ଭୁବନେଶ୍ବର: ରାଜଧାନୀର ସବୁଠୁ ପୁରୁଣା ଓ ସୁନ୍ଦର ୟୁନିଟ୍-୨ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କର ଅବସ୍ଥା ଏବେ ଶୋଚନୀୟ। ଲୋକସେବା ଭବନ ସମ୍ମୁଖରେ ଥିବା ଏହି ପାର୍କ ଉପରକୁ ଚିକ୍କଣ ଦେଖାଯାଉଥିଲେ ହେଁ ଭିତରେ ପୁଳାପୁଳା ସମସ୍ୟା, ଅବ୍ୟବସ୍ଥା। ପାଣି ଟ୍ୟାପ୍ଠାରୁ ଆରମ୍ଭ କରି ପିଲାଙ୍କ ପାଇଁ ଥିବା ଖେଳଣା ଉପକରଣ ସବୁ ଭଙ୍ଗାଦଦରା ଅବସ୍ଥାରେ। ସଂଧ୍ୟା ହେଲେ ଅସାମାଜିକଙ୍କ ଆସର ଜମୁଛି। ତେଣୁ ଏଠାକୁ ଆସୁଥିବା ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଓ ପରିବାର ସହ ଆସୁଥିବା ଲୋକମାନେ ପାର୍କର ଏପରି ଅବସ୍ଥା ଦେଖି ନାକ ଟେକୁଛନ୍ତି।
ପାର୍କରେ ଥିବା ପାଣି ଟ୍ୟାପ୍ ସବୁ ଭାଙ୍ଗିଯାଇଛି। ଏବେ ପ୍ରଚଣ୍ଡ ଖରାକୁ ଅସହ୍ୟ ଗୁଳୁଗୁଳି ହେଉଥିବା ବେଳେ ପିଇବା ପାଣି ପାଇଁ ଲୋକେ ବହୁତ ହଇରାଣ ହେଉଛନ୍ତି। ପାର୍କରେ ୪ଟି ସ୍ଥାନରେ ଥଣ୍ଡା ପାନୀୟ ଜଳ ମେସିନ୍ ଲାଗିଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଅଚଳ ହୋଇଗଲା। ଏବେ ସେଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଥିବା ବେଳେ ପାର୍କରେ ପିଇବା ପାଣିର ଅନ୍ୟ କୌଣସି ସୁବିଧା ନାହିଁ। ପାର୍କକୁ ନିୟମିତ ଭାବେ ପରିଷ୍କାର କରାଯାଉଛି। କିନ୍ତୁ ଏଠାରେ ଥିବା ଶୌଚାଳୟଗୁଡ଼ିକୁ ସଫେଇ କର୍ମୀ ଆଡ଼ ଆଖିରେ ଚାହୁନାହାନ୍ତି। ପାର୍କରେ ଲାଗିଥିବା ଇ-ଟଏଲେଟ୍ ଅବସ୍ଥା ବି ତଦ୍ରୂପ। ପାଖାପାଖି ଦେଢ଼ବର୍ଷରୁ ଅଧିକ ହେବ ଏହା ଖରାପ ହୋଇପଡ଼ିଛି। ଫଳରେ ଏଠାକୁ ଆସୁଥିବା ଲୋକମାନେ ପାର୍କ ପରିସରରେ ଏଣେତେଣେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି। ପାର୍କର ସୌନ୍ଦର୍ଯ୍ୟକୁ ବଢ଼ାଇବା ପାଇଁ ତିଆରି ହୋଇଥିବା ୱାଟର ଫାଉଣ୍ଟେନ୍ କରୋନା ପୂର୍ବରୁ ସେମିତି ଅଚଳ ଅବସ୍ଥାରେ ପଡ଼ି ରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ବେ ମରାମତି କରାଯାଉନାହିଁ। ସେହିପରି ପିଲାଙ୍କ ପାଇଁ ଲାଗିଥିବା ଦୋଳି ୬ମାସ ହେଲା ଛିଣ୍ଡି ଯାଇଥିବା ବେଳେ ମରାମତି କରାଯାଉନାହିଁ। ଆଗକୁ ରଜ ଆସୁଥିବା ବେଳେ ଛୋଟ ପିଲାମାନେ ଏଠାରୁ ନିରାଶ ହୋଇ ଫେରିବେ ବୋଲି କୁହାଯାଉଛି।
ଅପରପକ୍ଷେ ପାର୍କର ଅଧିକାଂଶ ସ୍ଥାନରେ ଘାସଗୁଡ଼ିକ ବଡ଼ ହୋଇ ବୁଦା ହୋଇଗଲାଣି। ଫଳରେ ସେଥିରେ ବିଭିନ୍ନ ପ୍ରକାର ସରୀସୃପ ବାସ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ସେହିପରି ପାର୍କରେ ଭଳିକି ଭଳି ଫୁଲ ଗଛ ଲାଗିଥିବା ବେଳେ ସେଗୁଡ଼ିକରେ ପାଣି ଦିଆଯାଉନଥିବାରୁ ଗଛ ସବୁ ମରିଗଲାଣି। ବର୍ଷାଜଳ ସଂରକ୍ଷଣ ପାଇଁ କରାଯାଇଥିବା ସ୍ଥାନରେ ଅଳିଆ ଭର୍ତ୍ତି ହେଲାଣି।
ପାର୍କକୁ ବୁଲି ଆସିଥିବା ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ସଂଧ୍ୟା ହେଲେ ଏଠାରେ କିନ୍ନର ଓ ଦେହଜୀବୀଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ସେମାନେ ଲୋକମାନଙ୍କୁ ହଇରାଣ କରୁଛନ୍ତି। ଏ ସଂପର୍କରେ ପାର୍କ ଦାୟିତ୍ବରେ ଥିବା ବିଡିଏ ଅଧିକାରୀ ଏ.କେ ଧୀର କହିଛନ୍ତି, ପାର୍କରେ ପିଇବା ପାଣିର ସୁବିଧା ପାଇଁ ନୂଆ ଆକ୍ବାଗାର୍ଡ ଲାଗିବାର ବ୍ୟବସ୍ଥା କରାଯାଉଛି। ପିଲାଙ୍କ ଖେଳଣା ଉପକରଣ ଭାଙ୍ଗିବା ପରେ ତାହାକୁ ନିୟମିତ ଭାବେ ମରାମତି କରାଯାଏ। ସେହିପରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ପାଇଁ ପାର୍କରେ ୧୬ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି।