ଗାଡ଼ି ଫିଟ୍‌ନେସ୍‌ ବିଳମ୍ବରୁ ଉତ୍ତେଜନା : ଦିନକୁ ମାତ୍ର ୩ ଘଣ୍ଟା ଯାଞ୍ଚ ହେଉଛି ଗାଡ଼ି, ସ୍ଲଟ୍‌ ବୁକ୍‌ କରିବା ନିରର୍ଥକ

ଚନ୍ଦ୍ରଶେଖରପୁର: ଗାଡ଼ି ଫିଟ୍‌ନେସ୍ ଦେବାରେ ବିଳମ୍ବ କରାଯାଉଥିବାକୁ ବିରୋଧ କରି ଆଜି ଅପେକ୍ଷା କରିଥିବା ଗାଡ଼ି ମାଲିକମାନେ ‌ଚନ୍ଦ୍ରଶେଖରପୁର ଟେଷ୍ଟିଂ ପଡ଼ିଆରେ ହୋ-ହଲ୍ଲା କରିଥିଲେ। ଗାଡ଼ି ମାଲିକମାନଙ୍କ ସହ ଯୁକ୍ତିତର୍କ କରି ବିଭାଗୀୟ ଅଧିକାରୀମାନେ ଟେଷ୍ଟିଂ ପଡ଼ିଆରୁ ଚାଲିଯିବାରୁ ଉତ୍ତେଜନା ବଢ଼ିଥିଲା। ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେଠାରେ ପହଞ୍ଚି ଗାଡ଼ିମାଲିକମାନଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଗାଡ଼ି ମାଲିକମାନଙ୍କ ଅଭିଯୋଗ ଅନୁସାରେ ଫିଟ୍‌ନେସ୍ ପାଇଁ ସେମାନେ ଜିଲ୍ଲା ବାହାରୁ ଆସିଛନ୍ତି। ସ୍ଲଟ୍ ବୁକିଂ କରିଛନ୍ତି। ଠିକଣା ସମୟରେ ଲାଇନ୍‌ରେ ରହିବେ ବୋଲି ହୋଟେଲ୍‌ରେ ବହୁ ଅର୍ଥ ବ୍ୟୟ କରି ରହିବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ସକାଳୁ ଧାଡ଼ି ବାନ୍ଧି ସେମାନେ ଠିଆ ହେଉଛନ୍ତି। କିନ୍ତୁ ଫିଟ୍‌ନେସ୍ ତଦାରଖ କରୁଥିବା ଏମ୍‌ଭିଆଇ ଅଧିକାରୀ ଜଣକ ଦିନକୁ ମାତ୍ର ୩ ଘଣ୍ଟା ଗାଡ଼ି ଯାଞ୍ଚ କରି ଚାଲି ଯାଉଛନ୍ତି। ଫଳରେ ସ୍ଲଟ୍‌ ବୁକ୍‌ କରିବା ସତ୍ତ୍ବେ ସେମାନଙ୍କୁ ପୁଣି ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏମିତିକି ୩/୪ ଦିନ ପରେ ବି ଗାଡ଼ି ଯାଞ୍ଚ ହୋଇପାରୁନାହିଁ। ଅଧିକାରୀ ଜଣକ ବିଭିନ୍ନ ଆଳ ଦେଖାଇ ଫିଟ୍‌ନେସ୍ ଦେଉନାହାନ୍ତି। ଅଯଥାରେ ହଇରାଣ କରୁଛନ୍ତି। ଦଶପଲ୍ଲା ଓ ନୟାଗଡ଼ରୁ ଆସିଥିବା ଚାରି ଜଣ ଗାଡ଼ି ମାଲିକ ୩ ଦିନ ହେଲା ଭୁବନେଶ୍ବରରେ ହୋଟେଲ ଭଡ଼ା ଗଣୁଛନ୍ତି। ସେମାନଙ୍କ ଗାଡ଼ି ପୂରା ଠିକ୍‌ ରହିଛି। କେବଳ ଅଧିକାରୀ ଯାଞ୍ଚ କଲେ, କଥା ସରିବ। ମାତ୍ର ଉକ୍ତ ଅଧିକାରୀ ବିଭିନ୍ନ ବାହାନା ଦେଖାଇ ସମୟ ଗଡ଼ାଇ ଚାଲିଛନ୍ତି।

ଫଳରେ ମାଲ୍ ପରିବହନ କରୁଥିବା ଗାଡ଼ି ବିନା ରୋଜଗାରରେ ପଡ଼ି ରହିଛି ଓ ସେମାନେ ଭୁବନେଶ୍ବରରେ ପଡ଼ି ହନ୍ତସନ୍ତ ହେଉଛନ୍ତି। ଆଜି ଗାଡ଼ି ଯାଞ୍ଚ ହୋଇ ସେମାନଙ୍କୁ ଫିଟ୍‌ନେସ୍‌ ପ୍ରମାଣପତ୍ର ମିଳିବ ବୋଲି ସେମାନେ ଆଶା କରିଥିଲେ। ଆସନ୍ତାକାଲି ଜାଗର ପାଇଁ ଛୁଟି ଥିବାରୁ ସେମାନେ ଆଜି କାମ ସାରିବାକୁ ଇଚ୍ଛା କରିଥିଲେ। ମାତ୍ର ଅଧିକାରୀ ଜଣକ ପୁଣି ସମୟ ଗଡ଼ାଇଲେ। ଏଥିରୁ ଯୁକ୍ତିତର୍କ ଓ କଥା କଟାକଟି ହୋଇଥିଲା। ଶେଷରେ ଅଧିକାରୀ ଜଣକ କାମ କରିବି ନାହିଁ କହି ସେଠାରୁ ଚାଲି ଯାଇଥିଲେ। ପୁଲିସ ସେମାନଙ୍କୁ ବୁଝାଇଲା ସିନା, କିନ୍ତୁ ତିନି ଦିନ ପରେ ବି ପୁଣି ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଲା ବୋଲି ଦୁଃଖରେ ସେମାନେ କହିଥିଲେ।

ସମ୍ବନ୍ଧିତ ଖବର