ପୁରୁଣା ଭୁବନେଶ୍ୱର: ଇଲେକ୍ଟ୍ରି ବିଲ୍ ପୈଠ ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଖୋଲିଥିବା ଅନଲାଇନ୍ ସେଣ୍ଟର୍ଗୁଡ଼ିକ ବିନା ପୂର୍ବ ସୂଚନାରେ ବନ୍ଦ ହୋଇଯାଇଥିବାରୁ ଲୋକେ ଏବେ ନାହିଁ ନଥିବା ହଇରାଣ ହେଉଛନ୍ତି। ମେ’ ୩୧ ତାରିଖ ବିଲ୍ ପୈଠ କରିବାର ଶେଷ ତାରିଖ ଥିବାରୁ ଲୋକେ ବାଧ୍ୟ ହୋଇ ଏବେ ସ୍ଥାନୀୟ ସେସୁ କାର୍ଯ୍ୟାଳୟଗୁଡ଼ିକରେ ଧାଡ଼ି ଲମ୍ବାଉଛନ୍ତି। ମାନୁଆଲ ବିଲ୍ ପୈଠ କରାଯାଉଥିବାରୁ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ରହୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଖୁବ୍ଶୀଘ୍ର ଏହାର ସମାଧାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୨ ମାସ ମଧ୍ୟରେ ସବୁ ଡାକଘରେ ଏହି ସେବା ଉପଲବ୍ଧ କରାଯିବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟୁତ୍ ବିଲ ପୈଠ ପାଇଁ ସେସୁ କାର୍ଯ୍ୟାଳୟଗୁଡ଼ିକରେ ଅତ୍ୟଧିକ ଭିଡ଼ ହେଉଥିବାରୁ ରାଜ୍ୟ ସରକାରଙ୍କ ଅନୁମତିରେ ଓକାକ ଓ ଆଇଏଫ ଆଣ୍ଡ ଏସଏଲ ସହାୟତାରେ ଓଡ଼ିଶା ଇ-ଗର୍ଭନାନସ୍ ସର୍ଭିସେସ୍ ଲିମିଟେଡ୍ (ଓଇଏସ୍ଏଲ୍) ପକ୍ଷରୁ ବିଭିନ୍ନ ସ୍ଥାନରେ ଅନ୍ଲାଇନ୍ ସେଣ୍ଟର୍ ଖୋଲା ଯାଇଥିଲା। ଏହି ସେଣ୍ଟରଗୁଡ଼ିକ ଜରିଆରେ ଲୋକମାନଙ୍କଠାରୁ ବିଦ୍ୟୁତ୍ ବିଲ୍, ପାଣି ବିଲ୍, ବିଏମ୍ସି ଟ୍ୟାକ୍ସ୍ ବାବଦକୁ ନଗଦ ଅର୍ଥ ନିଆଯାଉଥିଲା। କିନ୍ତୁ ପୁରୁଣା ଭୁବନେଶ୍ୱର ମୂଳାପଡ଼ିଆ ପିଏଚ୍ଡି କାର୍ଯ୍ୟାଳୟ, ବିଏମ୍ସି କାର୍ଯ୍ୟାଳୟ, ବଡ଼ଗଡ଼, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରେ ଖୋଲି ଥିବା ଏହି କେନ୍ଦ୍ରଗୁଡ଼ିକୁ ଗତ ଏପ୍ରିଲ ମାସ ଶେଷ ଦିବସରେ ବନ୍ଦ କରି ଦିଆଯାଇଛି। ଏହି ଅନ୍ଲାଇନ୍ ସେଣ୍ଟର୍ ପକ୍ଷରୁ ସେସୁ ସହ ହୋଇଥିବା ଚୁକ୍ତି ଗତ ମାସରେ ଶେଷ ହୋଇଥିବାରୁ ଏପରି କରାଯାଇଥିବା ସୂଚନା ମିଳିଛି। କିନ୍ତୁ ଏନେଇ ସାଧାରଣରେ ସୂଚନା ଦିଆଯାଇନଥିବାରୁ ଲୋକେ ଏବେ ଏହି କେନ୍ଦ୍ରଗୁଡ଼ିକରୁ ନିରାଶ ହୋଇ ଫେରୁଛନ୍ତି। ଅପରପକ୍ଷେ ମେ’ ୩୧ ତାରିଖ ବିଲ୍ ପୈଠ କରିବାର ଶେଷ ତାରିଖ ହୋଇଥିବାରୁ ଲୋକେ ସ୍ଥାନୀୟ ସେସୁ କାର୍ଯ୍ୟାଳୟଗୁଡ଼ିକ ଆଗରେ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ବିଲ ପୈଠ କରୁଥିବା ଦେଖାଯାଉଛି। ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହେଉଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସଂପର୍କରେ ଓଇଏସ୍ଏଲ୍ ଅଧିକାରୀ ସେକ୍ ଆଜମଲ୍ଙ୍କ ପଚାରିବାରୁ ସେ କହିଛନ୍ତି, ଚୁକ୍ତି ଅନୁଯାୟୀ ଗତ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଅନ୍ଲାଇନ୍ ସେଣ୍ଟର୍ଗୁଡ଼ିକ ଜରିଆରେ ଲୋକଙ୍କଠାରୁ ବିଦ୍ୟୁତ୍ ଓ ପାଣି ବିଲ୍ ବାବଦ ଟଙ୍କା ନିଆଯାଇଛି। କିନ୍ତୁ ଚୁକ୍ତି ଶେଷ ହୋଇଥିବାରୁ ଏହି କେନ୍ଦ୍ରଗୁଡ଼ିକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ଲୋକେ ଘରେ ବସି ନିଜର ବିଦ୍ୟୁତ୍ ବିଲ କିମ୍ବା ପାଣି ବିଲ୍ ପୈଠ କରିପାରିବେ। ମୋବାଇଲ କିମ୍ବା କମ୍ପ୍ୟୁଟର୍ରେ www.odishaonline.gov.in ସାଇଟ୍ରେ କ୍ରେଡିଟ୍ ଓ ଡେବିଟ୍ କାର୍ଡ ଜରିଆରେ ଏହି ବିଲ୍ ପୈଠ କରିପାରିବେ। ସେହିପରି ସେସୁର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, ଅନଲାଇନ୍ ଜରିଆରେ ଏହି ସୁବିଧା ରହିଛି। କିନ୍ତୁ ଏଥିପ୍ରତି ଅନଭିଜ୍ଞ ଲୋକଙ୍କ ପାଇଁ ଖୁବ୍ଶୀଘ୍ର ବିକଳ୍ପ ବ୍ୟବସ୍ଥା କରାଯାଉଛି। ଆସନ୍ତା ୨ ମାସ ମଧ୍ୟରେ ପ୍ରତି ଡାକଘରେ ବିଦ୍ୟୁତ୍ ବିଲ ପୈଠ କରାଯିବାର ସୁବିଧା ଉପଲବ୍ଧ କରାଯିବ ବୋଲି ସେ କହିଥିଲେ।