ପାଣି ପାଇଁ ଡହଳବିକଳ

ସୁଧୁରୁନି ଧିରିକୁଟି ବସ୍ତିବାସିନ୍ଦାଙ୍କ ସମସ୍ୟା

ଭୁବନେଶ୍ୱର: ପାନୀୟ ଜଳ ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ଅମୃତ ଯୋଜନାରେ ସହରର ପ୍ରତି ବସ୍ତିରେ ପାଣି ଯୋଗାଇବାର ବ୍ୟବସ୍ଥା ରହିଛି। କିନ୍ତୁ ରାଜଧାନୀର ଏବେ ବି ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠିକାର ଲୋକେ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଭିଏସ୍‌ଏସ୍‌ ନଗରରେ ଥିବା ଧିରିକୁଟି ଓ ଏହାର ଆଖପାଖ ବସ୍ତିର ଲୋକମାନେ ଦୀର୍ଘବର୍ଷ ହେଲା ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୭୦ରୁ ଅଧିକ ପରିବାର ଏଠାରେ ବସବାସ କରୁଥିଲେ ମଧ୍ୟ ପାଣି ପାଇଁ ମାତ୍ର ଦୁଇଟି ନଳକୂପ ହିଁ ସେମାନଙ୍କ ସାହା ଭରସା। କେବଳ ପିଇବା ପାଣି ନୁହେଁ, ଶୌଚ ପାଇଁ ମଧ୍ୟ ସ୍ଥାନୀୟ ଲୋକେ ଏହା ଉପରେ ନିର୍ଭର କରିଥାନ୍ତି। ୩ଟି ଷ୍ଟାଣ୍ଡପୋଷ୍ଟ ଲଗାଯାଇଥିଲେ ସୁଦ୍ଧା ଏଥିରେ ପାଣି ବାହାରୁ ନାହିଁ। ଚିନ୍ତାର ବିଷୟ ହେଉଛି ଯେ ନଳକୂପରୁ ବାହାରୁଥିବା ପାଣିର ରଙ୍ଗ ନାଲି ରହୁଛି। ଲୁହାଟିଆ ଗନ୍ଧ ଯୋଗୁଁ ପାଣି ପିଇବା ସମ୍ଭବ ହେଉନାହିଁ। ଖରା ପରେ ବର୍ଷା ଦିନ ଆସିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହି ସମସ୍ୟାର କୌଣସି ସମାଧାନ କରାଯାଇ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ବର୍ଷା ଦିନରେ ଏହି ନଳକୂପରୁ ଜିଆ ଓ ଘୋଡ଼ା ପୋକ ବହାରୁଛନ୍ତି। ପାଇପ ପାଣି ଏପର୍ଯ୍ୟନ୍ତ ଏହି ବସ୍ତିରେ ପହଞ୍ଚିପାରିନି। ମାସ ମାସ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ହେଁ, କେହି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି।

ସେହିପରି ଏଠାରେ ଥିବା ଅନ୍ୟ ଏକ ବସ୍ତି କଳିଙ୍ଗନଗରରେ ମଧ୍ୟ ସମାନ ଅବସ୍ଥା। ଏହି ବସ୍ତିରେ ୩୫ରୁ ଅଧିକ ଘର ରହିଛି। ମାତ୍ର ଗୋଟିଏ ଷ୍ଟାଣ୍ଡପୋଷ୍ଟ ରହିଛି। ସେଠାରୁ ୫ରୁ ୬ ଜଣ ପାଣି ନେବା ପରେ ପାଣି ବନ୍ଦ ହୋଇଯାଉଛି। ଫଳରେ ଅନ୍ୟ ଲୋକମାନେ ହଇରାଣ ହେଉଛନ୍ତି। ପାଣି ପାଇଁ ଦିନସାରା ଲୋକଙ୍କୁ ପାଇପ୍‌ ପାଖରେ ବାଲ୍‌ଟି ଓ ବୋତଲ ରଖି ବସିବାକୁ ପଡ଼ୁଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ପାଣି ପାଇଁ ଦୂରରେ ଥିବା ଏକ କଲୋନିରୁ ପାଣି ଆଣିବାକୁ ପଡ଼ୁଛି। ପ୍ରତି ବର୍ଷ ଭଳି ଏଥର ମଧ୍ୟ ସମାନ ସମସ୍ୟାର ଶିକାର ହେଉଥିବାରୁ ଏହା ଉପରେ ସରକାର ନଜର ଦେଉ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏନେଇ ଧିରିକୁଟି ବସ୍ତିର ସଭାପତି ସୋନି ଶର୍ମା କହିଛନ୍ତି, ୨୦ରୁ ଅଧିକ ଥର ବିଏମ୍‌ସିରେ ଏହି ବିଷୟରେ ଅଭିଯୋଗ କରିଥିବା ସତ୍ତ୍ୱେ କୌଣସି ଫଳ ମିଳୁନାହିଁ। ଏମିତିକି କନିଷ୍ଠ ଯନ୍ତ୍ରୀ ଓ ମେୟରଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି। କିନ୍ତୁ ଏହି ଅସୁବିଧା ପ୍ରତି କାହାର ନଜର ନାହିଁ। ସେହିପରି କଳିଙ୍ଗନଗର ବସ୍ତିର ସଭାପତି ସୀତାଂଶୁ ଶେଖର ରାୟ କହିଛନ୍ତି, ପାଣି ପାଇଁ ସବୁଦିନ ହଇରାଣ ହେବାକୁ ପଡୁଛି। ପାଖରେ ଥିବା ଡ୍ରେନ୍‌ରୁ ଉତ୍କଟ ଗନ୍ଧ ବାହାରୁ ଥିବାରୁ ରହିବା ଉପଯୋଗୀ ହେଉନାହିଁ। ବହୁ ଦିନ ହେଲାଣି ମାଟି ଟ୍ରିପ୍‌ ଆଣି ରାସ୍ତା ଉପରେ ପକାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ରାସ୍ତା କାମ ହୋଇପାରି ନାହିଁ। ଏନେଇ ସ୍ଥାନୀୟ କର୍ପୋରେଟର୍‌ ରଶ୍ମିତା ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଧିରିକୁଟି ବସ୍ତି କେଉଁ ଓ୍ଵାର୍ଡରେ ଯାଉଥିଲା ତାହା ସ୍ଥିର ହୋଇପାରୁ ନଥିଲା। କିଛି ଦିନ ତଳେ ଏହି ସମସ୍ୟାର ସମାଧାନ ହୋଇଥିବାରୁ ଏବେ ନୂଆ କରି ୩ଟି ଷ୍ଟାଣ୍ଡପୋଷ୍ଟ ଲଗାଯାଇଛି। ତେଣୁ ଖୁବ୍‌ଶୀଘ୍ର ଏଠାକାର ପାଣି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର