ଭୁବନେଶ୍ବର: ଏମ୍ସ ହୃଦ୍ରୋଗ ବିଭାଗର ଏକମାତ୍ର କାଥୋଲ୍ୟାବ୍ ଗତ ୨୯ ତାରିଖରୁ ଅଚଳ ହୋଇ ପଡ଼ିଛି। ଏଥିଯୋଗୁଁ ହୃଦ୍ରୋଗୀଙ୍କ ପରୀକ୍ଷଣ ସହିତ ଚିକିତ୍ସା ବ୍ୟବସ୍ଥା ଠପ୍ ହୋଇପଡ଼ିଛି। ରାଜ୍ୟ ତଥା ବାହାରୁ ଆସୁଥିବା ରୋଗୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ବାଧ୍ୟ ହୋଇ ଅନେକ ରୋଗୀ ଘରୋଇ ଡାକ୍ତରଖାନା ମୁହାଁ ମଧ୍ୟ ହୋଇଛନ୍ତି। ଅପରପକ୍ଷରେ କାଥୋଲ୍ୟାବ୍ର ମରାମତି ଆରମ୍ଭ ହୋଇଛି। ତିନି ମଧ୍ୟରେ ଏହାକୁ ସ୍ବାଭାବିକ କରାଯିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ହୃଦ୍ରୋଗ ବିଭାଗରେ ପ୍ରତିଦିନ ୧୫ରୁ ୧୬ ରୋଗୀଙ୍କ କାଥୋଲ୍ୟାବ୍ରେ ପରୀକ୍ଷଣ ସହିତ ଏଞ୍ଜିଓଗ୍ରାମ, ଏଞ୍ଜିଓପ୍ଲାଷ୍ଟି ସହିତ ପେସ୍ମେକର ଲଗାଯାଏ। ଘରୋଇ ଡାକ୍ତରଖାନାରେ ଏଥିପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଏମ୍ସରେ ୩ ହଜାରରେ ଏହି ପରୀକ୍ଷଣ ହୁଏ। ବିଜୁ ସ୍ବାସ୍ଥ୍ୟ କାର୍ଡ ଥିବା ରୋଗୀମାନେ ମାଗଣାରେ ଏହି ସୁବିଧା ପାଇଥାଆନ୍ତି। ୨୦୧୪ ମସିହାରେ ଇସିଜି ମେସିନ ଏବଂ କିଛି ଅସ୍ଥାୟୀ ଡାକ୍ତରଙ୍କୁ ନେଇ ହୃଦ୍ରୋଗ ବିଭାଗ ଖୋଲିଥିଲା। ୨୦୧୫ରେ କାଥୋଲ୍ୟାବ୍ ସେବା ଆରମ୍ଭ ହୋଇଥିଲା। ରୋଗୀ ସଂଖ୍ୟା ଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ଦୁଇଟି କାଥୋଲ୍ୟାବ୍ ହେବା ଉଚିତ। ମାତ୍ର ତାହା ହୋଇ ପାରିନଥିଲା। ବର୍ତ୍ତମାନ ଏକମାତ୍ର କାଥୋଲ୍ୟାବ୍ ଅଚଳ ହୋଇ ପଡ଼ିବା ରୋଗୀଙ୍କ ସମସ୍ୟା ବଢ଼ାଇ ଦେଇଛି।