ଖଣ୍ଡଗିରି : ଅସୁରକ୍ଷିତ ହୋଇପଡ଼ିଛି ସିଆର୍‌ପି ଛକ ସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ। ୯ ମାସ ବିତିଲା କିନ୍ତୁ ଏହାର ମରାମତି କିମ୍ବା ଏହା ବଦଳରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଏହି ଅଭିଯୋଗ କରିଛନ୍ତି ପ୍ରିୟଦର୍ଶିନୀ ମାର୍କେଟ ବ୍ୟବସାୟୀ ସଂଘ। ଏସଂକ୍ରାନ୍ତରେ ଫେବ୍ରୁଆରି ମାସରେ ବିଡିଏ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହାପରେ ବି ଫଳ ଶୂନ।

Advertisment

ବ୍ୟବସାୟୀ ସଂଘର ଅଭିଯୋଗ ଅନୁସାରେ, ୧୯୮୭ ମସିହାରେ ନିର୍ମାଣ ହୋଇଥିଲା ଏହି ମାର୍କେଟ କମ୍ପ୍ଲେକ୍ସ। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ନେଇ ଟଙ୍କାଟିଏ ମଧ୍ୟ ଖର୍ଚ କରି ନାହିଁ ବିଡିଏ। ୩୪ ବର୍ଷର ଏହି ମାର୍କେଟ କମ୍ପ୍ଲେକ୍ସର କୋଠା ଦୁର୍ବଳ ହୋଇ ଗଲାଣି, କାନ୍ଥରେ ହାତ ମାରିଲେ ପ୍ଲାଷ୍ଟର ଖସି ପଡ଼ୁଛି। ଛାତର ବିଭିନ୍ନ ସ୍ଥାନରେ ରଡ୍‌ ଦେଖାଗଲାଣି। ଏଥିସହିତ ଲିଫ୍ଟ ଅଚଳ ହୋଇ ପଡ଼ିଛି। ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ମାଳ ମାଳ ସମସ୍ୟା ଭିତରେ ବୁଡ଼ି ରହିଥିବା ବଜାରର ଏଭଳି ସ୍ଥିତି ଯୋଗୁଁ ଗ୍ରାହକ ମଧ୍ୟ ଆସିବାକୁ ଇଚ୍ଛା କରୁ ନାହାନ୍ତି। ଫଳରେ ବ୍ୟବସାୟ ବାଧାପ୍ରାପ୍ତ ହେଉଛି।

ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସର ଏହି ସ୍ଥିତିକୁ ନେଇ ସ୍ଥାନୀୟ ବ୍ୟବସାୟୀ ସଂଘ ବିଡିଏକୁ ଦାବିପତ୍ର ଦେଇଥିଲା। ଏହାପରେ ତତ୍‌କାଳୀନ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ବିଡିଏ ଏବଂ ବ୍ୟବସାୟୀ ସଂଘ ମଧ୍ୟରେ ବୈଠକ ହୋଇଥିଲା। ଏଥିରେ ବିଡିଏ ସମ୍ପାଦକ, ମୁଖ୍ୟ ଯନ୍ତ୍ରୀ, ବିତ୍ତ ଅଧିକାରୀଙ୍କ ସମେତ ସମସ୍ତ ଅଧିକାରୀ, ବ୍ୟବସାୟୀ ସଂଘ ପକ୍ଷରୁ ସଭାପତି ଶରତ ରାଉତ, ଉପସଭାପତି ଭଜମନ ସାହୁ, ସମ୍ପାଦକ ଅନିରୁଦ୍ଧ ପଣ୍ଡା, ଯୁଗ୍ମ ସମ୍ପାଦକ ଜ୍ୟୋତିରଂଜନ ସାହୁ, ଭବେଶ ମିଶ୍ରଙ୍କ ସମେତ ଅନ୍ୟ ବ୍ୟବସାୟୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ବିଡିଏ ପକ୍ଷରୁ ଏଠାରେ ୨୦୨୪ ସୁଦ୍ଧା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ନିର୍ମାଣ ସମୟ ପର୍ଯ୍ୟନ୍ତ ବ୍ୟବସାୟୀମାନେ ବଜାର ଛାଡ଼ିବେ। କିନ୍ତୁ ଏହା ବଦଳରେ ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ। ଏଥିସହିତ ଯେଉଁ ବ୍ୟବସାୟୀ ଯେଉଁଠି ଅଛନ୍ତି ସେଠି ତାଙ୍କୁ ଦୋକାନ ଦିଆଯିବ। ଏଥିପାଇଁ ଟଙ୍କା ନିଆଯିବ ନାହିଁ। ବଡ଼ ଦୋକାନ କିମ୍ବା ଅଧିକ ଦୋକାନ ନେବା ପାଇଁ ଚାହିଁଲେ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ। ବିଡିଏର ଏହି ପ୍ରସ୍ତାବରେ ବ୍ୟବସାୟୀମାନେ ମଧ୍ୟ ରାଜି ହୋଇଥିଲେ। ବିଡିଏ ଏହା ଲିଖିତ ଭାବରେ ଦେଉ ବୋଲି ସେମାନେ କହିଥିଲେ। ବ୍ୟବସାୟୀ ସଂଘ କହିବା ଅନୁସାରେ, ବିଡିଏ ଲିଖିତ ଭାବରେ ଦେଲା ନାହିଁ କି ବଜାର ମରାମତି ପାଇଁ କୌଣସି କାର୍ଯ୍ୟ ମଧ୍ୟ ଆଜି ପର୍ଯ୍ୟନ୍ତ କଲା ନାହିଁ। ବର୍ତ୍ତମାନ ସ୍ଥିତିରେ ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସର ଅବସ୍ଥା ଆହୁରି ଶୋଚନୀୟ ହେବାରେ ଲାଗିଛି। ଏଥିଯୋଗୁଁ ଅନେକ ବ୍ୟବସାୟୀ ଦୋକାନ ଛାଡ଼ିବାରେ ଲାଗିଛନ୍ତି। ଏଥିପ୍ରତି ବିଡିଏ କେବେ ଦୃଷ୍ଟି ଦେବ ଏହାକୁ ଅପେକ୍ଷା।