ନିର୍ଜୀବକୁ ଜୀବନ ଦେଉଛି ପ୍ରିୟଙ୍କାଙ୍କ ରଙ୍ଗତୂଳୀ

ଓଡ଼ିଶା ଐତିହ୍ୟକୁ ତୂଳୀରେ ଉତ୍ତାରିବାର ଲକ୍ଷ୍ୟ

ଭୁବନେଶ୍ବର : ଅଣ୍ଡା ବି ସାଜିପାରେ ଘରସଜ୍ଜା ସାମଗ୍ରୀ। ଅବ୍ୟବହୃତ ସିଡି ବି ବଢ଼ାଇପାରେ ଡ୍ରଇଂ ରୁମ୍‌ର ସୌନ୍ଦର୍ଯ୍ୟ। ଏମିତି ଅନେକ ବୋତଲ, ନଡ଼ିଆ କତା, ବେଲୁନ, ମାଟି ପାତ୍ର, ପୁରୁଣା କପଡ଼ା, ଦୀପ ଓ ବର୍ଜ୍ୟବସ୍ତୁକୁ ନିଜ ରଙ୍ଗତୂଳୀରେ ତଥା ସୃଜନ ଶକ୍ତିରେ ଜୀବନ୍ତ ରୂପ ଦେଇଛନ୍ତି ୨୬ବର୍ଷୀୟ ପ୍ରିୟଙ୍କା ସାହାଣୀ। ପେସାରେ ଜଣେ ସଫ୍ଟୱେୟାର ଇଂଜିନିୟର। କିନ୍ତୁ ଚିତ୍ର ଆଙ୍କିବାର ନିଶା ତାଙ୍କୁ ନିର୍ଜୀବ ଦେହରେ ବି ଜୀବନ ଢାଳିବାର କଳାରେ ନିପୁଣ କରିଛି। ଦୃଢ଼ ଇଚ୍ଛାଶକ୍ତି ବଳରେ ସବୁ ସମ୍ଭବ; ଏହା ପ୍ରମାଣ କରି ଦେଖାଇଛନ୍ତି ପ୍ରିୟଙ୍କା। ବଟଲ ଆର୍ଟ, ସିଡି ଆର୍ଟ, ମଣ୍ଡଳ ଆର୍ଟ, ପଞ୍ଚଗିନି ଆର୍ଟ, ଜିଆଣ୍ଟ୍‌ ମଣ୍ଡଳ ଆର୍ଟ, ପୋଟ୍ରେଟ୍ ମଣ୍ଡଳ ଆର୍ଟ, କଫି ଆର୍ଟ, କାଲିଗ୍ରାଫ୍ ଲେଟର ଆର୍ଟ, ଅବଷ୍ଟ୍ରାକ୍ଟ୍‌ ଆର୍ଟ, ନଡ଼ିଆ ଖୋଳ ଆର୍ଟ, ଟେରାକୋଟା ଆର୍ଟ, ବେଲୁନ ମଣ୍ଡଳ ଆର୍ଟ, ଫେସ୍ ପେଣ୍ଟିଂ, ଏଗ୍‌ ଆର୍ଟ, ମଧୁବନୀ ଆର୍ଟ, ରିଅଲିଷ୍ଟିକ୍ ଆର୍ଟ, ଫାବ୍ରିକ୍ ଆର୍ଟ ଓ ଦୀପ ଆର୍ଟ ପରି ଅନେକ ବସ୍ତୁରେ ଚିତ୍ର ଆଙ୍କି ଜୀବନ୍ତ ରୂପ ଦେଇ ପାରିଛନ୍ତି ପ୍ରିୟଙ୍କା। ଏମିତି ନିଆରା ପ୍ରତିଭା ଓଡ଼ିଶା ସମେତ ରାଜ୍ୟ ବାହାରେ ବି ତାଙ୍କୁ ସୁନାମ ଦେଇଛି। ଅନ୍‌ଲାଇନ୍‌ରେ ସେ ଏସବୁ ଆର୍ଟ ବିକ୍ରି କରୁଥିବା ବେଳେ ବେଙ୍ଗାଲୁରୁ, ଦିଲ୍ଲୀ ଓ ମୁମ୍ବାଇ ଆଦି ସ୍ଥାନରୁ ତାଙ୍କ ଚିତ୍ରକଳା ପାଇଁ ବରାଦ ଆସେ ବୋଲି ସେ କହିଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ପ୍ରିୟଙ୍କା ସାହାଣୀଙ୍କ ଘର। ବର୍ତ୍ତମାନ ସେ ଭୁବନେଶ୍ବର ବମିଖାଲରେ ରହୁଛନ୍ତି। ପିଲା ଦିନୁ ନିଜ ପିତା ସ୍ବର୍ଗତ ବିବେକାନନ୍ଦ ସାହାଣୀଙ୍କଠାରୁ ଚିତ୍ର ଅଙ୍କା ଶିଖିଛନ୍ତି ପ୍ରିୟଙ୍କା। ବାପାଙ୍କର ହଠାତ୍‌ ବିୟୋଗ ପରେ ସେ ଭାଙ୍ଗି ପଡ଼ିଥିଲେ। ଚିତ୍ର ଆଙ୍କିବା ଛାଡ଼ି ଦେଇଥିଲେ। କିନ୍ତୁ ଗତବର୍ଷ ଲକ୍‌ଡାଉନ୍‌ ପରଠାରୁ ପୁଣି ସେ ଚିତ୍ର ଅଙ୍କାରେ ମନୋନିବେଶ କରିଛନ୍ତି। ଯେଉଁଠି ଯାହା ହାତରେ ପଡ଼ିଲା, ସେଠି ଚିତ୍ର ଆଙ୍କିବା ଆରମ୍ଭ କରି ଦିଅନ୍ତି। କୌଣସି ରେକର୍ଡ କିମ୍ବା ପ୍ରଚାରପ୍ରସାର ପାଇଁ ନୁହେଁ; ବାପାଙ୍କ ସ୍ମୃତିରେ ସମୟର ସଦୁ‌ପୋଯୋଗ କରିବା ଏବଂ ବାପାଙ୍କଠାରୁ ଶିକ୍ଷା ଗ୍ରହଣ କରିଥିବା ଚିତ୍ରକଳାକୁ ନେଇ ଆତ୍ମସନ୍ତୋଷ ଲାଭ କରିବା ତାଙ୍କର ଉଦ୍ଦେଶ୍ୟ। ମାତ୍ର ବର୍ଷେ ଭିତରେ ସେ ଅନ୍‌ଲାଇନ୍‌ରେ ନିଜର ୧୪ରୁ ୧୫ଟି ମଣ୍ଡଳ ଆର୍ଟ ବିକ୍ରି କରିସାରିଥିବା ବେଳେ ଏବେ ବି ବାହାରୁ ବହୁ ବରାଦ୍‌ ଆସୁଛି। ତାଙ୍କର ଗୋଟିଏ ଗୋଟିଏ ବଡ଼ ମଣ୍ଡଳର ଦାମ୍‌ ୩୫ ଶହରୁ ୪ହଜାର ଟଙ୍କା ପର୍ଯ୍ୟନ୍ତ ରହୁଥିବା ବେଳେ ଛୋଟ ମଣ୍ଡଳର ଦାମ୍‌ ୧୦୦୦ରୁ ୧୨ ଶହ ଯଙ୍କା ପର୍ଯ୍ୟନ୍ତ ରହିଛି। ଓଡ଼ିଶାର ଐତିହ୍ୟ, ପରମ୍ପରା, ବିଭିନ୍ନ ମନ୍ଦିର, ବଡ଼ ବଡ଼ କଳାକାର, ରାଜନେତା ଓ ସାମ୍ବାଦିକମାନଙ୍କୁ ନେଇ ପ୍ରାୟ ୧୫ ଫୁଟ୍‌ର ଏକ ବିଶାଳ ମଣ୍ଡଳ ଆଙ୍କିବା ତାଙ୍କର ଲକ୍ଷ୍ୟ ରହିଛି।

ପ୍ରିୟଙ୍କା କହିଛନ୍ତି, ବିଶ୍ବ ଦରବାରରେ ମୁଁ ନିଜ ପ୍ରତିଭା ଦେଖାଇବାକୁ ଆଗ୍ରହ ରଖିଛି। ସେଥିପାଇଁ ଅର୍ଥ, ସ୍ଥାନ ଓ ସହଯୋଗ ଆବଶ୍ୟକ। ଏହି ୧୫ଫୁଟିଆ ମଣ୍ଡଳ କରିବା ପାଇଁ ୨ଲକ୍ଷରୁ ଅଧିକ ଟଙ୍କା ଦରକାର। ସେ କହିଛନ୍ତି, ଯଦି ସରକାର ତାଙ୍କୁ ସହଯୋଗ କରନ୍ତେ, ତେବେ ସେ କେବଳ ମଣ୍ଡଳ ଆର୍ଟ ନୁହେଁ, ରଙ୍ଗୋଲି ଓ ୩-ଡି ଆର୍ଟ କରି ମଧ୍ୟ ଓଡ଼ିଶାର ପ୍ରଥମ ରଙ୍ଗୋଲି ଆର୍ଟିଷ୍ଟ ଭାବରେ ପରିଚିତ ହୁଅନ୍ତେ।

ସମ୍ବନ୍ଧିତ ଖବର