ଚିଭେନିଂ ବୃତ୍ତି ପାଇଲେ ପ୍ରିୟଦର୍ଶିନୀ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରିୟଦର୍ଶିନୀ ତ୍ରିପାଠୀ। ବ୍ରହ୍ମପୁରସସ୍ଥିତ ଏମ୍‌କେସିଜି ମେଡିକାଲ କଲେଜରୁ ୨୦୧୪ରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିଲେ। ଏହାପରେ ୨୦୧୫ରେ ଏସ୍‌ସିବି ମେଡିକାଲ କଲେଜରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିବା ବେଳେ ଚଳିତବର୍ଷ ବ୍ରିଟିସ୍‌ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଚିଭେନିଂ ସ୍କଲାରସିପ୍‌(ବୃତ୍ତି) ହାସଲ କରିଛନ୍ତି। ଚଳିତବର୍ଷ ଓଡ଼ିଶା ଜୋନ୍‌ରୁ ଏକମାତ୍ର ଛାତ୍ରୀ ଭାବେ ସଫଳତା ହାସଲ କରିବା ପରେ ତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର।

ଚିଭେନିଂ ବୃତ୍ତି କ’ଣ?
ବ୍ରିଟିସ୍‌ ସରକାରଙ୍କ ପକ୍ଷରୁ ଏହି ବୃତ୍ତି ପ୍ରଦାନ କରାଯାଏ। ପ୍ରତିବର୍ଷ ବିଶ୍ୱରୁ ୬୫ ହଜାର ଛାତ୍ରଛାତ୍ରୀ ଆବେଦନ କରିଥାନ୍ତି। ୫ ହଜାର ଜଣଙ୍କୁ ପରୀକ୍ଷା ପାଇଁ ଡକାଯାଉଥିବା ବେଳେ ପ୍ରାୟ ୧୫୦୦ ଜଣଙ୍କୁ ବୃତ୍ତି ମିଳେ। ଭାରତରୁ ପ୍ରତିବର୍ଷ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇବାକୁ ଯୋଗ୍ୟତା ଅର୍ଜନ କରିଥାନ୍ତି। ଏହି ବୃତ୍ତି ପାଇବା ପରେ ବ୍ରିଟେନ୍‌ରେ ଛାତ୍ରଛାତ୍ରୀଙ୍କ ରହିବା, ଟିଉସନ୍‌ ଫି’, ଟ୍ରାଭେଲ୍‌, ଭିସା ଖର୍ଚ୍ଚ ଆଦି ବ୍ରିଟିସ୍‌ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଏ। ପିଲାଙ୍କୁ ଶିକ୍ଷା ଦେବା ସହ ଦକ୍ଷତା ବିକାଶ ତାଲିମ, ବିଭିନ୍ନ ବର୍ଗର ବ୍ୟକ୍ତିବିଶଷଙ୍କ ସହ ଆଲୋଚନା, ଜ୍ଞାନ ବୃଦ୍ଧି ପାଇଥାଏ। ସେଠାରେ ଗୋଟିଏ ବର୍ଷ ଧରି ତାଲିମ ନେବା ପରେ ଛାତ୍ରଛାତ୍ରୀ ନିଜ ଦେଶକୁ ଆସି କିଛି କରିପାରିବେ।

ବୃତ୍ତି ପାଇବାର ଯୋଗ୍ୟତା କ’ଣ? ଯେଉଁ ଓଡ଼ିଆ ପିଲା ଆବେଦନ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ କ’ଣ କହିବେ?
ଯେଉଁମାନେ ଆବେଦନ କରିବେ ସେମାନେ ବ୍ରିଟେନ୍‌ର ଯେକୌଣସି ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ଫର୍ମ ପୂରଣ କରିଥିବେ। ଉକ୍ତ ଫର୍ମ ସେଠାକାର ବିଶ୍ୱବିଦ୍ୟାଳୟ ଗ୍ର୍ରହଣ କରିଥିବା ଆବଶ୍ୟକ। ପିଲାଙ୍କୁ ଅଫର୍‌ ଲେଟର ମିଳିଥିବା ଆବଶ୍ୟକ। ଏଥିସହ ଛାତ୍ର କିମ୍ବା ଛାତ୍ରୀ ଯେକୌଣସି କ୍ଷେତ୍ରରେ ଦୁଇ ବର୍ଷ ତଥା ୨୮୦୦ ଘଣ୍ଟା କାର୍ଯ୍ୟ କରିଥିବା ନିତ୍ୟାନ୍ତ ଦରକାର। ଏଭଳି ଯୋଗ୍ୟତା ଥିଲେ ଜଣେ ଆବେଦନ କରିପାରିବେ। ଗତ ଅଗଷ୍ଟ ୬ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯୋଗ୍ୟତା ଥିବା ଓଡ଼ିଆ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ନଭେମ୍ବର ୬ ଶେଷ ତାରିଖ ରହିଛି।

ଚିଭେନିଂ ବୃତ୍ତି ପାଇଁ କାହିଁକି ଆଗ୍ରହ ପ୍ରକାଶ କଲେ?
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାଙ୍କ ପାଇଁ ଏକାଧିକ ଯୋଜନା ହୋଇଥିଲେ ମଧ୍ୟ ପ୍ରତିବର୍ଷ ଦେଶରେ ପ୍ର୍ରାୟ ୫୦ ହଜାର ମହିଳାଙ୍କ ମୃତ୍ୟୁ ହେଉଛି। ସେଥିପାଇଁ ଚିକିତ୍ସା ଉପରେ ଅଧିକ ଗବେଷଣା କରିବାକୁ ଅକ୍ସଫୋର୍ଡ ବିଶ୍ୱବିିଦ୍ୟାଳୟରେ ଆବେଦନ କରିଥିଲି। ସଫଳତା ମିଳିବା ପରେ ଅର୍ଥ ପ୍ରତିବନ୍ଧକ ସାଜିଥିଲା। ସେତେବେଳେ ଚିଭେନିଂ ବୃତ୍ତି ବିଷୟରେ ଜାଣିବାକୁ ପାଇଥିଲି। ୨୦୧୭ରେ ଆବେଦନ କରିଥିଲି। ଗତ ମାର୍ଚ୍ଚ ୬ରେ ଇଣ୍ଟରଭ୍ୟୁ ଦେବା ପରେ ଜୁନ୍‌ ୬ରେ ରେଜଲ୍ଟ ବାହାରିଛି। ବୃତ୍ତି ପାଇବାକୁ ଯୋଗ୍ୟତା ହାସଲ କରିଛି।

ଭବିଷ୍ୟତରେ ଆପଣଙ୍କ ଲକ୍ଷ୍ୟ କ’ଣ?
ଚିଭେନିଂ ବୃତ୍ତିରେ ଗୋଟିଏ ବର୍ଷ ଶିକ୍ଷା ଗ୍ରହଣ ପରେ ଓଡ଼ିଶା ଫେରିବି। ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଆସାମ, ମେଘାଳୟ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର ୧୫ଟି ହସ୍ପିଟାଲରେ କାର୍ଯ୍ୟକାରୀ ହେଉଥିବା ‘ମାଟ୍‌ହରି’(ମାଟେରନାଲ ଆଣ୍ଡ ପେରିନାଟାଲ ହେଲଥ୍‌ ରିସର୍ଚ୍ଚ କୋଲାବରେସନ୍‌, ଇଣ୍ଡିଆ) କିଭଳି ଓଡ଼ିଶାକୁ ଅଣାଯାଇପାରିବ ସେ ଦିଗରେ ପ୍ରାଥମିକତା ଦେବି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର