ରାଜଧାନୀରେ ଟ୍ରାଫିକ୍‌ ପରିଚାଳନା ଚିନ୍ତା: ନିର୍ମାଣ ହେବ ବାଣୀବିହାର ଆର୍‌ଓବି

ଚଉଡ଼ା ହେବ ସର୍ଭିସ ରୋଡ୍‌,ଭଙ୍ଗା ହେବ ବସ୍ତି

ଭୁବ‌ନେଶ୍ୱର: ବାରଙ୍ଗରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ବିଛା ଯାଉଥିବା ତୃତୀୟ ରେଳଧାରଣା ପାଇଁ ବାଣୀବିହାର ଓଭରବ୍ରିଜ୍‌କୁ ଭାଙ୍ଗି ଚଉଡ଼ା କରାଯିବ। ଏଥିପାଇଁ ସତ୍‌ସଙ୍ଗବିହାର ଠାରୁ ରସୁଲଗଡ଼ ପର୍ଯ୍ୟନ୍ତ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିବ। ମଞ୍ଚେଶ୍ବର ଆରଓବି ଦେଇ ଗାଡ଼ିଗୁଡ଼ିକ ବୁଲି ରସୁଲଗଡ଼ରେ ବାହାରିବେ। ଏଥିପାଇଁ ଟ୍ରାଫିକ୍‌ ପ୍ଲାନ୍‌କୁ କମିସନରେଟ୍‌ ପୁଲିସର ଅନୁମୋଦନ ମିଳିବା ପରେ ତନାଘନା ଆରମ୍ଭ ହୋଇଛି। ଟ୍ରାଫିକ୍‌ ଅଧିକାରୀମାନେ ଏହି ରାସ୍ତା ବୁଲି ସ୍ଥିତି ପରଖିଛନ୍ତି। ସ୍ଥିତି ପରିଖିବା ବେଳେ ଆଗକୁ ଉପୁଜିବାକୁ ଥିବା ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିବା ସହ ସମସ୍ୟାର ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି।

ଶିଳ୍ପାଞ୍ଚଳ ଆର୍‌ଓବି ଅନ୍ଧାର
ବାଣୀବିହାରରୁ ରସୁଲଗଡ଼ ଯିବା ବେଳେ ସତସଙ୍ଗ ଛକ ପରେ ପରେ ଜାତୀୟ ରାଜପଥରୁ ବାମ ପାର୍ଶ୍ବରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳକୁ ଆର୍‌ଓବି ରହିଛି। ବାଣୀବିହାର ଆର୍‌ଓବି କାମ ଆରମ୍ଭ ହେଲେ ଗାଡ଼ି ସବୁ ବର୍ଷାଧିକ କାଳ ଏହି ରାସ୍ତା ଦେଇ ଯିବାକୁ ବ୍ୟବସ୍ଥା ହୋଇଛି। ତେବେ ଏହି ଆର୍‌ଓବି ଉପରେ ଆଲୋକୀକରଣ ହୋଇ ନାହିଁ। ଏଥିପାଇଁ ବ୍ୟୟ ଅଟକଳ ସହ ଟେଣ୍ଡର ପର୍ଯ୍ୟନ୍ତ କଥା ଯାଇଥିଲେ ମଧ୍ୟ ରାଜନୈତିକ ବିବାଦ ନେଇ କାମ ହୋଇ ପାରିନାହିଁ। ଆଲୋକୀକରଣ କାମ ପାଇଁ ୨୦୧୬ ମସିହାରୁ ଏଠାରେ ଏକ ଫଳକ ଲାଗିଛି। ଏହି ରାସ୍ତା ଦେଇ ଟ୍ରାଫିକ୍‌ ଡାଇଭର୍ଟ ହେଲେ ପୋଲ ଉପରେ ଅନ୍ଧାର କାରଣରୁ ଅଘଟଣ ଘଟିପାରେ ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା କରିଛନ୍ତି। ପୂର୍ବରୁ ଅନ୍ଧାର ଯୋଗୁଁ ଦୁର୍ଘଟଣା ଘଟିବା ସହ ବାଇକ୍‌ ଚାଳକ ପୋଲ ଉପରୁ ଗଳିପଡ଼ି ମୃତ୍ୟୁବରଣ କରିବା ନଜିର ରହିଛି। ଅନ୍ଧାରରେ ମଧ୍ୟ ପୋଲ ଉପରେ ଛିନ୍‌ତାଇ ହେଉଛି। ରାତି ହେଲେ ଏହା ଉପରେ ବ୍ରାଉନସୁଗାର ଠାରୁ ଆରମ୍ଭ କରି ବିଭିନ୍ନ ନିଶାଦ୍ରବ୍ୟ ସେବନ ହେଉଥିବା ଅଭିଯୋଗ ରହିଛି। ଏହାକୁ ଆଲୋକୀକରଣ କରିବା ପାଇଁ ସ୍ଥାନୀୟ ଲୋକ ବହୁ ଥର ପୂର୍ତ୍ତ ବିଭାଗର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସୁଫଳ ମିଳିନାହିଁ।

ରାସ୍ତାରେ ୬ ଇଞ୍ଚିଆ ଖାଲ
ରସୁଲଗଡ଼ ଫ୍ଲାଏ ଓଭର ତଳ ରାସ୍ତା ଓ ମଞ୍ଚେଶ୍ବର ଶିଳ୍ପାଞ୍ଚଳକୁ ପ୍ରବେଶ ପଥରେ ଅବସ୍ଥା ସାଂଘାତିକ ରହିଥିବା ଦେଖାଯାଇଛି। ରାସ୍ତା ମଝିରେ ୪ରୁ ୬ଟି ୬ ଇଞ୍ଚିଆ ଖାଲ ରହିଥିବା ବେଳେ ସଦାସର୍ବଦା ପାଣି ଜମି ରହୁଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଦେଇ ଗାଡ଼ିଗୁଡ଼ିକ ଏହି ଛକରେ ବାହାରି କଟକ ଆଡ଼େ ବୁଲିବା ବେଳେ ଏଠାରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି। ଏହି ରାସ୍ତାର ପାର୍ଶ୍ବରେ ପ୍ରାୟ ୫ ଫୁଟର ଖାଲ ୨ଶହ ମିଟର ପର୍ଯ୍ୟନ୍ତ ରାସ୍ତା ସହ ସମାନ୍ତରାଳ ଭାବରେ ‌ଖୋଳା ଯାଇଛି। ସମୟ ପୂର୍ବରୁ ଏହି ମରାମତି ଶେଷ ନ ହେଲେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି।

ଏନ୍‌ଏଚ୍‌ଏଆଇ ମଞ୍ଜୁରୀ ମିଳିନି
ବାଣୀବିହାର ଆରଓବି ନିର୍ମାଣ ପାଇଁ ୨୦୧୦ ମସିହାରୁ ଯୋଜନା ହୋଇଥିଲା। ‌ଏହାକୁ ନିର୍ମାଣ କରିବା ପାଇଁ ପ୍ରଥମେ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଅଧିକୃତ ହୋଇଥିଲା। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ରେଳବାଇ ଏନ୍‌ଏଚ୍‌ଏଆଇକୁ ଅର୍ଥ ମଧ୍ୟ ପୈଠ କରିଥିଲା। କିନ୍ତୁ ୨୦୧୮ ମସିହାରେ ଏନ୍‌ଏଚ୍‌ଏଆଇ କରିବା ପାଇଁ ହଠାତ୍‌ ମନା କରିଦେବା ସହ ଅର୍ଥ ଫେରାଇ ଦେଇଥିଲା। ଏବେ ଏହାକୁ ଆରଭିଏନ୍‌ଏଲ୍‌(ରେଳ ବିକାଶ ନିଗମ ଲିମିଟେଡ୍‌) କରିବାକୁ ଯାଉଛି। ନିଗମ ପକ୍ଷରୁ ଏକ ଡ୍ରଇଂ ପ୍ରସ୍ତୁତ କରାଯାଇଛି। ଏଥିରେ ଏନ୍‌ଏଚ୍‌ଏଆଇର ମଞ୍ଜୁରି ଆବଶ୍ୟକତା ରହିଛି। କିନ୍ତୁ ଏ ଯାବତ୍‌ ଏହି ମଞ୍ଜୁରି ମିଳିନାହିଁ। ଫଳରେ କାମ ଝୁଲି ରହିଛି। ତେବେ ଦୁଇଦିନ ଭିତରେ ଏହି ଡ୍ରଇଂକୁ ମଞ୍ଜୁରି ମିଳିବ ବୋଲି ଏନ୍‌ଏଚ୍‌ଏଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତା’ ସହିତ ରାସ୍ତାରେ ଥିବା ଖାଲଖମା ମରାମତି ହେବା ସହ ତିଆରି ହେବାକୁ ଥିବା ଆରଓବିର ସର୍ଭିସ୍‌ ରୋଡ୍‌କୁ ଏନ୍‌ଏଚ୍‌ଏଆଇ ଚଉଡ଼ା କରିବ ବୋଲି ମଧ୍ୟ ସୂଚନା ମିଳିଛି।

ବିଧାୟକ ବୁଲିଲେ ଭୂତଳ ରାସ୍ତା
ବାଣୀବିହାର ଆରଓବି କାମ ଆରମ୍ଭ ହେଲେ ଭୂତଳ ରାସ୍ତାର ବ୍ୟବହାର ବଢ଼ିବ। କିନ୍ତୁ ଏହାର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଛି। ଏହାକୁ ନେଇ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୧୪ ମସିହାରୁ ଏହା ନିର୍ମାଣ ହୋଇଥିଲେ ମଧ୍ୟ ଏଯାବତ୍‌ ବ୍ୟବହାରର ଉପଯୋଗୀ ହୋଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଆଗକୁ ଉପୁଜିବାକୁ ଥିବା ଟ୍ରାଫିକ୍‌ ସମସ୍ୟା ପାଇଁ ନୁହେଁ, ବରଂ ପ୍ରତ୍ୟେକ ଦିନ ଏହି ଭୂତଳ ରାସ୍ତା ଉପରେ ୧୦ଟି ଗାଁ ୫ଟି ୱାର୍ଡ ଓ ୫ଟି ବସ୍ତିର ଲୋକ ନିର୍ଭର କରୁଛନ୍ତି। ଏଣୁ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା ହେବେ ବୋଲି କହିଛନ୍ତି। ଏହ ଛଡ଼ା ସେ ବିଭିନ୍ନ ବସ୍ତି ଓ ଦୁର୍ଗାପୂଜା ମଣ୍ଡପରେ ବୁଲି ସମସ୍ୟା ଶୁଣିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଚିନ୍ତାରେ ଭିଏସ୍‌ଏସ୍‌ ନଗର ବାସିନ୍ଦା
ବାଣୀବିହାର ଆରଓବି ନିର୍ମାଣ ନେଇ ବନ୍ଦ ହେବାକୁ ଯାଉଥିବା ୧୬ ନମ୍ବର ଜାତୀୟ ରାଜପଥ ଭିଏସ୍‌ଏସ୍‌ ନଗରବାସିନ୍ଦାଙ୍କୁ ଘୋର ପ୍ରଭାବିତ କରିବାକୁ ଯାଉଛି। ତା’ସହିତ ପୋଷ୍ଟାଲ କଲୋନି, ଇନ୍‌କମ୍‌ଟ୍ୟାକ୍ସ ଓ କେନ୍ଦ୍ରୀୟ ସୀମା ଶୁଳ୍କ କଲୋନି, ସତ୍‌ସଙ୍ଗ, ଏଫ୍‌ସିଆଇ ପ୍ରଭୃତି ସ୍ଥାନରୁ ଯେଉଁମାନେ ଏହି ରାସ୍ତା ଦେଇ ରସୁଲଗଡ଼ ଫ୍ଲାଏ ଓଭର ତଳେ ବାଣୀବିହାର ଛକକୁ ଯାଉଥିଲେ ସେମାନେ ଏବେ ଆଉ ତିନି କିଲୋମିଟର ଅଧିକ ବୁଲିବେ। ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ ସାମ୍ନାରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳକୁ ଯାଉଥିବା ଆରଓବି ଚଢ଼ି ରସୁଲଗଡ଼ ଫ୍ଲାଏ ଓଭର ତଳେ ବାହାରିବେ। ସେଠାରୁ ବୁଲି ବାଣୀବିହାର ଛକ ଆସିବେ। କାରଣ ସତ୍‌ସଙ୍ଗ ଦେଇ ଓଲଟା ରାସ୍ତାରେ ବାଣୀବିହାର ଛକକୁ ଆସିପାରିବେ ନାହିଁ କିମ୍ବା ଭୂତଳ ରାସ୍ତା ମଧ୍ୟ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଫଳରେ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର