ପୁରୁଣା ଭୁବନେଶ୍ବର: ହକି ବିଶ୍ବକପ୍‌ ପାଇଁ ସଜେଇ ହୋଇଛି ରାଜଧାନୀ। ପ୍ରାଚୀନ ପୁରୁଣା ଭୁବନେଶ୍ବର ବି ବାଦ୍‌ ପଡ଼ିନି। ଐତିହ୍ୟସ୍ଥଳ ଏକାମ୍ର କ୍ଷେତ୍ରର କିଛି ସ୍ଥାନକୁ ମଧ୍ୟ ଆକର୍ଷଣୀୟ କରାଯାଇଛି। କିନ୍ତୁ ଐତିହାସିକ ମହତାବ୍‌ ରୋଡ଼୍‌ ରହିଯାଇଛି ଅଢ଼ୁଆଳରେ। ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ପୁରୁଣା ଭୁବନେଶ୍ବରର କିଛି ରାସ୍ତାକୁ ରଙ୍ଗିନ୍‌ କରାଯାଇଥିବା ବେଳେ ଅନ୍ୟତମ ମୁଖ୍ୟ ରାସ୍ତା ମହତାବ୍‌ ରୋଡ୍‌ ସାବତ ପୁଅ ଭଳି ଅବହେଳିତ ଅବସ୍ଥାରେ ପଡ଼ିଛି। ଏନେଇ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଏହି ଅଞ୍ଚଳର ଅନ୍ୟତମ ପ୍ରମୁଖ ରାସ୍ତା ଭୀମଟାଙ୍ଗୀ ମନ୍ଦିର ରାସ୍ତାର ପାଚେରିରେ ସାହିତ୍ୟ, ସଂସ୍କୃତି, ଇତିହାସ ଓ ଐତିହ୍ୟର ଚିତ୍ର ଝଲସୁଛି। କିନ୍ତୁ ସର୍ବପୁରାତନ ମହତାବ ରୋଡ୍‌କୁ ଭୁଲି ଯାଇଛି ପ୍ରଶାସନ। ଶ୍ରୀଲିଙ୍ଗରାଜ ମନ୍ଦିରକୁ ନବୀନ ନିବାସ ଆଡ଼ୁ ଆସିବା ବେଳେ ପ୍ରତିଦିନ ଶହଶହ ଲୋକ ଏହି ରାସ୍ତାରେ ଯା’ଆସ କରିଥା’ନ୍ତି। ତେଣୁ ହକି ବିଶ୍ବକପ୍ ଅବସରରେ ବହୁ ପର୍ଯ୍ୟଟକ ଏହି ରାସ୍ତାରେ ମନ୍ଦିର ବୁଲିବାକୁ ଆସିବେ। ମାତ୍ର ବଡ଼ କଦର୍ଯ୍ୟ ଅବସ୍ଥାରେ ରହିଛି ଏହି ରାସ୍ତା। ରାସ୍ତା ସାରା ଖାଲଖମା ସାଙ୍ଗକୁ ପ୍ରବଳ ଧୂଳି ଉଡ଼ୁଛି। ଦଶହରା ପୂର୍ବରୁ ଏ ରାସ୍ତାର ମରାମତି କାମ ସରିବ ବୋଲି ଆର୍‌ ଆଣ୍ଡ ବି ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ବର୍ଷ ସରିଗଲା ସିନା ରାସ୍ତା କାମ ହେଲା ନାହିଁ। ହକି ବିଶ୍ବକପ୍ ମଉକାରେ ରାସ୍ତାର ନବୀକରଣ ହୋଇଯିବ ବୋଲି ସ୍ଥାନୀୟ ଲୋକମାନଙ୍କ ଆଶା ବି ଆଶାରେ ରହିଗଲା।