ଭୁବନେଶ୍ୱର: ରାଜଧାନୀର ବସ୍ତି ବିଜୁ ଆଦର୍ଶ କଲୋନିକୁ ରୂପାନ୍ତରଣ ହେଉଛି। ପ୍ରତ୍ୟେକ ମୌଳିକ ଆବଶ୍ୟକତା ସହ ହାତପାହାନ୍ତାରେ ମିଳୁଛି ସେବା। ଏଭଳି ଆହ୍ବାନ ଦେଇ ବିଏମ୍ସି ବସ୍ତିର ବିକାଶ କରୁଛି। ମାତ୍ର ବସ୍ତି ବେଳେ ଯେଉଁ ସମସ୍ୟା ଥିଲା ଏବେ ବିଜୁ ଆଦର୍ଶ କଲୋନିରେ ବି ସେଇ ସମସ୍ୟା ରହିଛି। ଏବେବି ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ହୋଇପାରିଲାନାହିଁ। ଫଳରେ କିଛି ବସ୍ତିରେ ସର୍ବ ସାଧାରଣ ଶୌଚାଳୟ ଥିଲେ ମଧ୍ୟ ଲୋକ ହଇରାଣରେ ପଡ଼ୁଛନ୍ତି। ସେହିପରି ନିମ୍ନମାନର କାମ ଯୋଗୁଁ ବସ୍ତିରେ ପଡ଼ିଥିବା ପେଭର ବ୍ଲକଗୁଡ଼ିକ ଭାଙ୍ଗି ଗଲାଣି। ଅଧିକାଂଶ ବସ୍ତିରେ କମ୍ୟୁନିଟି ହଲ୍, ପରିଚୟ ଗୃହ ହୋଇପାରି ନାହିଁ। ନିୟମ ଅନୁଯାୟୀ କଲୋନିରେ ଷ୍ଟ୍ରିଟ୍ ଲାଇଟ, ପାଇପ୍ ଯୋଗେ ପାନୀୟ ଜଳ ବ୍ୟବସ୍ଥା, ରାସ୍ତା, ଡ୍ରେନ୍, କମ୍ୟୁନିଟି ଶୌଚାଳୟ, ବିଦ୍ୟୁତ୍ ଯୋଗାଣ, କମ୍ୟୁନିଟି ସେଣ୍ଟର ଢାଞ୍ଚାରେ ଘର ତିଆରି ହେବା କଥା କିନ୍ତୁ ରାଜଧାନୀର ଅଧିକାଂଶ ବସ୍ତିରେ ଏହି ସୁବିଧା ସବୁ ସମ୍ପୂର୍ଣ୍ଣ ଭାବରେ ଉପଲବ୍ଧ ହୋଇପାରି ନାହିଁ।
ଵାର୍ଡ ନମ୍ୱର ୪୬ ସ୍ଥିତ ଶିମିଳି ବସ୍ତି ଏହାର ଉଦାହରଣ। ବସ୍ତିରେ ୨୪ ଘଣ୍ଟିଆ ପାନୀୟ ଜଳ ସୁବିଧା ଏଯାବତ୍ ହୋଇପାରି ନାହିଁ। ଫଳରେ କମ୍ୟୁନିଟି ଶୌଚାଳୟ ଥିଲେ ସୁଦ୍ଧା ପାଣି ଅଭାବରୁ ଲୋକ ହଇରାଣ ହେଉଛନ୍ତି। ପୁଣି ବସ୍ତି ମଧ୍ୟରେ ଥିବା ଗୋଟିଏ କୂଅ ଆବର୍ଜନାରେ ପୂର୍ଣ୍ଣ ହୋଇ ରହିଛି। ସେହିପରି ଅଧିକାଂଶ ଡ୍ରେନ୍ ଉପରେ ସ୍ଲାବ ପଡ଼ିନାହିଁ। ସେହିପରି ଏଯାଏ ସେଠାରେ କମ୍ୟୁନିଟି ହଲ୍ ଯୋଜନାରେ ରହିଯାଇଛି। ଏନେଇ ଵାର୍ଡର କର୍ପୋରେଟର ପୁଷ୍ପା ରାଉତଙ୍କ କହିବା ଅନୁଯାୟୀ ପାଣି ଓ ଡ୍ରେନ କାମ ପାଇଁ ସେ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଛନ୍ତି। କମ୍ୟୁନିଟି ହଲ୍ ନିର୍ମାଣ ପାଇଁ ପ୍ରସ୍ତାବ ଯାଇଛି। ଖୁବ ଶୀଘ୍ର କାମ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି। ସେହିପରି ଵାର୍ଡ ନମ୍ୱର ୪୮ସ୍ଥିତ ମୁଣ୍ଡାସାହି ବସ୍ତି ଓ ଜଳେଶ୍ୱର ବସ୍ତିରେ ଅଧିକାଂଶ ସ୍ଥାନରେ ପେଭର୍ ବ୍ଲକ ଦବିଗଲାଣି। ବର୍ଷା ହେଲେ ବସ୍ତିର ଅଧିକାଂଶ ଘରେ ପଶୁଛି ପାଣି। ବସ୍ତିରେ ମଧ୍ୟ କମ୍ୟୁନିଟି ହଲ୍ ନାହିଁ। ପୂର୍ବରୁ ବସ୍ତିରେ ରୋଟାରି ଓ ବିଏମ୍ସି ସହାୟତାରେ ତିଆରି ହୋଇଥିବା ବାୟୋ ଟଏଲେଟ୍ ପରିଚାଳନା ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏନେଇ ଵାର୍ଡର କର୍ପୋରେଟର ସୁଚିତ୍ରା ପାତ୍ରଙ୍କ କହିବା ଅନୁଯାୟୀ ବସ୍ତିରେ ମହିଳା ସମିତି ଘର ଓ କମ୍ୟୁନିଟି ହଲ୍ ପାଇଁ ପ୍ରସ୍ତାବ ଯାଇଛି। ଡ୍ରେନଗୁଡ଼ିକ ମଧ୍ୟ ସମୟ ବ୍ୟବଧାନରେ ସଫା କରାଯାଉଛି।
ଵାର୍ଡ ନମ୍ୱର ୪୦ସ୍ଥିତ ତାରିଣୀ ବସ୍ତିରେ ବିଭିନ୍ନ ସ୍ଥାନରେ ଆବର୍ଜନା ଗଦା ହୋଇ ରହିଛି। ବସ୍ତିରେ ଥିବା ପାଣି ଟାଙ୍କିକୁ ସଫା କରାଯାଉନାହିଁ। ବସ୍ତିବାସିନ୍ଦା ଡେଙ୍ଗୁରେ ଆକ୍ରାନ୍ତ ହେଉଥିଲେ ସୁଦ୍ଧା ପାଣି ଟାଙ୍କିକୁ ସଫା କରାଯାଉନାହିଁ। ଏ ପର୍ଯ୍ୟନ୍ତ ବସ୍ତିରେ କମ୍ୟୁନିଟି ହଲ୍ ତିଆରି ହୋଇନାହିଁ। ତେବେ ଏନେଇ କର୍ପୋରେଟର ଆସିଆ ବେଗମଙ୍କ କହନ୍ତି ବସ୍ତିରେ ପାଣି ଟାଙ୍ଗିଗୁଡ଼ିକୁ ହଟାଯିବ। ଵାର୍ଡରେ ଏକ ପରିଚୟ ଗୃହ ତିଆରି କରିବାକୁ ପ୍ରସ୍ତାବ ଯାଇଛି ଖୁବ ଶୀଘ୍ର କାମ ଆରମ୍ଭ ହେବ।