ଭୁବନେଶ୍ବର: ରାଜ୍ୟ ସରକାର ୫-ଟି ବିଦ୍ୟାଳୟ ରୂପା‌ନ୍ତରଣକୁ ନେଇ ବହୁ ଡିଣ୍ଡିମ ପିଟୁଛନ୍ତି। ମାତ୍ର ଖୋଦ୍‌ ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖିଲେ, ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଜଳଜଳ ଦେଖାଯାଏ। କୌଣସି ଅପହଞ୍ଚ ଗାଁ କି ପାହାଡ଼ିଆ ଅଞ୍ଚଳର ବିଦ୍ୟାଳୟଠାରୁ ବି ଏହି ଶିକ୍ଷାନୁଷ୍ଠାନର ଅବସ୍ଥା ଭଲ ନାହିଁ। ଶିକ୍ଷକ ଅଭାବ ସାଙ୍ଗକୁ ଶୈକ୍ଷିକ ବାତାବରଣ ଅବସ୍ଥା ବଡ଼ କଦର୍ଯ୍ୟ। ବାହାରୁ ଦେଖିଲେ ଏହା ଯେ ରାଜଧାନୀର ଏକ ବିଦ୍ୟାଳୟ ବୋଲି ସହଜ‌ରେ ବିଶ୍ବାସ କରିହେବନାହିଁ। ଏହା ହେଉଛି ଓଡ଼ିଶା ଟ୍ରେଜେରି ନିକଟ ୟୁନିଟ୍‌-୩ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା।

Advertisment

ସୂଚନାଯୋଗ୍ୟ ଯେ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ଏବଂ ୩ ଶହରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ପଢ଼ୁଛନ୍ତି। ପରିତାପର କଥା ଏଠାରେ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଅଛନ୍ତି। ନିୟମାନୁସାରେ ୫ଟି ଶ୍ରେଣୀର ୩ ଶହ ପିଲାଙ୍କ ପାଇଁ ନିହାତି ୭ ଶିକ୍ଷକ ଆବଶ୍ୟକ। କିନ୍ତୁ ବିଭାଗୀୟ ଅଧିକାରୀ ମାତ୍ର ୨ ଜଣ ଶିକ୍ଷକଙ୍କ ହାତରେ ୩ ଶହ ପିଲାଙ୍କ ଭାଗ୍ୟକୁ ଛାଡ଼ି ଦେଇଛନ୍ତି। ସେଥିରୁ ପାଠପଢ଼ା କେମିତି ହେଉଥିବା ସହଜରେ ଅନୁମେୟ। ପ୍ରଧାନ ଶିକ୍ଷୟିତ୍ରୀ ଅଫିସ୍‌ କାମରେ ଯାଉଥିବା ବେଳେ ଅନ୍ୟ ଶିକ୍ଷୟିତ୍ରୀ କେବଳ ପିଲାଙ୍କୁ ଜଗି ବସିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟ ସମୟରେ ବି ଅନୁରୂପ ଅବସ୍ଥା। ଏଠାରେ ପଢ଼ା କମ୍ ପିଲାଙ୍କୁ ଜଗିବା ଦାୟିତ୍ବ ବେଶି। ତେଣୁ ସ୍ଥାନୀୟ ଅଭିଭାବକମାନଙ୍କ ଅଭିଯୋଗ ଅନୁସାରେ ପିଲାମାନେ କେବଳ ନାଁକୁ ସ୍କୁଲ୍‌ ଯାଉଛନ୍ତି ଓ ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରୁଛନ୍ତି। ବିଦ୍ୟାଳୟର ଦୁରବସ୍ଥା କେବଳ ଏତିକିରେ ସୀମିତ ନାହିଁ। ଏହାର ପରିବେଶ ବି ବଡ଼ କଦର୍ଯ୍ୟ ଅବସ୍ଥାରେ ରହିଛି। ଏହି ବିଦ୍ୟାଳୟର ପାଚେରି ବହୁ ଦିନ ଧରି ଭାଙ୍ଗିଯାଇଛି।

ତେଣୁ ସ୍କୁଲ୍‌ ପରିସରରେ ବୁଲା ଗୋରୁଗାଈଙ୍କ ଅବାଧ ପ୍ରବେଶ ରହିଛି। ରାତି ଓ ଛୁଟିଦିନମାନଙ୍କରେ ମଦୁଆମାନେ ଏଠାରେ ଆଡ଼ା ଜମାଉଛନ୍ତି। ବିଦ୍ୟାଳୟ ପରିସରରେ ମଦ ବୋତଲ ଗଡୁଛି। ମରାମତି ହୋଇନଥିବାରୁ ବର୍ଷା ହେଲେ ବହୁ ଶ୍ରେଣୀଗୃହରୁ ପାଣି ଗଳୁଛି। ଫଳରେ ପିଲାଙ୍କ ପାଠପଢ଼ାରେ ସ୍ବାଭାବିକ ଭାବେ ବାଧା ଉପୁଜୁଛି। ସେହିଭଳି ଶ୍ରେଣୀ ଗୃହର ଅଭାବ ଯୋଗୁଁ ଅଧିକାଂଶ ସମୟରେ ପିଲାମାନେ ବାରଣ୍ଡାରେ ବସିବାକୁ ବାଧ୍ୟ ହେଉଛନ୍ତି। କେବଳ ଏତିକି ନୁହେଁ, ଶୌଚାଳୟ ଅବସ୍ଥା ମଧ୍ୟ ବଡ଼ ଦୟନୀୟ। ଶୌଚାଳୟ ଉପରେ ଘାସଲତା ମାଡ଼ିଗଲାଣି। ଫଳରେ ବଣୁଆ ହୋଇପଡ଼ିଥିବା ଶୌଚାଳୟକୁ ପିଲାମାନେ ଯିବାକୁ ଡରୁଛନ୍ତି। ପୁଣି ସ୍କୁଲ୍‌ ପରିସରରେ ଥିବା ପିଲାଙ୍କ ଖସଡ଼ା ଅଧା ଭାଙ୍ଗି ଯାଇଥିବା ବେଳେ ସେଥିରେ ଶିଉଳି ଲାଗିଯାଇଛି। ତେଣୁ ପିଲାମାନେ ଖେଳିବା ପାଇଁ ସୁବିଧା ନାହିଁ। ଏନେଇ ସ୍ଥାନୀୟ ବାସିନ୍ଦା ସୌମ୍ୟରଞ୍ଜନ ସାହୁଙ୍କ କହିବା କଥା ଏହି ବିଦ୍ୟାଳୟର ସମସ୍ୟା‌ ଦୀର୍ଘ ଦିନ ହେଲା ଲାଗିରହିଛି। ଏନେଇ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି। କିନ୍ତୁ କିଛି ସୁଫଳ ମିଳିନାହିଁ। ବିଶେଷକରି ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ପାଇଁ ବାରମ୍ବାର ଅଭିଯୋଗ ହେଲେ ବି କିଛି ହେଉନି। ତେବେ ଏନେଇ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସରୋଜବାଳା ଦେବୀ କିଛି କହିବାକୁ ରୋକ୍‌ଠୋକ୍ ମନା କରିଦେଇଥିଲେ।