ବିଜେଡିରୁ ଉଠିଲା ବିରୋଧର ସ୍ୱର

ବିଏମ୍‌ସି ଓ୍ଵାର୍ଡ ସୀମା ନିର୍ଦ୍ଧାରଣ ପ୍ରସଙ୍ଗ, ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ କର୍ପୋରେଟର

ଭୁବନେଶ୍ୱର: ବିଏମ୍‌ସିର ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ପ୍ରସ୍ତୁତ ହୋଇଥିବା ଚିଠା ପ୍ରସ୍ତାବକୁ ବିଜେଡି ଦଳରୁ ବିରୋଧ ଆରମ୍ଭ ହେଲାଣି। କେତେକ କର୍ପୋରେଟର ଭୟରେ ମୁହଁ ଖୋଲୁନଥିବାବେଳେ ଆଜି ଓ୍ଵାର୍ଡ ୪୩ର କର୍ପୋରେଟର ରାଜଲକ୍ଷ୍ମୀ ନାୟକ ଖୋଲାଖୋଲି ଭାବେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ବିରୋଧ କରିଛନ୍ତି। ଏପରିକି ଚିଠା ପ୍ରସ୍ତାବରେ ଯେଉଁ ସୀମା ନିର୍ଦ୍ଧାରଣ ହୋଇଛି ତାକୁ ପରିବର୍ତ୍ତନ କରିବା ଏବଂ ଗତ ନିର୍ବାଚନ ସମୟରେ ଯେଉଁଭଳି ଓ୍ଵାର୍ଡ ସୀମା ଥିଲା ସେଭଳି ରଖିବାକୁ ସେ ଦାବି କରିଛନ୍ତି। କର୍ପୋରେଟର ଓ ତାଙ୍କ ସମର୍ଥକମାନେ ଆଜି ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି ଓ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ତାଙ୍କ ବାସଭବନରେ ଭେଟି ଦାବିପତ୍ର ଦେଇଛନ୍ତି। ବିଏମ୍‌ସି ନିର୍ବାଚନରେ ବିଜେଡି ୬୦ସିଟ୍‌ ଦଖଲ କରିବାକୁ ଯୋଜନା କରି ସେହି ଅନୁଯାୟୀ ଓ୍ଵାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ କରିଥିବା ଚର୍ଚ୍ଚା ହେଉଛି। ଏହାର ପ୍ରମାଣ ୮୫%ରୁ ଅଧିକ ଶାସକ ଦଳର କର୍ପୋରେଟରଙ୍କ ଆସନ ସୁରକ୍ଷିତ ରଖିବା ଏବଂ ବିରୋଧୀ ଦଳର କର୍ପୋରେଟରଙ୍କ ଟିକେଟ୍‌ କାଟିବାକୁ ଓ୍ଵାର୍ଡରେ ସବୁ ଓଲଟପାଲଟ କରିବା ବୋଲି କୁହାଯାଉଛି। କିନ୍ତୁ ଦଳ ଭିତରେ ଗୋଷ୍ଠୀକନ୍ଦଳ ଯୋଗୁଁ ଚିଠା ପ୍ରସ୍ତାବକୁ ବି କେତେକ ବିରୋଧ କରିବା ଆରମ୍ଭ କରିଛନ୍ତି। ଗତ ନିର୍ବାଚନରେ ଓ୍ଵାର୍ଡ ୪୩ରୁ ବିଜେପି ପ୍ରାର୍ଥୀ ହୋଇଥିବା ରାଜଲକ୍ଷ୍ମୀ ନିର୍ବାଚନ ପରେ ବିଜେଡିରେ ଯୋଗଦେଇଥିଲେ। ଏହାପରେ ସେ ବିଜେଡି କର୍ପୋରେଟର ଭାବେ ବିଏମ୍‌ସି କାଉନସିଲ୍‌ ବୈଠକରେ ଗଣତି ହେଉଥିଲେ। ଏପରିକି ବିଜେଡିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ବି ସାମିଲ୍‌ ହେଉଛନ୍ତି। କିନ୍ତୁ ତାଙ୍କ ଅଭିଯୋଗ ଯେ, ତାଙ୍କୁ ହରାଇବା ପାଇଁ ଦଳ ଭିତରେ କିଛି ନେତା ଚକ୍ରାନ୍ତ କରୁଛନ୍ତି। ଯେଉଁଥିପାଇଁ ଏବେ ଓ୍ଵାର୍ଡରେ ଯେଉଁ ସବୁ ଅଞ୍ଚଳ ଅଛି ଚିଠା ପ୍ରସ୍ତାବରେ ସେଥିରେ ଆମୂଳଚୁଳ ପରିବର୍ତ୍ତନ କରାଯାଇଛି। ତେଣୁ ଏହାର ପ୍ରତିବାଦ କରି ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଛନ୍ତି।

ଶ୍ରୀମତୀ ନାୟକଙ୍କ ଅଭିଯୋଗ ଯେ, ଏବେ ତାଙ୍କର ୪୩ ନଂ ଓ୍ଵାର୍ଡରେ ଥିବା ପୋଷ୍ଟ ଅଫିସ୍‌ ଲେନ୍‌, ସନ୍ତୋଷୀ ବିହାର, ଫିସାରି ପୋଖରୀ ଅଞ୍ଚଳ ଆଦିକୁ ବାଦ୍‌ ଦେଇ ଅନ୍ୟ ଓ୍ଵାର୍ଡରେ ମିଶାଯାଇଛି। ଓ୍ଵାର୍ଡ ୪୩କୁ ସୀମା ପୁନଃ ନିର୍ଦ୍ଧାରଣ ପରେ ଓ୍ଵାର୍ଡ ୪୯ କରାଯାଇଛି। ଏଥିରେ ଲକ୍ଷ୍ମୀସାଗର ଗାଁ, ତୈଳ ସାହି, ଲକ୍ଷ୍ମୀସାଗର ହାଇସ୍କୁଲ, ଭୋଇ ସାହି, ଏମ୍‌ଆଇଜି କ୍ୱାର୍ଟର୍ସ, ଶନି ମନ୍ଦିର ଅଞ୍ଚଳ ରହିଛି। ଏବେ ଓ୍ଵାର୍ଡ ୪୩ରେ ଥିବା ବହୁ ଅଞ୍ଚଳକୁ ଓ୍ଵାର୍ଡ ୫୧ରେ ସାମିଲ୍‌ କରାଯାଇଛି। ଓ୍ଵାର୍ଡ ୫୧ରେ ଚମ୍ପା ପୋଖରୀ, ବିଶ୍ୱାଳ କମ୍ପ୍ଲେକ୍ସ, ଚିନ୍ତାମଣିଶ୍ୱର ମନ୍ଦିର ଅଞ୍ଚଳ, ଶବର ସାହି, କଳ୍ପନା ଫ୍ଲାଟ୍‌, ବିଜେବି ନଗର ହାଟ ଅଞ୍ଚଳ, ପୋଷ୍ଟ ଅଫିସ୍‌ ଲେନ୍‌, ଫିସାରି ପୋଖରୀ ଅଞ୍ଚଳ, ଚିନ୍ତାମଣିଶ୍ୱର ବସ୍ତି ଆଦି ରହିଛି। ବିଏମ୍‌ସିର ଓ୍ଵାର୍ଡ ସୀମା ପୁନଃନିର୍ଦ୍ଧାରଣରେ ଓ୍ଵାର୍ଡ ସଂଖ୍ୟା ବଢ଼ିନଥିବାରୁ ଆମ ଓ୍ଵାର୍ଡକୁ ପୂର୍ବପରି ରଖାଯାଉ ବୋଲି କର୍ପୋରେଟର ଓ ତାଙ୍କ ସମର୍ଥକମାନେ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଦାବିପତ୍ର ପାଇବା ପରେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କହିଛନ୍ତି ଯେ, ନିୟମ ଅନୁଯାୟୀ ଯାହା ହୋଇପାରିବ ତାହା କରାଯିବ। ଆବଶ୍ୟକ ପଡ଼ିଲେ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବେ। ଅପରପକ୍ଷେ ଚିଠା ପ୍ରସ୍ତାବରେ ଓ୍ଵାର୍ଡ ୫୧ ଏବଂ ବର୍ତ୍ତମାନ ଥିବା ଓ୍ଵାର୍ଡ ୪୫ର କର୍ପୋରେଟର ଅମରେଶ ଜେନାଙ୍କୁ ଏନେଇ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଓ୍ଵାର୍ଡ ୪୩ କର୍ପୋରେଟର ଓ୍ଵାର୍ଡ ମ୍ୟାପ୍‌ ଦେଖିନାହାନ୍ତି। ଭୁଲ୍‌ ତଥ୍ୟ ଦେଖି ସେ ଏପରି ବିରୋଧ କରୁଛନ୍ତି। ସେ ଯେଉଁ ଫିସାରି ପୋଖରୀକୁ ନେଇ ବିରୋଧ କରୁଛନ୍ତି ତାହାର ପଶ୍ଚିମ ପାର୍ଶ୍ୱ ନୂଆ କରି ଗଠନ ହୋଇଥିବା ଓ୍ଵାର୍ଡ ୪୯ରେ ଯାଉଥିବାବେଳେ ପୂର୍ବ ପାର୍ଶ୍ୱ ଓ୍ଵାର୍ଡ ୫୧ରେ ଯାଉଛି। ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ସଂପୂର୍ଣ୍ଣ ଠିକ୍‌ ଭାବେ ହୋଇଛି।

ସମ୍ବନ୍ଧିତ ଖବର