ବିନ୍ଦୁସାଗର ନିକଟରୁ ଉଚ୍ଛେଦ ବେଳେ ଉତ୍ତେଜନା

ପୁରୁଣା ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଚର୍ତୁପାର୍ଶ୍ବରେ ସୌନ୍ଦର୍ଯ୍ୟୀକରଣ ଆରମ୍ଭ କରିଛନ୍ତି ସରକାର। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରୁ ସାନେଟୋରିୟମ୍ ଛକ ପର୍ଯ୍ୟନ୍ତ ୬୦ଫୁଟିଆ ରାସ୍ତା କରାଯିବ। ଏହି ପରିପ୍ରେକ୍ଷୀରେ ବିନ୍ଦୁସାଗର ନିକଟ ଜମିରୁ ଉଚ୍ଛେଦ କରାଯାଇଛି। ତେବେ ହାଇକୋର୍ଟରେ ସ୍ଥଗିତାଦେଶ ଥିବା ଜମିରୁ ଉଚ୍ଛେଦ ହେବାରୁ ଆଜି ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ଏହାପରେ ଉଚ୍ଛେଦକୁ ବନ୍ଦ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲିଙ୍ଗରାଜ ମନ୍ଦିରରୁ ନୂଆ ଲିଙ୍ଗରାଜ ମାର୍କେଟ ନିକଟ ରାସ୍ତା ଦେଇ ‌୧୦ନମ୍ବର ଡ୍ରେନ୍ କଡ଼ରେ ଏକ ୬୦ଫୁଟିଆ ରାସ୍ତା ଯିବା ପାଇଁ ଆଜି ସକାଳୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦକାରୀ ଦଳ ଏକ ଜମିରେ ୩ଟି ଛାତ ଘରକୁ ବୁଲଡୋଜର ସାହାଯ୍ୟରେ ଉଚ୍ଛେଦ କରିଥିଲେ। ସେଠାରେ ଜଣେ ସେବାୟତଙ୍କ ଜମି ଥିବା ଓ ଉକ୍ତ ଜମିରେ ସ୍ଥଗିତାଦେଶ ଥିବା ସେ କହିଥିଲେ। ଜିଲ୍ଲା ସିଭିଲ ଜଜ୍‌ ସିନିୟର ଡିଭିଜନଙ୍କ କୋର୍ଟ ସ୍ଥଗିତାଦେଶ ଦେଇଥିବା କହିଥିଲେ। ଏହାପରେ ବିଏମ୍‌ସି ଓ ବିଡିଏ ପକ୍ଷରୁ ଉଚ୍ଛେଦ ଜାରି ରହିଥିଲା। କିଛି ସମୟ ପରେ ସମ୍ପୃକ୍ତ ସେବାୟତ ସ୍ଥଗିତାଦେଶ ସମ୍ପର୍କିତ କାଗଜପତ୍ର ଦେଖାଇବା ପରେ ବି ଅଧିକାରୀମାନେ ଯୁକ୍ତତର୍କ କରିଥିଲେ। ଯାହା ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉଚ୍ଛେଦ କାମ ବନ୍ଦ ହେବା ପୂର୍ବରୁ ଅଧିକାରୀମାନେ ୩ଟି ଛାତ ଘରକୁ ଭାଙ୍ଗି ଦେଇଥିଲେ। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୨ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଉଚ୍ଛେଦରେ ବିଏମ୍‌ସି, ବିଡିଏ ଓ ପୁଲିସ ଫୋର୍ସ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର