ଭୁଶୁଡ଼ି ପଡ଼ିବ ପ୍ରିୟଦର୍ଶିନୀ ମାର୍କେଟ୍!

ଜବରଦଖଲରେ ମାର୍କେଟ୍ ପରିସର, ଅଳିଆ ଗଦାରେ ପୂରିଛି ଉପରମହଲା

ଭୁବନେଶ୍ବର : ସବୁଆଡ଼େ ଗଦା ଗଦା ଅଳିଆ। ତଳେ ଯେତିକି ଉପରେ ସେତିକି। ପରିତ୍ୟକ୍ତ ଘରଗୁଡ଼ିକରେ ବି ଭରି ହୋଇ ରହିଛି ଅଳିଆ ଆବର୍ଜନା। ବର୍ଷ ବର୍ଷ ଧରି ମାର୍କେଟ୍ ପରିସର ଓ କମ୍ପ୍ଲେକ୍ସ ଭିତରୁ ଆବର୍ଜନା ଉଠୁନଥିବାରୁ ଏଭଳି ଆବର୍ଜନାମୟ ପରିବେଶ ସୃଷ୍ଟି ହୋଇଛି। ଫଳରେ ମାର୍କେଟ୍‌କୁ ଯିଏ ଆସୁଛି, ସେ ନାକ ଟେକୁଛି। ତେବେ ବଡ଼ ସମସ୍ୟା ହେଉଛି ବିଲ୍‌ଡିଂର ଦୁର୍ବଳସ୍ଥିତି। ୧୯୮୭ ମସିହାରୁ ନିର୍ମାଣ ହୋଇଥିବା ଏହି କମ୍ପ୍ଲେକ୍ସ ଥରୁଟିଏ ବି ମରାମତି ହୋଇନାହିଁ। କାନ୍ଥରେ ହାତ ମାରିଦେଲେ ପ୍ଲାଷ୍ଟର୍ ଖସି ପଡ଼ୁଛି। ଛାତର ବହୁ ସ୍ଥାନରେ ରଡ୍ ଦେଖାଗଲାଣି। ମୋଟାମୋଟିଭାବେ ସଂପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ରାଜଧାନୀର ପ୍ରମୁଖ ମାର୍କେଟ୍‌ କଂପ୍ଲେକ୍ସ ପ୍ରିୟଦର୍ଶିନୀ ମାର୍କେଟ୍‌ ବିଲ୍ଡିଂ। ଖାସ୍‌ ଏହି କାରଣରୁ ଏଠାକୁ ଗ୍ରାହକମାନେ ଆସିବା ବନ୍ଦ କଲେଣି ଓ ବେପାର ମାନ୍ଦା ହେବାରେ ଲାଗିଛି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ବ୍ୟବସାୟୀ ଏଠାରେ ଦୋକାନ ବନ୍ଦ କରିଦେଇଛନ୍ତି। ସେହିଭଳି ଅଗ୍ନି ନିରାପତ୍ତା ବ୍ୟବସ୍ଥା କଥା ମଧ୍ୟ ନ କହିବା ଭଲ। ସୌଭାଗ୍ୟକୁ କେବେ ଏହି ମାର୍କେଟ୍‌ର ବଡ଼ ଧରଣର ଅଗ୍ନିକାଣ୍ଡ ହୋଇନାହିଁ। କିନ୍ତୁ ୨୦୦୯ ମସିହାରେ ଏକ ଇଲେକ୍ଟ୍ରିକ୍ ଦୋକାନରେ ନିଆଁ ଲାଗିଯିବାରୁ ନିକଟସ୍ଥ କିଛି ବ୍ୟବସାୟୀମାନଙ୍କର ବିପୁଳ କ୍ଷତି ହୋଇଥିଲା।

ଲିଫ୍ଟ ଅଚଳ
ମାର୍କେଟ୍‌ରେ ଲୋକଙ୍କ ସୁବିଧା ପାଇଁ ବିଡିଏ ପକ୍ଷରୁ ଲିଫ୍ଟ ବ୍ୟବସ୍ଥା କରାଯାଇଥିଲା। ମାତ୍ର କାର୍ଯ୍ୟକ୍ଷମ ହେବାର ୩ ଦିନ ପରେ ଏହା ଅଚଳ ହୋଇଗଲା। ପ୍ରିୟଦର୍ଶିନୀ ବଜାର ବ୍ୟବସାୟୀ ସଂଘର ସଭାପତି ଶରତ କୁମାର ରାଉତଙ୍କ ସୂଚନାନୁସାରେ ଏ ନେଇ ଅଭିଯୋଗ କଲେ ମଧ୍ୟ ତାହା ମରାମତି କରାଯାଉନାହିଁ। ମାର୍କେଟ୍‌ର ଉଜୁଡ଼ା ଭିତ୍ତିଭୂମିକୁ ନେଇ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଡିଏ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରାଗଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସଭାପତି ଶ୍ରୀ ରାଉତ କହିଛନ୍ତି।

