ସୋସିଆଲ୍‌ ମିଡିଆରେ ରୂପ ବଦଳାଇ ଠକିବା ଘଟଣା: ଖୋଲୁଛି ପ୍ରିୟଙ୍କାର ଠକେଇ ଗୁମର

ରିମାଣ୍ଡରେ ଆଣି ପଚରାଉଚରା କରିବ ପୁଲିସ
ଆସିଲାଣି ଆଉ ୪ ନୂଆ ଠକେଇ ଅଭିଯୋଗ

ଭୁବନେଶ୍ବର : ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌ରେ ଭିନ୍ନଭିନ୍ନ ଆକାଉଣ୍ଟ ଖୋଲି ନିଜର ରୂପ ଓ ପରିଚୟ ବଦଳାଇ ପ୍ରଥମେ ଲୋକଙ୍କୁ ଜାଲରେ ଫସାଉଥିବା ଏବଂ ପରେ ଲକ୍ଷଲକ୍ଷ ଟଙ୍କାର ଚୂନ ଲଗାଉଥିବା ଠକେଇ ରୢାକେଟ୍‌ର ମାଷ୍ଟରମାଇଣ୍ଡ ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡ଼ାର ଗୁମର ଖୋଲିବାରେ ଲାଗିଛି। ଶୁକ୍ରବାର ସହିଦନଗର ଥାନା ପୁଲିସ ପ୍ରିୟଙ୍କାକୁ ଗିରଫ କରିବା ଖବର ଲୋକଙ୍କ ପାଖରେ ପହଞ୍ଚିବା ପରେ ତା’ ବିରୋଧରେ ଏଭଳି ଆହୁରି ଏକାଧିକ ଅଭିଯୋଗ ଆସିବାରେ ଲାଗିଛି। ଆଜି ପ୍ରିୟଙ୍କ‌ା ନାଁରେ ନୂଆ ୪ଟି ମାମଲା ରୁଜୁ ‌‌ହୋଇଛି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ କେବଳ କଟକ କିମ୍ବା ଭୁବନେଶ୍ବର ନୁହେଁ; ପ୍ରିୟଙ୍କା ସୋସିଆଲ୍‌ ମିଡିଆ ଜରିଆରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଯୁବକଙ୍କୁ ସହଜରେ ନିଜ ପାଲରେ ପକାଉଥିଲା। କାହାକୁ ଚାକିରି ତ କାହାକୁ ସିନେମାରେ ଅଭିନୟ ପାଇଁ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ସେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲା। ତାଙ୍କ ବିରୋଧରେ ଏଭଳି ଅଭିଯୋଗ ବଢ଼ୁଥିବାବେଳେ ଏଥିରେ ଏକ ବଡ଼ ଧରଣର ରୢାକେଟ୍ ସାମିଲ୍‌ ଥିବା ପୁଲିସ ସନ୍ଦେହ କରୁଛି। ତେଣୁ ଏହି ରହସ୍ୟ ଉପରୁ ପର୍ଦ୍ଦା ଉନ୍ମୋଚନ ପାଇଁ ପ୍ରିୟଙ୍କାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି। ଆସନ୍ତା ସୋମବାର ଦିନ କମିସନରେଟ୍‌ ପୁଲିସ ପ୍ରିୟଙ୍କାଙ୍କ ୩ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଯାଞ୍ଚ ହେବ ମୋବାଇଲ୍‌ ଓ ବ୍ୟାଙ୍କ୍ ଆକାଉଣ୍ଟ
ପ୍ରିୟଙ୍କା କେଉଁମାନଙ୍କ ସହ ଅଧିକ କଥା ହେଉଥିଲା? ତାଙ୍କୁ କେଉଁମାନ‌େ କଲ୍‌ କରୁଥିଲେ? ଆଜି ପର୍ଯ୍ୟନ୍ତ ସେ କେତେ ଟଙ୍କାର ଠକେଇ କରିଛି? ଏସବୁ ପ୍ରଶ୍ନର ଉତ୍ତର ପାଇବା ଲାଗି ପୁଲିସ ପ୍ରିୟଙ୍କାର ମୋବାଇଲ୍‌ ଓ ସଂଲଗ୍ନ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ଯାଞ୍ଚ କରିବ। ଏହାଛଡ଼ା ସେ ରାଜଧାନୀରେ ହୋଟେଲ୍‌ରେ ରହୁଥିବା ସମୟରେ କେଉଁମାନେ ତା’ ପାଖକୁ ଆସୁଥିଲେ ଜାଣିବା ଲାଗି ପୁଲିସ ଛାନ୍‌ଭିନ୍ କରିବ ବୋଲି ଜଣାପଡ଼ିଛି।

ଟଙ୍କା ଫେରସ୍ତ ମାଗିଲେ ଧମକାଉଥିଲା
ପ୍ରିୟଙ୍କା ବିଭିନ୍ନ ଆଳ ଦେଖାଇ ଲୋକଙ୍କଠାରୁ ସହଜରେ ଲକ୍ଷଲକ୍ଷ ଟଙ୍କା ନେଇଯାଉଥିଲା। ଆଉ ଟଙ୍କା ଦେଇଥିବା ବ୍ୟକ୍ତି ଫେରସ୍ତ ମାଗିଲେ ସେ ତାଙ୍କୁ ଧମକଚମକ ଦେଉଥିଲା। ‌କାହାକୁ ହତ୍ୟା ଧମକ ଦେଉଥିଲା ତ କାହାକୁ ଦୁଷ୍କର୍ମର ସଂଗିନ ଦଫା ଲଗାଇ ଜେଲ୍‌ର ଭୟ ଦେଖାଉଥିଲା। ତେଣୁ ଲୋକଲଜ୍ଜା କାରଣରୁ ପ୍ରିୟଙ୍କା ବିରୋଧରେ କେହି ମୁହଁ ଫିଟାଉ ନଥିଲେ କି ଥାନାରେ ଅଭିଯୋଗ କରୁନଥିଲେ।

ଏନଜିଓ ନାଁରେ ଋଣ କରାଇଦେବାକୁ କହି ଠକୁଥିଲା
ପ୍ରିୟଙ୍କା ନିଜ ଅଞ୍ଚଳ ବାଲୁଗାଁରେ ବି ଲୋକଙ୍କୁ ଠକୁଥିଲା। କିଛି ବର୍ଷ ତଳେ ସେ ଏକ ନକଲି ଏନଜିଓ ନାଁରେ ଲୋକଙ୍କୁ କମ୍‌ ସୁଧରେ ଋଣ କରାଇଦେବ କହି କାହାଠାରୁ ୧୦ ହଜାର ତ ପୁଣି କାହାଠୁ ୨୦ହଜାର ଏମିତି ଲକ୍ଷାଧିକ ଟଙ୍କା ନେଇଯାଇଥିଲା। ହେଲେ ଋଣ ନ ହେବାରୁ ଲୋକେ ଯେତେବେଳେ ଟଙ୍କା ଫେରାଇବାକୁ କହିଥିଲେ, ସେ ରାତାରାତି ଗାଁ ଛାଡି ଭୁବନେଶ୍ୱର ଚାଲି ଆସିଥିଲା। ଆଉ ଏଠି ଭିନ୍ନ ଉପାୟରେ ଲୋକଙ୍କୁ ଠକିବା ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର