ବିଏମ୍‌ସିରେ ଅରାଜକତା: ବାରମ୍ବାର ବଦଳି ପରେ ବି ଗାଦି ଛାଡ଼ୁ ନାହାନ୍ତି

କାର୍ଯ୍ୟକାରୀ ହେଉନି ବଦଳି ଆଦେଶ

ଭୁବନେଶ୍ବର: ସରକାର ବଦଳି ଆଦେଶ ଦେଉଛନ୍ତି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ମାନୁ ନାହାନ୍ତି। ଜଣେ ଜଣେ ଅଫିସର୍‌ଙ୍କ ଦୁଇ ଦୁଇଥର ବଦଳି ହୋଇଥିଲେ ମଧ୍ୟ ସରକାରୀ ଆଦେଶକୁ ଫୁ’ କରିଦେଇଛନ୍ତି। ନା ବିଏମ୍‌ସି କର୍ତ୍ତୃପକ୍ଷ ଏହି ଆଦେଶ ପାଳନକୁ କଡ଼ାକଡ଼ି କରୁଛନ୍ତି ନା ଆଦେଶ ଦେଉଥିବା ସରକାରୀ ବିଭାଗ ଏ ବାବଦରେ ତାଗିଦ୍‌ କରୁଛନ୍ତି। ଦୀର୍ଘ ଦିନ ହେବ ବିଏମ୍‌ସିରେ ଏଭଳି ଅରାଜକତା ଚାଲିଛି। ଅଫିସର୍‌ମାନେ ଭଲ କାମ କରୁଛନ୍ତି, ଏଣୁ ବଦଳି ହୋଇଗଲେ ଅନେକ ଉନ୍ନୟନ କାମ ଠପ୍‌ ହୋଇଯିବ ଦର୍ଶାଇ ଅଧିକାରୀମାନଙ୍କୁ ଛାଡ଼ୁ ନଥିବା କର୍ତ୍ତୃପକ୍ଷ କହୁଛନ୍ତି। କିନ୍ତୁ ଯେଉଁମାନେ ଯାଉନାହାନ୍ତି, ସେମାନଙ୍କ ଦାୟିତ୍ବରେ ଥିବା ଉପ-ବିଭାଗଗୁଡ଼ିକରେ ଯାବତୀୟ କେଳେଙ୍କାରୀ ହେବାର ଅଭିଯୋଗ ରହିଛି। ଏ କଥା କମିସନର୍‌ ଜାଣି ପାରୁନାହାନ୍ତି ନା ଜାଣି ଜାଣି ସେମାନଙ୍କୁ ସୁରକ୍ଷା ଦେଉଛନ୍ତି? ଏମିତି କ’ଣ ଲାଭ ପାଉଛନ୍ତି ଯେ କମିସନର ସରକାରୀ ନିର୍ଦ୍ଦେଶକୁ ଦଳିମକଚି ଦେଉଛନ୍ତି? ଅନ୍ୟପଟେ ବାରମ୍ବାର ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନଥିଲେ ମଧ୍ୟ ସରକାର ଏହାକୁ ଗୁରୁତ୍ବର ସହ କାହଁକି ନେଉନାହାନ୍ତି; ଏଭଳି ଅନେକ ପ୍ରଶ୍ନ ଏବେ ସମ୍ପୃକ୍ତ ଅଧିକାରୀଙ୍କ ସମେତ କମିସନର୍‌ ଓ ବିଭାଗୀୟ ଅଧିକାରୀଙ୍କୁ ବିବାଦକୁ ଟାଣିଛି।

ଅତିରିକ୍ତ କମିସନର୍‌ ବିନୟ କୁମାର ଦାସ। ପୂର୍ବରୁ ଏଠାରେ ଡେପୁଟି କମିସନର୍‌ ଥିଲେ। ପଦୋନ୍ନତି ପାଇବା ପରେ ପୁରୀ ଏଡିଏମ୍‌ ଭାବେ ବଦଳି ହୋଇଥିଲେ। ସେଠାରୁ ସେ ପୁଣି ବିଏମ୍‌ସି ଫେରିଲେ। ଗତ ଜାନୁଆରିରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତାଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଭାବରେ ବଦଳି ଆଦେଶ ଜାରି କରିଥିଲା। ହେଲେ ସେ ଗଲେ ନାହିଁ। ଏଠାରେ ରାଜସ୍ବ ଭଳି ବଡ଼ ଦାୟିତ୍ବରେ ରହିଲେ। ତାଙ୍କ ସମୟରେ ହୋର୍ଡିଂରେ କେଳେଙ୍କାରୀ ହୋଇଥିବା ନେଇ ଅଭିଯୋଗ ଆସିଲା। ଘରୋଇ ଜାଗାରେ ଲାଗିଥିବା ହୋର୍ଡିଂରୁ ବିଏମ୍‌ସି ଟଙ୍କାଟିଏ ପାଉ ନଥିଲା। କର୍ମଚାରୀ ଓ ଅଧିକାରୀମାନେ ଘରୋଇ ଜାଗାରେ ଲାଗୁଥିବା ବିଜ୍ଞାପନରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ବିଏମ୍‌ସିର ରାଜସ୍ବ ହାନି ହେଉଥିବା ଚର୍ଚ୍ଚା ହେଉଥିଲା। ଠିକ୍‌ ସେହିଭଳି ପାର୍କିଂ ବ୍ୟବସ୍ଥା ସବୁଠାରୁ ଅବ୍ୟବସ୍ଥିତ ଥିଲା। ଜଣେ ଜଣେ ଠିକାଦାରଙ୍କୁ ମାସିକିଆ, ଦୁଇମାସିଆ ନିଲାମ ଦିଆଯାଉଥିଲା। ଏଥିରେ ମଧ୍ୟ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା। ଏ ସବୁ ସତ୍ତ୍ବେ କମିସନର ତାଙ୍କୁ ରିଲିଭ୍‌ କରିନଥିଲେ।

ବିଏମ୍‌ସି ଡେପୁଟି କମିସନର ଗାୟତ୍ରୀ ସାମନ୍ତରାୟ। ତାଙ୍କ ହାତରେ ଏବେ ଏଷ୍ଟାବ୍ଲିସ୍‌ମେଣ୍ଟ ଉପବିଭାଗ ରହିଛି। ୨୦୨୧ ମସିହା ଅଗଷ୍ଟ ୧୮ ତାରିଖ‌ରେ ତାଙ୍କର ବଦଳି ହୋଇଥିଲା। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତାଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟାଙ୍କ ଓଏସ୍‌ଡି ଭାବରେ ବଦଳି କରିଥିଲା। ଆଦେଶରେ ଏ କଥା ବି ଲେଖିଲା କି ତାଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଫେରାଇ ଅଣାଯାଉଛି ଓ ନୂଆ ପଦରେ ନିଯୁକ୍ତି ଦିଆଯାଉଛି। ତୁରନ୍ତ ନୂଆ ପଦବିରେ ଯୋଗଦାନ କରିବାକୁ ମଧ୍ୟ ତାଗିଦ୍‌ କଲା। କିନ୍ତୁ ଏହି ମହିଳା ଅଧିକାରୀ ବିଏମ୍‌ସି ଛାଡ଼ିଲେ ନାହିଁ। ଏହି ଅବଧି ମଧ୍ୟରେ ଏଷ୍ଟାବ୍ଲିସ୍‌ମେଣ୍ଟ ଉପବିଭାଗରେ ଯାବତୀୟ କେଳେଙ୍କାରୀର ଅଭିଯୋଗ ହେଲା। ଅନେକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସେମାନଙ୍କର ପ୍ରାପ୍ୟ ନ ମିଳିବାରୁ ସରକାରଙ୍କ ପର୍ଯ୍ୟନ୍ତ ଅଭିଯୋଗ ଗଲା। ଦୁର୍ବ୍ୟବହାର ନେଇ ଜଣେ ମହିଳା କର୍ମଚାରୀ ମଧ୍ୟ ଅଭିଯୋଗ ଆଣିଲେ। ଅବସର ଯଥେଷ୍ଟ ପୂର୍ବରୁ କର୍ମଚାରୀଙ୍କର କ୍ବାର୍ଟର୍ସ ଛାଡ଼ିବା କିମ୍ବା ଅନ୍ୟାନ୍ୟ ବକେୟା ଆଦାୟ କରିବା ନିୟମ ରହିଛି। କିନ୍ତୁ ଅବସର ପରେ କର୍ମଚାରୀଙ୍କୁ କ୍ବାର୍ଟର୍ସ ଛାଡ଼ିବାକୁ ଚିଠି ଦେଇ ବିବାଦକୁ ଆମନ୍ତ୍ରଣ କରିଥିଲେ। ଏସବୁ ସତ୍ତ୍ବେ କମିସନର ତାଙ୍କୁ ଛାଡ଼ି ନଥିଲେ।

ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁଙ୍କର ଏବେ ପଦୋନ୍ନତି ହୋଇଛି। ଅତିରିକ୍ତ ସଚିବ ପଦକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏହି ପଦୋନ୍ନତି ଦେଇଛି। ଗତବର୍ଷ ତାଙ୍କର ଖୋର୍ଦ୍ଧା ଏଡିଏମ୍‌ ଭାବରେ ବଦଳି ହୋଇଥିଲା। ଏହା ପରେ ଆଉ ଥରେ ତାଙ୍କର ସ୍ବତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ ଭାବରେ ମଧ୍ୟ ବଦଳି ହୋଇଥିଲା। କିନ୍ତୁ ସେ ଯାଇ ନଥିଲେ। ତାଙ୍କ ସମୟରେ ପରିମଳ ପରିଚାଳନା ପ୍ରସଙ୍ଗ ଚର୍ଚ୍ଚାରେ ରହିଥିଲା। ବାୟୋମାଇନିଂ ପ୍ରକଳ୍ପ ପ୍ରତିଷ୍ଠା ହୋଇ ପାରୁନଥିଲା। ଆବର୍ଜନା ସଫେଇ ଟେଣ୍ଡର୍‌କୁ ନେଇ ବିବାଦ ହୋଇଥିଲା। ଚାରିଆଡ଼େ ଜମା ହୋଇ ରହୁଥିବା କୁଢ଼କୁଢ଼ ଆବର୍ଜନାକୁ ନେଇ ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହୋଇଥିଲା। ଏବେ ତାଙ୍କର ପଦୋନ୍ନତି ହେବା ପରେ ସେ ଏଠାରେ ହିଁ ଅତିରିକ୍ତ କମିସନର ଭାବରେ ନିଯୁକ୍ତି ପାଇବା ନେଇ ଚର୍ଚ୍ଚା ହେଉଛି।

ଡେପୁଟି କମିସନର୍‌ ରମେଶ ଚନ୍ଦ୍ର ଜେନା। ସେ ଏବେ ବସ୍ତି ଉନ୍ନୟନ ଓ ଗୃହ ନିର୍ମାଣ ସମେତ ଆଣ୍ଟି ପଭର୍ଟି କାର୍ଯ୍ୟକ୍ରମର ଦାୟିତ୍ବରେ ରହିଛନ୍ତି। ତାଙ୍କର ମଧ୍ୟ ଏଠାରୁ ବଦଳି ହୋଇଛି। ହେଲେ ସେ ଯାଇ ନାହାନ୍ତି। ଯଦିଓ ତାଙ୍କ ନାମରେ କୌଣସି କେଳେଙ୍କାରୀର ଅଭିଯୋଗ ନାହିଁ। ଠିକ୍‌ ସେହିଭଳି ସହକାରୀ କମିସନର ପଲ୍ଲବୀ ବେହେରାଙ୍କର କଟକ ମହାନଗର ନିଗମକୁ ବଦଳି ହୋଇଛି। ହେଲେ ସେ ମଧ୍ୟ ଯାଇନାହାନ୍ତି। କିନ୍ତୁ କିରାଣୀସ୍ତରରେ ଯେଉଁ ବଦଳି ହେଉଛି, ତାହା ତୁରନ୍ତ କାର୍ଯ୍ୟକାରୀ ହେଉଛି। ଏଠାରୁ କିରାଣୀସ୍ତରର କର୍ମଚାରୀମାନେ କୋରାପୁଟ ଓ ରେମୁଣା ଭଳି ଦୂର ଜାଗାକୁ ବଦଳି ହୋଇଛନ୍ତି। କିନ୍ତୁ ଅଧିକାରୀମାନେ ବଦଳି ସତ୍ତ୍ବେ ଯାଉ ନଥିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର