ଏଡ୍‌ସ ବୋଲି ଏତେ ହିନିମାନ

୨ହଜାର ଟଙ୍କା ମିଳୁଥିଲା, ତାକୁ ବି ବନ୍ଦ କରିଦେଲେ

ଭୁବନେଶ୍ୱର (ସତ୍ୟନାରାୟଣ ରାଉତରାୟ): ତିନି ବର୍ଷର ଝିଅ ମିନି (ଛଦ୍ମନାମ) କେମିତିବା ବୁଝିବ ତାକୁ ଏଡ୍‌ସ ହେଇଛି। ତାକୁ ବୁଝେଇବ ବା କିଏ? ସେ କ’ଣ ଜାଣିଥିଲା ତା ବାପା ଦାଦନ ଖଟିବାକୁ ଯାଇ ଓଡ଼ିଶା ବାହାରୁ ତାଙ୍କ ଗେହ୍ଲି ଝିଅ ପାଇଁ ଜନ୍ମ ହେବା ଆଗରୁ ଏମିିତି ଉପହାରଟିଏ ଆଣି ସଞ୍ଚିଥିବେ। ମେଡିସିନ୍‌ ସିନା ଖାଉଛି, କିନ୍ତୁ ମିନିର ଆଉ ଗୋଡ଼ ହାତ ଚଳୁନି। ବେଳେବେଳେ ଛଳଛଳ ଆଖିରେ ଖନେଇ ଖନେଇ ନିଜର କଷ୍ଟକୁ ବ୍ୟକ୍ତ କରୁଛି। ବାପା ମା’ ସିନା ଜାଣିଜାଣି ତା ଭିତରେ କାଳ ବ୍ୟାଧିଟାକୁ ଖଞ୍ଜିଦେଲେ। ଶେଷରେ ସରକାର ବି ଦାଉ ସାଧିଲେ। ଜଗତସିଂହପୁରରୁ ଆସି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଦୁଃଖ ଜଣେଇବା ପରେ ସରକାର ତା’ ବାପା ମାଙ୍କ ହାତରେ ୩୦ ହଜାର ଟଙ୍କା ଗୁଞ୍ଜିଦେଇ କାମ ସାରିଦେଲେ। ଏମିତି ହଜାର ହଜାର ନିଷ୍ପାପ କୋମଳମତି ମିନିମାନଙ୍କ ପାଇଁ ସରକାର ଯେମିତି ସ୍ଥାଣୁ ପାଲଟି ଯାଇଛନ୍ତି। ୨୦୧୮ ଏପ୍ରିଲ୍‌ର ସରକାରୀ ତଥ୍ୟ କହୁଛି ଏଡ୍‌ସ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା(ଜନ୍ମରୁ ୧୪ ବର୍ଷ) ୨୮୯୧। ସେମାନଙ୍କ ମଧ୍ୟରୁ ୧୫୯୮ଜଣ ପୁଅ ଏବଂ ୧୨୯୩ ଜଣ ଝିଅ। ମାତ୍ର ନା ତାଙ୍କୁ ଏ ବିଚିତ୍ର ସମାଜ ଟିକେ ସହାନୁଭୂତି ଦେଉଛି ନା ସରକାର ଆର୍ଥିକ ସମର୍ଥନ ଦେଉଛନ୍ତି। ଯାହା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ସରକାର ଏତେ ବଦାନ୍ୟ ଯେ, ମଧୁବାବୁ ପେନ୍‌ସନ୍‌ ଯୋଜନାରେ ମାସକୁ ୩୦୦ ଟଙ୍କା ଧରେଇ ଦେଇ କାମ ସାରିଦେଉଛନ୍ତି। ଯେମିତି ସରକାରଙ୍କ ପାଇଁ ଏ ଶିଶୁମାନେ ଅସ୍ପୃଶ୍ୟ। ତେବେ ସବୁଠୁ ବେଶି ବାଧୁଛି, ଇଣ୍ଟିଗ୍ରେଟେଡ୍‌ ଚାଇଲ୍‌ଡ ପ୍ରୋଟେକ୍ସନ୍‌ ସ୍କିମ୍‌ (ଆଇସିପିଏସ୍‌) ତଥା ସମନ୍ଵିତ ଶିଶୁ ସୁରକ୍ଷା ଯୋଜନାରେ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଉଥିବା ୨ହଜାର ଟଙ୍କାର ସହାୟତା ରାଶିକୁ ବନ୍ଦ କରିଦେବା। ୨୦୧୫ ମସିହାରେ ତତ୍କାଳୀନ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପ ସଚିବ ଚଞ୍ଚକତା ପୂର୍ବକ ଏହି ଯୋଜନାକୁ ବନ୍ଦ କରିଦେବା ପରେ ଏଚ୍‌ଆଇଭି ସଂକ୍ରମିତ ଶିଶୁଙ୍କୁ ମିଳୁଥିବା ଏହି ଅର୍ଥରାଶି ଅଧିକାରକୁ ଛଡ଼ାଇ ନେଇଛନ୍ତି ସରକାର। ଏହି ଯୋଜନାରେ ଏଚ୍‌ଆଇଭି ପିଲାମାନେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଆବେଦନ କରିବା ପରେ ତାଙ୍କର ଶିକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ୨ ହଜାର ଟଙ୍କା ଲେଖାଏଁ ମିଳୁଥିଲା। ଏଥିରେ କେନ୍ଦ୍ର ସରକାର ୭୫ ପ୍ରତିଶତ ଏବଂ ରାଜ୍ୟ ସରକାର ୨୫ ପ୍ରତିଶତ ଅର୍ଥ ଦେଉଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁଗୁଳ, ଭଦ୍ରକ, ଖୋର୍ଧା, କୋରାପୁଟ, ବଲାଙ୍ଗୀର ଓ ଗଂଜାମ ଜିଲ୍ଲାରୁ ପ୍ରାୟ ୩୦୦ ପିଲା ଉପକୃତ ହେଉଥିଲେ। ଯଦି ବାପା ମା’ ଏଚ୍‌ଆଇଭି ସଂକ୍ରମିତ, କିନ୍ତୁ ସେମାନଙ୍କ ପିଲା କେବଳ ଆଫେକ୍ଟେଡ୍‌ ତଥା ନେଗେଟିଭ୍‌ ସେମାନଙ୍କୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯାଉଥିଲା। ଅଥଚ ବର୍ଷକ ପରେ ହଠାତ୍‌ ଏ ଯୋଜନାକୁ ବନ୍ଦ କରିଦେଲେ। ଅନ୍ୟ ରାଜ୍ୟରେ ଏହି ଯୋଜନାରେ ଏଚ୍‌ଆଇଭି ସଂକ୍ରମିତ ପିଲା ଉପକୃତ ହେଉଥିଲେ ହେଁ ଓଡ଼ିଶାରେ ଏହାକୁ ବନ୍ଦ କରିଦିଆଗଲା।

ଏବେ ବି ଦିଲ୍ଲୀ ସରକାର ଏଚ୍‌ଆଇଭି ସଂକ୍ରମିତ ଶିଶୁଙ୍କୁ ୨ହଜାର ୫୦ ଟଙ୍କା ସହାୟତା ଦେଉଥିବା ବେଳେ ମହାରାଷ୍ଟ୍ରର ପୁନେ ମ୍ୟୁନିସିପାଲିଟି କର୍ପୋରେସନ୍‌ ୨୫୦୦ ଟଙ୍କାର ଆର୍ଥିକ ସହାୟତା ଦେଉଛି। ମାତ୍ର ଓଡ଼ିଶା ସରକାର ଏଠାରେ ପିଲାଙ୍କ ପାଇଁ ଉଦାସୀନ। ଶିଶୁ ଅଧିକାର ସୁରକ୍ଷା ଆଇନ ମୁତାବକ ଏଚ୍‌ଆଇଭି ସଂକ୍ରମିତ ଶିଶୁଙ୍କ ପାଇଁ ଶିଶୁ ଅଧିକାର ସୁରକ୍ଷା କମିସନ୍‌ ସ୍ୱତନ୍ତ୍ର ବ୍ୟବସ୍ଥା କରିବାର ବିଧି ରହିଛି। ମାତ୍ର ଏଯାଏଁ ସେ ବାବଦରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। କେବଳ ବ୍ରହ୍ମପୁର ଗୋପାଳପୁରସ୍ଥିତ ସଂଜୀବନୀ ସୁଦ୍ଧା ଗୃହରେ ମାତ୍ର ୬୦ଜଣ ଏଡ୍‌ସ ସଂକ୍ରମିତ ପିଲାଙ୍କ ପାଇଁ ସରକାର ସହାୟତା ପ୍ରଦାନ କରୁଛନ୍ତି। ତା ବ୍ୟତୀତ ଅନ୍ୟ ପିଲାମାନେ ଏବେ ବି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଏନେଇ ଓଡ଼ିଶା ପତିତା ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ ୨୮୯୧ ଏଚ୍‌ଆଇଭି ସଂକ୍ରମିତ ପିଲାଙ୍କ ଥଇଥାନ ସହ ମିଳୁଥିବା ୨ହଜାର ଟଙ୍କାର ଆର୍ଥିକ ସହାୟତା ପୁନର୍ବାର ଦେବାକୁ ଶିଶୁ ଅଧିକାର ସୁରକ୍ଷା କମିସନ୍‌ରେ ଦାବି କରିଛନ୍ତି। ସେହିପରି ମଧୁବାବୁ ପେନ୍‌ସନ୍‌ ଯୋଜନାରୁ ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିମାନଙ୍କୁ ଅଲଗା କରି ଏକ ସ୍ୱତନ୍ତ୍ର ଶ୍ରେଣୀ କରିବା ଉଚିତ୍‌ ବୋଲି କଳିଙ୍ଗ ନେଟ୍‌ଓ୍ଵର୍କ ଫର୍‌ ପିପୁଲ୍‌ ଲିଭିଙ୍ଗ୍‌ ଓ୍ଵିଥ୍‌ ଏଚ୍‌ଆଇଭି ଏଡ୍‌ସର ସଭାପତି ପ୍ରଭାସିନୀ ପ୍ରଧାନ କହିଛନ୍ତି। ଏନେଇ ଶିଶୁ ଅଧିକାର ସୁରକ୍ଷା କମିସନ୍‌ର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ମତାମତ ଲୋଡ଼ିବାରୁ ସେ କହିଲେ, ଗୋପାଳପୁରରେ ଏହି ପିଲାମାନଙ୍କ ପାଇଁ ଥିବା ଏକ କେନ୍ଦ୍ରକୁ ଅନୁଦାନ ପ୍ରଦାନ କରାଯାଉଥିବା ବେଳେ ଅନ୍ୟ ପିଲାମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ହସ୍ତଗତ ହେଲେ ସେମାନଙ୍କ ଥଇଥାନ, ସୁରକ୍ଷା ଓ ଯତ୍ନ ପାଇଁ ଆଇନ ମୁତାବକ ପଦକ୍ଷେପ ନିଆଯିବ। ଶିଶୁଙ୍କ ଅଧିକାର କ୍ଷୁର୍ଣ୍ଣ କରିବାରେ କାହାର ଅଧିକାର ନଥିଲେ ହେଁ ଶିଶୁଙ୍କୁ ମିଳୁଥିବା ସହାୟତା ରାଶି ବନ୍ଦ କରି ଶିଶୁମାନଙ୍କ ପ୍ରତି ସରକାର ଅବିଚାର କରିଛନ୍ତି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର