ଖଣ୍ଡଗିରି ଅଞ୍ଚଳରେ ବନ୍ଦ ବେଳେ ଉତ୍ତେଜନା

ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାରେ ଖଣ୍ଡଗିରି ଛକରେ ବିଜେପି କର୍ମୀମାନେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ବିଜେପି ଖଣ୍ଡଗିରି ମଣ୍ଡଳ ପକ୍ଷରୁ ଶତାଧିକ କର୍ମୀ ସାଢ଼େ ୭ଟାରୁ ପ୍ରାୟ ସାଢ଼େ ୧୧ଟା ପର୍ଯ୍ୟନ୍ତ ହରତାଳ କରିବା ସହ କୌଣସି ଗାଡ଼ିକୁ ଛାଡ଼ିବାକୁ ଦେଇନଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ମଧ୍ୟାହ୍ନ ପୂର୍ବରୁ କର୍ମୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ତେଣୁ ଗାଡ଼ି ଚଳାଚଳ ସହ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଦୋକାନ ବଜାର ମଧ୍ୟ ଖୋଲା ରହିଥିଲା। ଖଣ୍ଡଗିରି ମଣ୍ଡଳ ପ୍ରଭାରୀ ଅଜୟ ସାହୁ, ସଭାପତି ଅଜୟ ଜେନା, ସାଧାରଣ ସମ୍ପାଦିକା ଲକ୍ଷ୍ମୀପ୍ରିୟା ମିଶ୍ର, ଦିଲ୍ଲୀପ ମହାପାତ୍ର, ଜ୍ଞାନରଂଜନ ସ୍ୱାଇଁ, ଚିତ୍ରସେନ ପ୍ରଧାନ, ରାମ ରଣସିଂହ, ଇଦିଶ ଭୂୟାଁ, ଶିଶିର ସେନାପତି, ମନୋଜ ସାହୁ, ଭୀମ, କମିର କମଲ, ଗଦାଧର ସୁନ୍ଦରାୟ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ହରତାଳ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିବା ବେଳେ ଫାୟାର ଷ୍ଟେସନ୍‌ ଛକରେ ଶିବପ୍ରସାଦ ସ୍ୱାଇଁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ଶୂନ୍‌ଶାନ୍‌

ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ଆଜି ବିଲ୍କୁଲ୍‌ ଶୂନଶାନ ଥିଲା। ସମସ୍ତ ବସ୍‌ ଅଟକି ରହିଥିଲା। ତେଣୁ ଯାତ୍ରୀମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବା ଛଡ଼ା ଆଉ କିଛି ଚାରା ନଥିଲା। ବସ୍‌ଷ୍ଟାଣ୍ଡ୍‌ରେ ଅଟକି ରହିଥିବା କିଛି ଯାତ୍ରୀ ତଥା ବ୍ୟକ୍ତିବିଶେଷ ଏନେଇ ନିଜର ଅସନ୍ତୋଷ ଜାହିର କରିଥିଲେ। ବସ୍‌ଷ୍ଟାଣ୍ଡ୍‌ ପରିସରରେ ଥିବା ଆହାର କେନ୍ଦ୍ର ଖୋଲିନଥିବାରୁ ଏନେଇ କିଛି ଯାତ୍ରୀ ପ୍ରତିକ୍ରିୟାଶୀଳ ହୋଇ ମନ୍ତବ୍ୟ ଦେଇଥିଲେ।

 

ପଦ୍ମ-ହାତ କଳି
ଖଣ୍ଡଗିରିରେ ପଦ୍ମ ଦଳିଆଙ୍କ ଦବଦବା ଦେଖିବାକୁ ମିଳିଥିଲା। ବହୁ ବିଜେପି କର୍ମୀଙ୍କ ସମାଗମ ଯୋଗୁଁ ଖଣ୍ଡଗିରିରେ ଟାୟାର ଜାଳି ବିଜେପିର ଜୟଜୟକାର ଦେଇଥିଲେ ବିଜେପିର ଯୁବକର୍ମୀମାନେ। ମଝିରେ କିଛି ଯୁବ କଂଗ୍ରେସ କର୍ମୀ ବାଇକ୍‌ରେ ଘୁଁ ଘାଁ କରି ପହଞ୍ଚି ଯିବା ପରେ ବିଜେପି ପକ୍ଷରୁ ଜଣେ ଯୁବ କର୍ମୀ କହିଥିଲେ, ତମେ ଏଠି କୁଆଡ଼େ? ତମ ଦଳରେ ତ କେହି ନାହାନ୍ତି, କୁଆଡ଼େ ଆସିଛ? ଏଭଳି କଟାକ୍ଷ ଶୁଣି କଂଗ୍ରେସ ସମର୍ଥକମାନେ ତାତି ଉଠିଥିଲେ। ବିଜେପିବାଲା ନିଜର ଜୟଜୟ କରୁଥିବା ବେଳେ ଜଣେ ଯୁବ କଂଗ୍ରେସ କର୍ମୀ କଂଗ୍ରେସ ଜିନ୍ଦାବାଦ ନାରା ଦେଇଥିଲେ। ଅବଶ୍ୟ କଂଗ୍ରେସକର୍ମୀଙ୍କ ସଂଖ୍ୟା କମ୍‌ ଥିବାରୁ ନାରାବାଜି ପାଣିଚିଆ ହୋଇ ଯାଇଥିଲା।
ଗୋଡ଼ରେ ଚଢ଼ିଗଲା କାର୍‌
ହରତାଳ ବେଳେ ଆଜି ବିଜେପି ଖଣ୍ଡଗିରି ମଣ୍ଡଳ ପ୍ରଭାରୀ ଅଜୟ ସାହୁଙ୍କ ଗୋଡ଼ ଉପରେ ଏକ କାର୍‌ ଚକ ଚଢ଼ି ଯାଇଥିଲା। କାର୍‌ଟି ତୁରନ୍ତ ଖଣ୍ଡଗିରି ଛକ ଦେଇ ଅତିକ୍ରମ କରୁଥିବା ବେଳେ ଏଇ ଅଘଟଣ ଘଟିଥିଲା। ବିଶେଷ କିଛି ହୋଇନଥିଲେ ହେଁ ବିଜେପି କର୍ମୀମାନେ ଏନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ। ତେବେ ଅଜୟ ନିଜେ ବୁଝାଇବାରୁ କର୍ମୀମାନେ ଥଣ୍ଡା ପଡ଼ିଥିଲେ। କିଛି କର୍ମୀ ଏମିତି ବି କହିଥିଲେ ପ୍ରତିବାଦ କରିବାରୁ ବିଜେଡିର ଗାଡ଼ି ଜାଣି ଶୁଣି ମାଡ଼ି ଆସି ଗୋଡ଼ରେ ଚଢ଼େଇ ଦେଇଥିଲା।

ସମ୍ବନ୍ଧିତ ଖବର