କର୍ମଚାରୀ, ସୁରକ୍ଷା ବ୍ୟବସ୍ଥା ପରି ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଡ଼ୁଛି। ଏହାବାଦ ଯେଉଁମାନେ ପଢ଼ାଉଛନ୍ତି ସେମାନଙ୍କ ଲାଗି ଦରମା ପ୍ରତିବର୍ଷ ବଢ଼ାଇବାକୁ ହେଉଛି। ସେହି ଦୃଷ୍ଟିରୁ ପ୍ରତିବର୍ଷ ଫି’ ନ ବଢ଼ାଇଲେ ବିଦ୍ୟାଳୟ ଚଳାଇବା ସମ୍ଭବପର ନୁହେଁ।

ଇଂରାଜୀ ମାଧ୍ୟମିକ ବ୍ୟତୀତ ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ବି ଏଥର ଫି’ ବୃଦ୍ଧି କରିଛନ୍ତି। ଗତବର୍ଷ ଯେତିକି ଅର୍ଥ ନେଉଥିଲେ ଏଥର ୫୦୦ରୁ ୨ ହଜାର ଟଙ୍କା ଫି’ ବଢ଼ାଇଛନ୍ତି। ଏଭଳି ବିଦ୍ୟାଳୟଗୁଡ଼ିକରେ ପ୍ରତିବର୍ଷ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଫି’ ବଢ଼ୁଛି।

ହୋର୍ଡିଂରେ ନିୟମ

ଏପ୍ରିଲରୁ ଆରମ୍ଭ ହେବ ନୂଅ ଶିକ୍ଷା ବର୍ଷ। ଏହା ପୂର୍ବରୁ ଘରୋଇ ବିଦ୍ୟାଳୟରେ ନାମଲେଖା ନେଇ ଅଭିଭାବକଙ୍କୁ ସଚେତନ କରିଛି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିପିସିଆର)। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଇ ସଚେତନ କରାଯାଇଛି। ଘରୋଇ ବିଦ୍ୟାଳୟର ୨୫% ସିଟ୍‌ରେ ଗରିବ ପିଲା ନାମ ଲେଖାଇପାରିବେ। ଯଦି କୌଣସି ବିଦ୍ୟାଳୟ ଏହାକୁ ଉଲ୍ଲଂଘନ କରୁଥିବେ ତେବେ ଟୋଲ୍‌ ଫି ନମ୍ବରରେ ଅଭିଯୋଗ କରିବାକୁ କୁହାଯାଇଛି। ପ୍ରତିବର୍ଷ ଘରୋଇ ବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ କରିବାକୁ ନିୟମ ଥିଲେ ମଧ୍ୟ ତାହାକୁ ପାଳନ କରାଯାଉ ନାହିଁ। ହୋର୍ଡିଂରେ ଯେଉଁ ନିୟମ ଉଲ୍ଲେଖ ହୋଇଛି ତାହା କେବଳ ନିୟମରେ ହିଁ ରହିଯାଉଛି।

ନାଁକୁ ମାତ୍ର ପ୍ରବେଶିକା ପରୀକ୍ଷା

କିଛି ବର୍ଷ ହେଲା କେତେକ ଘରୋଇ ବିଦ୍ୟାଳୟ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା କରୁଛନ୍ତି। ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରୁଥିବା ପିଲାଙ୍କ ନାମଲେଖା କରାଯିବ ବୋଲି କୁହାଯାଉଛି। କିନ୍ତୁ କେଉଁ ପିଲାଙ୍କ ନାମଲେଖା ହେବ ତାହା ପରୀକ୍ଷାର ବହୁ ପୂର୍ବରୁ ସ୍ଥିର ହେଉଛି। ସେହି ଅନୁଯାୟୀ ତାଲିକା ପ୍ରସ୍ତୁତ ହେଉଛି। ଅର୍ଥ ବି ନିଆଯାଉଛି। ନାଁକୁ ମାତ୍ର ପ୍ରବେଶିକା ପରୀକ୍ଷା କରାଯାଉଛି। ଏଥିରେ ବାହାର ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଉଛନ୍ତି। ହେଲେ ସଫଳତା ହାସଲ କରିପାରୁ ନାହାନ୍ତି। ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି।

 

 

ସମ୍ବନ୍ଧିତ ଖବର