ଡ୍ରେନ୍‌ ନିର୍ମାଣ ଅଧପନ୍ତରିଆ ବଢ଼ୁଛି ଅସନ୍ତୋଷ

ବାଲିଅନ୍ତା: ଭୁବନେଶ୍ବର-ବନମାଳିପୁର ମୁଖ୍ୟ ରାସ୍ତାର ବାଳକାଟି ବଜାରରେ ଏବେ ବର୍ଷାପାଣି ନିଷ୍କାସନ ସମସ୍ୟା ଉତ୍କଟ ହୋଇଛି। ବାଲିଅନ୍ତା ବ୍ଲକ ଅଧୀନ ବାଳକାଟି ବଜାର, ସାପ୍ତାହିକ ହାଟ ଓ ବଜାର ସଂଲଗ୍ନ ଗ୍ରାମରୁ ବର୍ଷା ପାଣି ନିଷ୍କାସନ ପାଇଁ ଆରମ୍ଭ ହୋଇଥିବା ଡ୍ରେନ୍‌ ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବାରୁ ଏଭଳି ସମସ୍ୟା ଉପୁଜିଛି। ଏହା ମଧ୍ୟରେ ଦୀର୍ଘ ୧ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରି ନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି।

ଏବେ ବର୍ଷା ଦିନ ଆସି ଯାଇଥିବାରୁ ବଜାରରେ ବର୍ଷାପାଣି ନିଷ୍କାସନ ସମସ୍ୟା ଅଧିକ ଜଟିଳ ହୋଇପଡ଼ିଛି। ଦୁଇଦିନ ହେଲା ବର୍ଷା ଲାଗି ରହିଥିବାରୁ ଦୋକାନ ଭିତରକୁ ପାଣି ପଶୁଛି। ବାଳକାଟି ଫାଣ୍ଡି ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହିଛି। ଫାଣ୍ଡି କାର୍ଯ୍ୟାଳୟ ଭିତରେ ପାଣି ପଶି ଯାଇଥିବାରୁ ପୁଲିସ କର୍ମଚାରୀମାନେ ହିନସ୍ତା ହେଉଛନ୍ତି। ବସନ୍ତପେଡ଼ି, ରଙ୍ଗଣି ସାହି ବର୍ଷା ପାଣି ଘେରରେ ରହିଛି। ଲୋକମାନେ ଯାତାୟାତ କରିବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୨୦୧୮ ମାର୍ଚ୍ଚରେ ବାଳକାଟି ବଜାର ରାସ୍ତା ଓ ଡ୍ରେନ୍‌ ନିର୍ମାଣ ପାଇଁ ତତ୍କାଳୀନ ବିଧାୟକ ଶଶିଭୂଷଣ ବେହେରା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ନିର୍ମାଣ କାର୍ଯ୍ୟ ଲାଗି ବିଭିନ୍ନ ପର୍ଯ୍ୟାୟରେ କୋଟିଏ ଟଙ୍କା ମଂଜୁର ହୋଇଛି। ହେଲେ ଏହାକୁ ବର୍ଷକରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିନାହିଁ। ବାଳକାଟି ମେଡିକାଲ ଛକରୁ ପୋଷ୍ଟ ଅଫିସ୍‌ ପର୍ଯ୍ୟନ୍ତ ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ସରିଥିଲେ ହେଁ ଅନେକ ସ୍ଥାନରେ ଡ୍ରେନ୍‌ ଉପରେ ସ୍ଲାବ୍‌ ପଡ଼ି ପାରିନାହିଁ। ଫଳରେ ମୁକୁଳା ପଡ଼ିଥିବା ଡ୍ରେନ୍‌ ଭିତରେ ଗୋରୁଗାଈ ପଡ଼ି ମୃତାହତ ହେଉଛନ୍ତି। ସେଠାରୁ ପୁରୀ ମୁଖ୍ୟ କେନାଲ ଯାଏ ୨୦୦ ମିଟର ଡ୍ରେନ୍‌ ସଂଯୋଗ କାମ ବାକି ରହିଛି। ସ୍ଥାନୀୟ ଲୋକମାନେ ଏ ସଂପର୍କରେ ୧୭ନମ୍ବର ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚଙ୍କଠାରୁ ଆରମ୍ଭ କରି ପୂର୍ତ୍ତ ବିଭାଗ ସହକ‌ାରୀ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନେ କିଛି ଶୁଣୁନଥିବା ଅଭିଯୋଗ କରିଛନ୍ତି। ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତର କରିବା ନେଇ ସଂପୃକ୍ତ ବିଭାଗ ଅବହେଳା କରୁଥିବାରୁ କାମ ବିଳମ୍ବ ହେଉଥିବା ବିଭାଗୀୟ ଯନ୍ତ୍ରୀ ଓ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ କହିଛନ୍ତି। ଏ ଦିଗରେ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର