କରୋନା ଛାଟରେ ଛଟପଟ, ରାସ୍ତାରେ ଠିଆ କଲା କରୋନା

ଭୁବନେଶ୍ବର: ‘ବାବୁ, କିଛି ପଇସା ଦିଅନ୍ତୁ, ପିଲାଟା ଭୋକ ସମ୍ଭାଳି ପାରୁନି। ଗତକାଲିଠାରୁ କିଛି ଖାଇନି। କଅଁଳ ପେଟ କେମିତି ଭୋକ ସହିବ ବାବୁ? ମୁଁ ଆପଣଙ୍କ ପାଇଟି କରି ସୁଝିଦେବି ବାବୁ! କାମ ମିଳିନି ବୋଲି ମୁଁ ଛୁଆଟା ପାଇଁ ରାସ୍ତାକୁ ଗୋଡ଼ କାଢ଼ିଛି ବାବୁ। ଦିଅନ୍ତୁ ବାବୁ, ମୋ ପ‌ାଇଁ ମାଗୁନି ବାବୁ, ପିଲାଟା ପାଇଁ ମାଗୁଛି!’ ବଡ଼ଗଡ଼ ମେଘେଶ୍ବର ମନ୍ଦିର ନିକଟରେ ଉଦୁଉଦିଆ ଖରା ବେଳଟାରେ ଏମିତି ବିକଳ ହୋଇ ଭିକ ମାଗୁଥିବା ଜଣେ ମହିଳାଙ୍କ ଦୁଃଖ ଆଜି ଉକ୍ତ ରାସ୍ତାରେ ଯାଉଥିବା ବହୁ ଲୋକଙ୍କ ଛାତି ଥରାଇ ଦେଇଥିଲା। ମହିଳାଜଣକ ଥିଲେ ଲକ୍ଷ୍ମୀ ମାଳି(୪୫)। ତାଙ୍କ ସ୍ବାମୀ ରାଜୁ ମାଳି(୫୦) ଅସୁସ୍ଥ। ଦୀର୍ଘ ବର୍ଷ ହେଲା ସେମାନେ ରାଜଧାନୀକୁ ଚାଲି ଆସିଥିଲେ ରୋଜଗାର କରି ପେଟ ପୋଷିବାକୁ। ୩ ଝିଅ ଓ ୨ ପୁଅଙ୍କୁ ନେଇ ସାତ ପ୍ରାଣୀ କୁଟୁମ୍ବର ବୋଝ ଥିଲା ରାଜୁ ଓ ଲକ୍ଷ୍ମୀଙ୍କ ଉପରେ। କିନ୍ତୁ କେବେ କାହା ପାଖରେ ହାତ ପାତି ନଥିଲେ।

ଦୁଇଜଣଯାକ ପରିଶ୍ରମ କରି ଯାହା ରୋଜଗାର କରୁଥିଲେ, ତାହା ପରିବାର ପାଇଁ ଯଥେଷ୍ଟ ହେଉ ନଥିଲା। କିନ୍ତୁ ସେମାନେ ସେତିକିରେ ମାପିଚୁପି ଚଳି ଯାଉଥିଲେ। ତେବେ ଠିକ୍‌ ଏତିକିବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ରାଜୁ। ଆଉ କଠିନ ପରିଶ୍ରମ କରିପାରିଲେ ନାହିଁ। ତେବେ ସେ ବଜାରରେ ବୁଲି ବୁଲି ଛୋଟମୋଟ ବୋଲହାକ କାମ କରି କିଛି ରୋଜଗାର କଲେ। ସୌଭାଗ୍ୟକୁ ୩ ଝିଅ ଓ ଗୋଟିଏ ପୁଅକୁ ଏକ ସଂସ୍ଥା ନେଇ ଏକ ଆବାସିକ ବିଦ୍ୟାଳୟରେ ମାଗଣାରେ ପଢ଼ାଉଛି। ଖାଇବା ପିଇବାଠାରୁ ପଢ଼ା ଖର୍ଚ୍ଚ ସବୁ ବହନ କରୁଛି ଉକ୍ତ ବିଦ୍ୟ‌ାଳୟ। ତେବେ ଲକ୍ଷ୍ମୀଙ୍କ ରୋଜଗାର ଏବେ ରାଜୁଙ୍କ ମୁଖ୍ୟ ଭରସା। ସେ ହାଟରେ ବା ରାସ୍ତାକଡ଼ ଫାଷ୍ଟଫୁଡ୍‌ ମାର୍କେଟ୍‌ରେ ଛୋଟମୋଟ ବୋଲହାକ (ପାଣି ବୋହିବା ଭଳି) କାମ କରି କିଛି ପଇସା ପାଆନ୍ତି। ଗତବର୍ଷ କରୋନା ପାଇଁ ସେମାନେ ବଡ଼ କଷ୍ଟ ପାଇଥିଲେ। ଘର ଭଡ଼ା ଦେବାକୁ ସକ୍ଷମ ନହେବାରୁ ବାଧ୍ୟ ହୋଇ ବସ୍ତିରୁ ଭଡ଼ା ଘର ଛାଡ଼ିଲେ। କୋଳର ପିଲାକୁ ଧରି ଏକ ସରକାରୀ ବିଦ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ଏହା ଭିତରେ ଲକ୍ଷ୍ମୀ ମଧ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ବାମ ହାତ ପୂର୍ବ ଭଳି କାମ କରୁନାହିଁ। କି ରୋଗ ହୋଇଛି, ସେ ଜାଣନ୍ତି ନାହିଁ। ଡାକ୍ତରଙ୍କ ପାଖକୁ ଯିବାକୁ ଲକ୍ଷ୍ମୀ ରାଜି ନୁହନ୍ତି। କାରଣ ଔଷଧ ପାଇଁ ପଇସା କୋଉଠୁ ଯୋଗାଡ଼ କରିବେ ବୋଲି ସେ କୁହନ୍ତି। ତେଣୁ ରୋଗର ଯନ୍ତ୍ରଣାକୁ ସେ ନିଜ ଭିତରେ ଚାପି ରଖିଛନ୍ତି।

କ‌ରୋନାର ଦ୍ବିତୀୟ ଲହର ତାଙ୍କୁ ବଡ଼ ଦାଣ୍ଡକୁ ଟାଣି ଆଣିଛି ବୋଲି କହିଛନ୍ତି ଲକ୍ଷ୍ମୀ। ରାତି କର୍ଫ୍ୟୁ ସାଙ୍ଗକୁ ଶନିବାର ଓ ରବିବାର ସଟ୍‌ଡାଉନ୍‌ ଲାଗି ରାଜୁଙ୍କୁ ଆଉ ବଜାର ହାଟରେ ସେମିତି ବୋଲହାକ କାମ ମିଳୁ ନାହିଁ। ବେପାରୀମାନେ କ୍ଷତିରେ ବ୍ୟବସାୟ କରୁଥିବା କହି ରାଜୁକୁ କାମ ଦେଉନାହାନ୍ତି। ସମାନ ଅବସ୍ଥା ଲକ୍ଷ୍ମୀଙ୍କ ପ‌ାଇଁ। ଗତ କିଛି ଦିନ ହେଲା ସେ ବି ଆଉ କାମ ପାଉ ନାହାନ୍ତି। ତେଣୁ ଗତ କିଛି ଦିନ ହେଲା ମେଘେଶ୍ବର ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ତାଙ୍କୁ କିଛି ପଇସା ଦେଉଥିଲେ। ଏହି ପଇସାରେ ରାଜୁ ଓ ଲକ୍ଷ୍ମୀ ଆଗ ପିଲାଟା ପାଇଁ କିଛି ଖାଇବା ବ୍ୟବସ୍ଥା କରିବା ପରେ କିଛି ବଳିଲେ ନିଜେ ଖାଉଥିଲେ ନ ହେଲେ ଉପାସରେ ପେଟରରେ ଓଦା କନା ପକାଇ ଶୋଇ ପଡ଼ୁଥିଲେ। କିନ୍ତୁ ମେଘେଶ୍ବର ମନ୍ଦିର ହଠାତ୍ ବନ୍ଦ ହୋଇଗଲା। ତେଣୁ କେହି ଶ୍ରଦ୍ଧାଳୁ ଆଉ ଆସୁ ନାହାନ୍ତି। ଗତକାଲିଠାରୁ ଲକ୍ଷ୍ମୀ ଓ ରାଜୁ ପଇସାଟିଏ ପାଇ ନଥିବାରୁ ପିଲାଟା ଭୋକରେ ରାତି କଟାଇଥିଲା ଓ ସକାଳୁ ଲକ୍ଷ୍ମୀ ରାଜରାସ୍ତାକୁ ବିକଳରେ ଚାଲି ଆସିଥିଲେ। ମହାମାରୀ କରୋନା ଗରିବ ରାଜୁ ଭଳି ଲୋକଙ୍କୁ ସତରେ ବଡ଼ ଦାଣ୍ଡରେ ଠିଆ କରାଇଛି।

ସମ୍ବନ୍ଧିତ ଖବର