କମ୍ପ୍ଲେକ୍ସର ଉପର ମହଲାରେ ଜମୁଛି ନିଶାଡ଼ିଙ୍କ ଆଡ଼ା
ବ୍ୟାବସାୟିକ ଦୋକାନ, ପିଣ୍ଡି, ଅଫିସ୍ ଘର, ରେଷ୍ଟୁରାଣ୍ଟ୍ ମିଶି ସର୍ବମୋଟ ୨୫୯ଟି ଘର ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସରେ ରହିଛି। ପ୍ରଥମ ବିଲ୍‌ଡିଂରେ ଥିବା ଉପରେ ଥିବା ପ୍ରାୟ ୩ଟି ଅଫିସ୍ ଘର କେହି କିଣୁନାହାନ୍ତି। ଫଳରେ ଉକ୍ତ ଅଫିସ୍ ଘର ଗୁଡ଼ିକ ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ତେଣୁ ନିଶାଡ଼ିମାନଙ୍କ ପାଇଁ ଏହି ଘର ସବୁ ଭୂସ୍ବର୍ଗ ପାଲଟିଛି। ସେଠାରେ ଗଦାଗଦା ମଦ ବୋତଲ ପଡ଼ି ରହିଛି। ସେହିଭଳି କମ୍ପ୍ଲେକ୍ସର ଯାବତୀୟ ଅଳିଆ ସବୁ ଏହି ଘର ଗୁଡ଼ିକରେ ଭର୍ତ୍ତି ହୋଇରହିଛି। ଏ ନେଇ ମାର୍କେଟ୍‌ର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ବଡ଼ୁଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ଏହି ସମସ୍ୟାକୁ ନେଇ ବିଡିଏ ଅବଗତ ଅଛି। ନିକଟରେ ନୂଆ ପାଣି ପମ୍ପ୍ ଲଗାଯାଇଛି। ମାର୍କେଟ୍‌ର ପାଚେରି ଭାଙ୍ଗି ଘରୋଇ ଜମିକୁ ରାସ୍ତା ନେଇଥିବା ଲୋକ ବିରୋଧରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ। ତେବେ ମାର୍କେଟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା କୋଠାର ସ୍ଥିତି ପୂରା ଦୁର୍ବଳ ହୋଇଯାଇଛି। ଖୁବ୍‌ ଶୀଘ୍ର ଏହାକୁ ଭଙ୍ଗାଯାଇ ନୂଆ କୋଠା ତିଆରି କରାଯିବା ଯୋଜନା ରହିଛି ବୋଲି ସେ କହିଛନ୍ତି।

ଜବରଦଖଲରେ ମାର୍କେଟ୍ ପରିସର
ମାର୍କେଟ୍‌ର ପାର୍କିଂ ଜାଗା ଓ ଗାଡ଼ି ଯିବା ଆସିବ ପାଇଁ ଥିବା ରାସ୍ତାରେ ବହୁ ଦୋକାନୀ ଜବରଦଖଲ କରିଛନ୍ତି। ବିଏମ୍‌ସି ବହୁଥର ଉଚ୍ଛେଦ କରିଥିଲେ ମଧ୍ୟ ସେମାନେ କିଛି ଅସାମାଜିକ ତତ୍ତ୍ବଙ୍କ ବଳରେ ପୁଣି କବ୍‌ଜା କରୁଛନ୍ତି। କିଛି ସ୍ଥାନୀୟ ଦାଦା ସେମାନଙ୍କୁ ସହଯୋଗ କରୁଛନ୍ତି। ଏହି ଅସାମାଜିକ ତତ୍ତ୍ବମାନେ ଏହି ଦୋକାନଗୁଡ଼ିକରୁ ବଟି ନେଉଛନ୍ତି ବା ଭଡ଼ାରେ ଲଗାଇଛନ୍ତି। ଛୋଟ ବ୍ୟବସାୟୀମାନେ ବଟି ଆକାରରେ ମାସିକ ୧୦ ହଜାର ଟଙ୍କା ଦେଉଥିବାବେଳେ ଫାଷ୍ଟଫୁଡ୍ ଓ ଅନ୍ୟାନ୍ୟ ବଡ଼ ଦୋକାନୀମାନେ ମାସିକ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବଟି ଦେଉଛନ୍ତି। ମାର୍କେଟ୍‌ରୁ ଦୋକାନ ଘର କିଣିବାକୁ ସମ୍ବଳ ନଥିବାରୁ ସେମାନେ ବାଧ୍ୟ ହୋଇ ବେପାର କରିବା ପାଇଁ ବଟି ଦେଉଛନ୍ତି। ସେହିଭଳି କମ୍ପ୍ଲେକ୍ସ ଭିତରେ ଥିବା ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ଦୋକାନକୁ ଆଗକୁ ବଢ଼ାଇ ରାସ୍ତା ଜବରଦଖଲ କରିଛନ୍ତି। ନିଜ ନିଜ ସୁବିଧା ଅନୁସାରେ କମ୍ପ୍ଲେକ୍ସର କାନ୍ଥ ଭାଙ୍ଗି ଘର ବଢ଼ାଇଛନ୍ତି। ମାତ୍ର ବିଡିଏ ଅଧିକାରୀମାନେ ଦିନେ ହେଲେ ତଦାରଖ କରୁନାହାନ୍ତି। ଗତ କିଛି ଦିନ ତଳେ ମାର୍କେଟ୍‌ର ପଛ ପଟେ ଥିବା ଏକ ଘରୋଇ ଜମିକୁ ରାସ୍ତା କରିବା ପାଇଁ ଜଣେ ବିଲ୍‌ଡର୍ କମ୍ପ୍ଲେକ୍ସର ଗେଟ୍ ସମେତ ପାଚେରି ଭାଙ୍ଗି ଦେଇଛି। ହେଲେ ବିଡିଏ ସବୁ ଦେଖି ନଦେଖିବାର ଅଭିନୟ କରି ଚୁପ୍ ବସିଛି।

ସମ୍ବନ୍ଧିତ ଖବର