ଚିକେନ୍‌ ବଜାରରେ କରୋନା‌ ମାଡ଼: ଦର ଖସୁଛି, ବେପାରୀ ଚିନ୍ତାରେ

ଭୁବନେଶ୍ବର ପାଖାପାଖି ଦେଢ଼ମାସ ଧରି ଚିକେନ୍‌ ବଜାର ଉପରେ କରୋନା ଚଡ଼କ ପଡ଼ିଛି। ପ୍ରଥମେ ଚିକେନ୍‌ ପାଇଁ କରୋନା ସଂକ୍ରମଣ ହେଉଥିବ‌ା ଗୁଜବ ଓ ଏବେ ହଜାର ହଜାର ଶ୍ରମିକ ବେରୋଜଗାର ହୋଇ ପଡ଼ିଥିବାରୁ ଚିକେନ୍ ବଜାର ପ୍ରଭାବିତ ହୋଇଛି। ଫଳରେ କିଛି ଦିନ ପାଇଁ ବୃଦ୍ଧି ପାଇଥିବା ଦର ପୁଣି ହ୍ରାସ ପାଉଛି। ଅପରପକ୍ଷେ ଏଥିଯୋଗୁଁ ଶହଶହ କାଉଣ୍ଟର ହାତବାନ୍ଧି ବସିଥିବାରୁ ଏଥିରେ ନି‌େୟାଜିତ ଶ୍ରମିକମାନେ ରୋଜଗାର ହରାଇଲେଣି।

ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଚିକେନ୍‌ ଦର କିଲୋ ପିଛା ୧୨୦/୧୩୦ଟଙ୍କା ଥିଲା। ପସନ୍ଦ ମୁତାବକ କଣ୍ଟା ଯୁକ୍ତ(ଲେଗ୍‌ ପିସ୍‌) ଚିକେନ୍‌ କିଲୋ ୧୫୦/୧୬୦ ଟଙ୍କା ଥିଲା। କିନ୍ତୁ ମାର୍ଚ୍ଚ ମଧ୍ୟଭାଗକୁ ହଠାତ୍ କରୋନା ଗୁଜବ ଏହି ବଜାରକୁ ମାନ୍ଦା କରିଦେଲା। ଚିକେନ୍‌ ଖାଇଲେ କରୋନା ସଂକ୍ରମଣ ହେଉଛି ବୋଲି ଗୁଜବ ଖେଳିଗଲା ଓ ବହୁ ଲୋକ ଭୟରେ ଚିକେନ୍ ଖାଇବା ଛାଡ଼ିଦେଲେ। ପରିସ୍ଥିତି ଏମିତି ହେଲା ଯେ ଚିଅାଁ ଉତ୍ପାଦନ କରୁଥିବା ହ୍ୟାଚେରି ସବୁ ଚିଅାଁ ନଷ୍ଟ କରିବାକୁ ବାଧ୍ୟ ହେଲେ। ଏହାପରେ କରୋନା କଟକଣା ତାଲାବନ୍ଦ ପରେ ଅବସ୍ଥା ଆହୁରି ସଂଗିନ୍ ହୋଇପଡ଼ିଲା। ବହୁ ଫାର୍ମ ମାଲିକମାନେ ଯାଚି ଗୁଞ୍ଜି କୁକୁଡ଼ା ବାଣ୍ଟି ପକାଇଲେ। ଦୁଇକିଲିଆ କୁକୁଡ଼ା ଗୋଟାକୁ ୫/୧୦ ଟଙ୍କାରେ ଦେଇ ଫାର୍ମ ଖାଲି କରି ପକାଇଲେ। ସେତେବେଳେ ଚିକେନ୍ ବଜାରରେ ଦୋକାନୀମାନେ କିଲୋ ୪୦/୫୦ ଟଙ୍କାରେ ବିକିଲେ। ତେବେ ଏପ୍ରିଲ୍‌ ମଧ୍ୟ ଭାଗକୁ ଏହି ଚିତ୍ର ବଦଳିଗଲା। ଧୀରେ ଧୀରେ ଚିକେନ୍ ଦର ବଢ଼ିବାରେ ଲାଗିଲା। ଫାର୍ମଗୁଡ଼ିକରେ ଉତ୍ପାଦନ କମ୍ ଥିବା ବେଳେ ବଜାର ଚାହିଦା ବୃଦ୍ଧି କାରଣରୁ ଚିକେନ୍‌ ଦର ବଢ଼ି ବଢ଼ି କିଲୋ ୧୬୦ ଟଙ୍କାରେ ପହଞ୍ଚିଗଲା। ଏପ୍ରିଲ୍ ତୃତୀୟ ସପ୍ତାହ ବେଳକୁ ପୁଣି ଦର ବୃଦ୍ଧି ଘଟିଲା ଓ ଦର ୧୮୦ ଟଙ୍କାକୁ ଛୁଇଁଗଲା ଓ ଲେଗ୍‌ ପିସ୍ କିଲୋ ୨୨୦ ଟଙ୍କା ହୋଇଯାଇଥିଲା। କିନ୍ତୁ ପୁଣି ହଠାତ୍ ବଜାର ପ୍ରଭାବିତ ହେବା ଲକ୍ଷ୍ୟ କରାଗଲା। ମେ ପ୍ରଥମ ସପ୍ତାହରୁ ଦର ହ୍ରାସ ଘଟି ଚାଲିଛି।

