ବିଏମ୍‌ସି ହସ୍ପିଟାଲ୍‌ ସମସ୍ୟା ନେଇ ଉଚ୍ଚସ୍ତରୀୟ ବୈଠକ, ସ୍ବାସ୍ଥ୍ୟ ବିଭାଗ ପରିଚାଳନା ଦାୟିତ୍ବ ନେବାକୁ ପ୍ରସ୍ତାବ

ଭୁବନେଶ୍ବର: ବିଏମ୍‌ସି ହସ୍ପିଟାଲ୍‌ର ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିଧାନସଭା ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ସହ ଆଲୋଚନା କରି ହସ୍ପିଟାଲ୍‌ର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ପ୍ରତିନିଧି ମଣ୍ଡଳୀରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ସାମିଲ ହୋଇଥିଲେ। ତୁରନ୍ତ ଏହି ସ୍ବାସ୍ଥ୍ୟାନୁଷ୍ଠାନର ପରିଚାଳନା ଦାୟିତ୍ବ ନଗର ଉନ୍ନୟନ ବିଭାଗ ଅଧିନରୁ କାଢ଼ି ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଗୁରୁତ୍ବାରୋପ କରିଥିଲେ।

ଦୈନିକ ହସ୍ପିଟାଲ୍‌କୁ ହଜାରରୁ ଊର୍ଧ୍ବ ରୋଗୀ ଅସୁଥିବା ବେଳେ ଡାକ୍ତର ଅଭାବ ଯୋଗୁଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହାଛଡ଼ା ଆସିଷ୍ଟାଣ୍ଟ ସର୍ଜନ, ଶଲ୍ୟ ଚିକିତ୍ସା ବିଶେଷଜ୍ଞ, ନିଶ୍ଚେତକ ବିଶେଷଜ୍ଞ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ନଥିବାରୁ ଗୁରୁତର ଅବସ୍ଥା ଦେଖାଦେଇଛି। ସେହିପରି ଅସ୍ତ୍ରୋପଚାର କକ୍ଷ ନିମନ୍ତେ ଆବଶ୍ୟକ ଆସବାବପତ୍ର, ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବୈଠକରେ ଦାବି କରାଯାଇଛି। ବିଏମ୍‌ସିରେ ରହିଥିବା ୨୨ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ତିନୋଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପଣ୍ଡା ମତାମତ ଦେଇଥିଲେ। ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ପ୍ରତିଶ୍ରୁତି ଦେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ଉପସ୍ଥିତ ସ୍ବାସ୍ଥ୍ୟ ବିଭାଗୀୟ ପଦାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ବୈଠକରେ ପୌର ପ୍ରଶାସନ ନିର୍ଦେଶକ ସଂଗ୍ରାମଜିତ ନାୟକ, ବିଏମ୍‌ସି ହସ୍ପିଟାଲ୍‌ର ମୁଖ୍ୟ ଚିକିତ୍ସାଧିକାରୀ ଗଣେଶ ପ୍ରସାଦ ଦାସ, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ପ୍ରମୋଦ ମହାପାତ୍ର, ବିରଞ୍ଚି ନାରାୟଣ ମହାସୂପକାର, ସୁଜିତ ସ୍ବାଇଁ, ଆଇନ୍‌ଜୀବୀ ସୁରେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର