ଭୁବନେଶ୍ୱର: ରସୁଲଗଡ଼ ଶିଳ୍ପାଞ୍ଚଳରେ ଖୋଲିଥିବା ଏସ୍ପ୍ଲାନେଡ୍ ମଲ୍କୁ ନେଇ ପୁଣି ବିବାଦ ଉପୁଜିଛି। ଶିଳ୍ପାଞ୍ଚଳର ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଏସ୍ପ୍ଲାନେଡ୍ ମଲ୍ର ପ୍ରସ୍ଥାନ ଫାଟକ ହୋଇଥିବାରୁ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ଗୁରୁତର ହେବାକୁ ଲାଗିଛି। ଅତ୍ୟଧିକ ଯାନବାହନ ଚଳାଚଳ ତଥା ମଲ୍ ଭିତର ପାଣି ପାଇପ୍ ଲଗାଇ ରାସ୍ତାକୁ ଛାଡ଼ିବା ଫଳରେ ରାସ୍ତା ଅବସ୍ଥା ସଙ୍ଗିନ ହେବାରେ ଲାଗିଲାଣି। ଲୋକଙ୍କ ସମସ୍ୟାକୁ ଖାତିର୍ ନ କରି ମଲ୍ କର୍ତ୍ତୃପକ୍ଷ ରାତିଅଧିଆ ୩ଟି ପ୍ରସ୍ଥାନ ଫାଟକ ଖୋଲିବା ଘଟଣା ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ମଲ୍ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ‘ରସୁଲଗଡ଼ ଶିଳ୍ପାଞ୍ଚଳ ସଂଘ’ ତୀବ୍ର ବିରୋଧ କରିଛି। ଆଜି ଅପରାହ୍ଣ ୫ଟାରେ ଆସୋସିଏସନ୍ର ୩୦ରୁ ଅଧିକ କର୍ମକର୍ତ୍ତା ମଲ୍ ପ୍ରସ୍ଥାନ ଫାଟକ ସମ୍ମୁଖ ରାସ୍ତା ଅବରୋଧ କରିଥିଲେ। କର୍ମକର୍ତ୍ତାମାନେ ଗୋଟିଏ ଫାଟକ ସମ୍ମୁଖରେ ନିଜେ ଅବରୋଧ କରି ବସିଥିବା ବେଳେ ଅନ୍ୟ ଏକ ଫାଟକ ସମ୍ମୁଖରେ ଗାଡ଼ି ରଖିଥିଲେ। ଏହି ସମୟରେ ମଲ୍ର ସୁରକ୍ଷାକର୍ମୀ ଗାଡ଼ିକୁ ବଳପୂର୍ବକ ହଟାଇବାକୁ ଚେଷ୍ଟା କରିବାରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପୁଲିସ୍ ଆଇଆଇସି ପ୍ରଦ୍ମନାଭ ପ୍ରଧାନ ଆସି ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ହୋଇଥିଲା। ସ୍ଥାନୀୟ କର୍ପୋରେଟର୍ କୁମାରେନ୍ଦ୍ର ମହାପାତ୍ର ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ। ସଂଘର ସଭାପତି ସୀତାବଲ୍ଲଭ ମହାପାତ୍ରଙ୍କ କହିବା ଅନୁଯାୟୀ, ବହୁ ବର୍ଷ ହେଲା ଇଡ୍କୋଠାରୁ ଲିଜ୍ରେ ଜାଗା ନେଇ ଶିଳ୍ପ ପ୍ରତିଷ୍ଠା କରିଛୁ। ଏହି ରାସ୍ତାରେ ଆମେ ଯା’ଆସ କରୁଛୁ। ପୁଣି ରସୁଲ୍ଗଡ଼ ଶିଳ୍ପାଞ୍ଚଳରେ ୯୦ରୁ ଅଧିକ ଛୋଟ ବଡ଼ ଶିଳ୍ପାନୁଷ୍ଠାନ ରହିଛି। କିନ୍ତୁ ଏହି ମଲ୍ ଯୋଗୁ ପ୍ରତିଦିନ ସଂଧ୍ୟାରେ ଟ୍ରାଫିକ୍ ଜାମ୍ ହେଉଛି। ବର୍ତ୍ତମାନ ସୁଦ୍ଧା ମଲ୍ର ଅଧିଂକାଶ ଦୋକାନ ଓ ୭ଟି ସିନେମା ହଲ୍ ଖୋଲି ନ ଥିଲେ ବି ଏମିତି ଟ୍ରାଫିକ୍ ସମସ୍ୟା ହେଉଛି। ଆଗକୁ ସବୁ ଖୋଲିଗଲେ ପରିସ୍ଥିତି କ’ଣ ହେବ ତାହା ସ୍ପଷ୍ଟ ଅନୁମେୟ। ପୁଣି ରସୁଲ୍ଗଡ଼ ଶିଳ୍ପାଞ୍ଚଳ ଭିତରକୁ ଯା’ ଆସ କରିବାକୁ କୌଣସି ବିକଳ୍ପ ରାସ୍ତା ନାହିଁ। ଏନେଇ ବାରମ୍ବାର ଇଡ୍କୋ ସିଏମ୍ଡିଙ୍କୁ ଚିଠି ଲେଖିଥିଲେ ବି କିଛି ଉତ୍ତର ଆସିନାହିଁ। ମଲ୍ର କୌଣସି ବରିଷ୍ଠ କର୍ମକର୍ତ୍ତା ଏ ନେଇ ଆସୋସିଏସନ୍ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାକୁ ଆସି ନ ଥିଲେ। କେବଳ ସିକ୍ୟୁରିଟି ଇନ୍ଚାର୍ଜ ଦେବାଶିଷ ମିଶ୍ର ଘଟଣାସ୍ଥଳରେ ଥିଲେ। ଆଜିର ଏହି ରାସ୍ତା ଅବରୋଧ ସମୟରେ ସଂଘର ସଂପାଦକ ତପନ କୁମାର ସ୍ୱାଇଁ, ସଦସ୍ୟ ବିବୁଧେନ୍ଦୁ ଦାଶ ଓ ଜ୍ୟୋତିପ୍ରକାଶ ନନ୍ଦଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
‘ଏସ୍ପ୍ଲାନେଡ୍’କୁ ନେଇ ତେଜୁଛି ଅସନ୍ତୋଷ
ରସୁଲଗଡ଼ ଶିଳ୍ପାଞ୍ଚଳ ସଂଘର ତୀବ୍ର ବିରୋଧ
/sambad/media/post_attachments/wp-content/uploads/2018/07/m2-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)