ଖଣ୍ଡଗିରି: ଡୁମୁଡୁମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଛି ଏକ ଘରୋଇ ସ୍କୁଲ୍। ସ୍ଥାନୀୟ ଅଧିବାସୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ବର୍ଷ ବର୍ଷ ଧରି ଘରୋଇ ସ୍କୁଲ୍ଟି ସରକାରୀ ଜମିକୁ ମାଡ଼ିବସିଛି। ଏନେଇ ଭୁବନେଶ୍ବର ବିଇଓ ପ୍ରଜ୍ଞା ପାରମିତା ଜେନା ମଧ୍ୟ ସ୍ବୀକାର କରିଛନ୍ତି ଯେ ଡୁମୁଡୁମା ସରକାରୀ ସ୍କୁଲ୍ ପରିସରରେ ଏଭଳି ଘରୋଇ ସ୍କୁଲ୍ ରହିବା ବେଆଇନ। ଏସଂକ୍ରାନ୍ତରେ ସେ ଘଟଣାସ୍ଥଳ ମଧ୍ୟ ପରିଦର୍ଶନ କରିଥିବା କହିଛନ୍ତି। ଖୋର୍ଧା ଡିଇଓ ବି. ତରାଇଙ୍କ ଅନୁସାରେ କୌଣସି ସରକାରୀ ସ୍କୁଲ୍ ପରିସରରେ ଘରୋଇ ସ୍କୁଲ୍ ରହିପାରିବ ନାହିଁ। ଏହା ସତ୍ତ୍ବେ କାହିଁକି ସରକାରୀ ସ୍କୁଲ ପରିସରରେ ଘରୋଇ ସ୍କୁଲକୁ ଅନୁମତି ଦିଆ ଯାଇଛି, ତା’କୁ ନେଇ ପ୍ରଶ୍ନ ଉଠିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଡୁମୁଡୁମା, ପାତ୍ରପଡ଼ା, ଯଦୁପୁର ସମେତ ଏହାର ନିକଟସ୍ଥ ବିଦ୍ୟାର୍ଥୀଙ୍କ ଆବଶ୍ୟକ ଥିବାରୁ ଏହି ହାଇସ୍କୁଲ୍କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରୂପାନ୍ତରୀକରଣ କରିବା ଦରକାର। ଏଠାରେ ଏକାଦଶ ଓ ଦ୍ବାଦଶ କ୍ଲାସ ଖୋଲିବା ପାଇଁ ଡୁମୁଡୁମା ଏଜୁକେସନ୍ ଡେଭେଲପ୍ମେଣ୍ଟ କମିଟି ପକ୍ଷରୁ ଦାବି କରାଯାଉଛି। କିନ୍ତୁ ଜବରଦଖଲ ହୋଇ ପଡ଼ିଥିବା ସରକାରୀ ଜମି ଏଥିରେ ବାଧକ ସାଜିଛି।
ସ୍ଥାନୀୟ ଅଧିବାସୀ କିରଣ ପଟ୍ଟନାୟକଙ୍କ ଅଭିଯୋଗ ଅନୁସାରେ, ୧୯୫୬ ମସିହାରେ ଏହି ସ୍କୁଲ୍ଟି ପ୍ରତିଷ୍ଠା ହୋଇଥିଲା। ୨୦୧୭ ମସିହାରେ ଏହାର ଅପ୍ଗ୍ରେଡେସନ୍ କରାଯାଇ ହାଇସ୍କୁଲ ମାନ୍ୟତା ମିଳିଥିଲା। ଏଥିସହିତ ଏଠାରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ବ୍ୟବସ୍ଥା ରହିଲା। ବର୍ତ୍ତମାନ ଏଠାରେ ନବମ ଶ୍ରେଣୀରେ ୮୨, ଦଶମ ଶ୍ରେଣୀରେ ୭୦ ପିଲାଙ୍କୁ ମିଶାଇ ସମୁଦାୟ ୪୮୬ ବିଦ୍ୟାର୍ଥୀ ଅଛନ୍ତି। ଡୁମୁଡୁମା ଏଜୁକେସନ୍ ଡେଭେଲପ୍ମେଣ୍ଟ କମିଟି ପକ୍ଷରୁ ଖୋର୍ଧା ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦିଆଯାଇଥିବା ଦାବିପତ୍ର ଅନୁସାରେ ଏହି ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସମେତ ଡୁମୁଡୁମା ନିକଟସ୍ଥ ଯଦୁପୁରସ୍ଥିତ ମମତାଜ୍ ଅଲ୍ଲୀ ଉଚ୍ଚ ବିଦ୍ୟାଳୟ ଓ ଅନ୍ୟାନ୍ୟ ହାଇସ୍କୁଲ୍ରୁ ପ୍ରତିବର୍ଷ ୩୦୦ରୁ ଅଧିକ ପିଲା ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛନ୍ତି। ସେମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ରାଜଧାନୀ କଲେଜ, ଏକାମ୍ର କଲେଜ କିମ୍ବା ଖୋର୍ଦ୍ଧା ଯିବାକୁ ପଡ଼ୁଛି। ଫଳରେ ଦୂର ବାଟ ଯାଇ ସେମାନେ ଖର୍ଚ୍ଚାନ୍ତ ହେଉଛନ୍ତି।
ସେହିଭଳି ମାଟ୍ରିକ୍ରେ ଅଳ୍ପ ନମ୍ବର ରଖୁଥିବା ପିଲାମାନେ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ ଦହଗଞ୍ଜ ହେଉଛନ୍ତି। ବର୍ତ୍ତମାନ ଏହି ଅଞ୍ଚଳରେ ଯେଉଁଭଳି ଭାବରେ ଜନସଂଖ୍ୟା ବଢ଼ିବାରେ ଲାଗିଛି, ଉଚ୍ଚ ଶିକ୍ଷା ପାଇଁ ଏଠାରେ ସରକାରୀ କଲେଜଟିଏ ନିହାତି ଆବଶ୍ୟକ। ଡୁମୁଡୁମା ହାଇସ୍କୁଲ୍ ପରିସରରେ ଆଉ ଦୁଇଟି ଶ୍ରେଣୀ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି। ଏଠାରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଖୋଲାଗଲେ, ଅନେକ ପିଲା ସହଜରେ ଉଚ୍ଚଶିକ୍ଷା ପାଇପାରନ୍ତେ ବୋଲି କମିଟି ସମ୍ପାଦକ ଦ୍ବାରିକାନାଥ ନାଏକ, ପ୍ରଦୀପ୍ତ ପଟନାୟକ, ଜ୍ୟୋସ୍ନାମୟୀ ଜେନା ପ୍ରମୁଖ କହିଛନ୍ତି। ତୁରନ୍ତ ଘରୋଇ ବିଦ୍ୟାଳୟକୁ ଏଠାରୁ ହଟାଇବାକୁ ସେମାନେ ଦାବି କରିଛନ୍ତି।