ଜଟଣୀ: ଜଟଣୀ ଯାଆଁଳା ସ୍ଥିତ ଅମ୍ରିତା ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ସଂୟୋଗ’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ମୌସୁମୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥିଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଥିଲେ, ଏଠାରେ ଶିକ୍ଷାଦାନ ସହ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଯାଉଛି। ମା’ ଙ୍କର ଆଶୀର୍ବାଦ ଅନୁଷ୍ଠାନ ପ୍ରତି ରହିଛି। ତେଣୁ ଏଠାରେ ଯେଉଁମାନେ ବି ପଢ଼ୁଛନ୍ତି ସମସ୍ତେ ଭାଗ୍ୟବାନ। ଏଭଳି ଅନୁଷ୍ଠାନ ଅନ୍ୟ ସରକାରୀ ଶିକ୍ଷାନଷ୍ଠାନ ପାଇଁ ଆଲୋକ ବର୍ତିକା।

Advertisment

ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଏହାକୁ ଗୋଟେ ଗୋଟେ ଆହ୍ବାନ ସହ ମାପକାଠି ଭାବେ ଗ୍ରହଣ କରିବେ ବୋଲି ଆଶା କରୁଛି। ବ୍ରହ୍ମଚାରିଣୀ ରଶିକା ଅମ୍ରିତାଜୀ ଓ ନମ୍ରତା ଅମୃତାଜୀ ପୌରହିତ୍ୟ କରିବା ଅବସରରେ ଅଧ୍ୟୟନରେ କିଭଳି ଏକାଗ୍ରତା ରଖିବାକୁ ହେବ ସେ ନେଇ ଛାତ୍ରଛାତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଏକାଡେମିକ୍ ଏକ୍ସଲେନ୍ସିର ଲୋଲୁକ୍ ବେବି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିଜ ପିତାମାତାଙ୍କ ହାତରେ ବୋଲି କହିଥିଲେ। ସମ୍ମାନିତ ଅତିଥି ସ୍ମୃତି ରଞ୍ଜନ ବିଶ୍ୱାଳ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପୌରାଣିକ ଗୀତିନାଟ୍ୟ, ଓଡ଼ିଆ ଲୋକଗୀତ, ଲୋକନୃତ୍ୟ ଓ ଯୋଗ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।