ଗତ ଦୁଇ ଦିନ ଭିତରେ ଦର ହ୍ରାସ ପାଇ ୧୫୦ ଟଙ୍କାରେ ପହଞ୍ଚି ଯାଇଛି। ବିକ୍ରି ହ୍ରାସ ପାଇଥିବାରୁ ଏବେ କାଉଣ୍ଟରରେ ଆଉ ବାଛି ବାଛି କଣ୍ଟା ପିସ୍‌ ଦେଉନାହାନ୍ତି। ଭୁବନେଶ୍ବରରେ କାଉଣ୍ଟର କରିଥିବା ବ୍ୟବସାୟୀମାନଙ୍କ କହିବା କଥା, ଏବେ ଫାର୍ମମାନଙ୍କ‌ରେ ଉତ୍ପାଦନ କମ୍ ଅଛି। ବଜାରକୁ ମାଲ୍ ଯୋଗାଉଥିବା ସୁଗୁଣା, ପଶୁପତି, ଇଷ୍ଟର୍ଣ୍ଣ, ସାଲିମାର୍, ପଲିଟେକ୍‌, ପ୍ରମିୟମ୍‌ ଆଦି ଫାର୍ମମାନେ କମ୍ ଉତ୍ପାଦନ କରୁଛନ୍ତି। କିନ୍ତୁ ବଜାର ଚାହିଦା ବେଶ୍ କମିଛି। ପ୍ରଥମ କାରଣ ହେଲା ଦେଢ଼ ମାସରୁ ଅଧିକ କାଳ ଧରି କାମ ଧନ୍ଦା ହରାଇ ବେରୋଜଗାର ବସି ରହିଥିବା ଶ୍ରମିକମାନେ ଏହି ବଜାରକୁ ଆଡ଼ ନଜର‌ରେ ଚାହିଁ ପାରୁନାହାଁନ୍ତି। ରାଜଧାନୀର ଏହି ଶ୍ରମିକ ଶ୍ରେଣୀ ଚିକେନ୍‌ ବଜାରର ବଡ଼ ଗ୍ରାହକ। ମାତ୍ର ଏବେ ଏହି ଗ୍ରାହକଶ୍ରେଣୀ ଚିକେନ୍ ବଜାର ପାଇଁ ଅଭାବ ପାଲଟି ଯାଇଛନ୍ତି। ସେହିଭଳି ତାଲାବନ୍ଦ ପାଇଁ ବିବାହ କାର୍ଯ୍ୟକ୍ରମ ବନ୍ଦ, ଢ଼ାବା, ହୋଟେଲ, ରେସ୍ତୋରାଁ, ଫାଷ୍ଟ ଫୁଡ୍‌ ଆଦି ବଜାର ବନ୍ଦ ପଡ଼ିଥିବା ମଧ୍ୟ ଚିକେନ୍‌ ବଜାରକୁ ସମସ୍ୟାରେ ପକାଇଛି। ଦୈନିକ ୨୫୦ ପିସ୍‌ କୁକୁଡ଼ା ବିକ୍ରି ହେଉଥିବା ସ୍ଥାନରେ ଏବେ ୧୦୦ ପିସ୍‌ ବିକିବା ସମ୍ଭବ ହେଉନାହିଁ।

ସମ୍ବନ୍ଧିତ ଖବର