ଉତ୍ତର ଭୁବନେଶ୍ବର ବିଜେଡିରେ ବିବାଦ

ଚନ୍ଦ୍ରଶେଖରପୁର: ସାଧାରଣ ନିର୍ବାଚନ ପୂର୍ବରୁ ସରଗରମ ହୋଇଉଠିଛି ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ବିଜେଡି ରାଜନୀତି। ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଭୁବନେଶ୍ବର ବ୍ଲକ ଉପାଧ୍ୟକ୍ଷା ‌ଭାଲେଣ୍ଟିନା ରାଉତଙ୍କ ସମେତ କଲ୍ୟାଣପୁର ପଞ୍ଚାୟତର ସରପଞ୍ଚ, ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ, ନାଏବ ସରପଞ୍ଚ। ଏନେଇ ଗତ ୧୮ ତାରିଖରେ ଭୁବନେଶ୍ବର ବ୍ଲକ ଦାଢ଼ା ପଞ୍ଚାୟତ ଅନ୍ତର୍ଗତ କଲେଜ ଛକଠାରେ ବିଧାୟକଙ୍କୁ ବିରୋଧ କରୁଥିବା ବିଜେଡି ନେତା, କର୍ମୀ ଓ ବିଭିନ୍ନ ମହିଳା ସଙ୍ଗଠନ ଏଥିରେ ସାମିଲ ହୋଇ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ଗତ ୪ ବର୍ଷ ହେଲା ଗ୍ରାମାଞ୍ଚଳ ମେଗା ପାନୀୟ ଜଳ ଯୋଗାଣ କରିବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। ଯେଉଁଥିପାଇଁ ଭୁବନେଶ୍ବର ବ୍ଲକରେ ଥିବା ୫ଟି ପଞ୍ଚାୟତର ଲୋକ ପାଣି ପାଇଁ ଡହଳବିକଳ ହେଉଛନ୍ତି। ନିର୍ବାଚନମଣ୍ଡଳୀରେ ପିସି କାରବାର ଚାଲିଛି। ଠିକାଦାରମାନଙ୍କଠାରୁ ଟଙ୍କା ନେଇ ବିଧାୟକ କାମ ବାଣ୍ଟୁଛନ୍ତି। ନିମ୍ନମାନର କାମ ହେଉଛି। ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ବିଜେଡି ସଙ୍ଗଠନ ଦୁର୍ବଳ ହେଉଛି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାରେ ହସ୍ତ‌େକ୍ଷପ କରିବା ସହ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ସଙ୍ଗଠନକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନିଅନ୍ତୁ।

ବିଧାୟକଙ୍କୁ ବ୍ଲକ ଉପାଧ୍ୟକ୍ଷଙ୍କ ବିରୋଧ
ପାନୀୟ ଜଳ ସମସ୍ୟା, ପିସି କାରବାର ଅଭିଯୋଗ
ଅଭିଯୋଗରେ ସତ୍ୟତା ନାହିଁ, ଭିତ୍ତିହୀନ: ବିଧାୟକ

ଭୁବନେଶ୍ବର ବ୍ଲକ ଉପାଧ୍ୟକ୍ଷା ଭାଲେଣ୍ଟିନା ରାଉତ କହିଛନ୍ତି, ମେଗା ପାନୀୟ ଜଳ ପ୍ରକଳ୍ପର ନାଁ ଗନ୍ଧ ନାହିଁ। ଠିକାଦାରଙ୍କୁ ହାତ କରି ବିଧାୟକ ପିସି କାରବାର କରୁଛନ୍ତି। ବାରମ୍ବାର ଅନୁରୋଧ କରିବା ପରେ ‌ବି ସେ ଆ‌ମ କଥା ଶୁଣୁନାହାନ୍ତି। ମହିଳାମାନେ ପାଣି ପାଇଁ ବାରଦୁଆର ବୁଲୁଛନ୍ତି। ‌ପ୍ରତି ଥର ଗୋଟିଏ ଉତ୍ତର ମିଳୁଛି ଦୁଇ ମାସ ମଧ୍ୟରେ ହେବ। କେବେ ହେବ ବିଧାୟକ ସ୍ପଷ୍ଟ ଭାବେ କହୁନାହାନ୍ତି। ପାନୀୟ ଜଳ ସଙ୍କଟରେ ଲୋକେ ମରିଗଲା ପରେ କ’ଣ ମେଗା ପ୍ରୋଜେକ୍ଟ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ ପଞ୍ଚାୟତରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ୩୦.୪୧ କୋଟି ଟଙ୍କାର ବ୍ୟୟବରାଦ ହୋଇ ପ୍ରଶାସନିକ ଅନୁମତି ପାଇଁ ଯାଇଛି। ଖୁବ୍‌ଶୀଘ୍ର ଟେଣ୍ଡର ହେବ। ମହାନଦୀରେ ପାଣି କମିଥିବାରୁ ତାହାର ପ୍ରଭାବ କୁଆଖାଇ ନଦୀ ଉପରେ ପଡ଼ିଛି। ତେଣୁ ମେଗା ପ୍ରକଳ୍ପ ପାଇଁ ଶେଷ ମୁହୂର୍ତ୍ତରେ ଡିଜାଇନ୍‌ରେ ପରିବର୍ତନ କରିବାକୁ ପଡ଼ିଲା। ଯେଉଁଥିପାଇଁ ବିଳମ୍ବ ହେଉଛି। ୫ ପଞ୍ଚାୟତର ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି। ୨୦ କୋଟି ବ୍ୟୟବରାଦରେ କୁଆଖାଇ ନଦୀ ଉପରେ ପ୍ରତାପନଗରୀ ଓ ଝିଙ୍କରଡିହି ଗ୍ରାମକୁ ସେତୁ ନିର୍ମାଣ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ପ୍ରାୟ ୮ କୋଟି ଟଙ୍କାରେ ୪ଟି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପିସି କାରବାର ନେଇ ଯେଉଁ ଅଭିଯୋଗ ହୋଇଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। କୌଣସି ସତ୍ୟତା ନାହିଁ। ଯଦି ସାହସ ଅଛି ତେବେ ତଥ୍ୟ ଓ ପ୍ରମାଣ ଦେଖାନ୍ତୁ। ସମସ୍ତ ଟେଣ୍ଡର ପ୍ରକ୍ରିୟା ଇ-ଟେଣ୍ଡର ମାଧ୍ୟମରେ କରାଯାଉଛି। ଗତ ୧୪ ବର୍ଷ ମଧ୍ୟରେ ନିର୍ବାଚନମଣ୍ଡଳୀରେ ଯାହା ହୋଇ ନଥିଲା, ତାହା ଗତ ୪ ବର୍ଷ ମଧ୍ୟ‌େର ହୋଇଛି ବୋଲି ବିଧ‌ାୟକ ଜୋର୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର