ସୁଧୁରୁନି କଲ୍ୟାଣୀ ମାର୍କେଟ୍‌ ଅବସ୍ଥା

ଶୌଚାଳୟ, ପାଣି, ପାର୍କିଂ ବ୍ୟବସ୍ଥା କିଛି ନାହିଁ, କୋଠାରୁ ବି ପଲସ୍ତରା ଖସିଲାଣି ବିଡିଏ କର୍ତ୍ତୃପକ୍ଷ ନିଦାବିଷ୍ଣୁ

ଭୁବନେଶ୍ୱର: ୟୁନିଟ୍‌-୮ ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ତଥା ଜନଗହଳିପୂର୍ଣ୍ଣ ବଜାର ହେଲା କଲ୍ୟାଣୀ ମାର୍କେଟ୍‌। ବିଡିଏ ପକ୍ଷରୁ ନିର୍ମାଣ ହୋଇଥିବା ଏହି ମାର୍କେଟ୍‌ରେ ଯୁଆଡ଼େ ଚାହିଁବ ଖାଲି ସମସ୍ୟା ଆଉ ସମସ୍ୟା। ନା ମିଳୁଛି ପିଇବା ପାଣି ନା ଅଛି ଶୌଚାଳୟ ସୁବିଧା। ଶତାଧିକ ଦୋକାନ ଥିଲେ ବି ପାର୍କିଂ ପାଇଁ ଜାଗା ନାହିଁ। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ। କଂକ୍ରିଟ୍‌ ଖୁଣ୍ଟିଗୁଡ଼ିକ ନଷ୍ଟ ହୋଇ ମାର୍କେଟ୍‌ଟିକୁ ଆହୁରି କଦାକାର କରିଦେଲାଣି। ସମସ୍ୟାର ତାଲିକା ଦୀର୍ଘ ଥିଲେ ବି ବିଡିଏ ନିଦାବିଷ୍ଣୁ ପାଲଟିଯାଇଛି। ରାଜଧାନୀବାସୀଙ୍କୁ ଉତ୍ତମ ବଜାର ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ୧୯୯୩ ମସିହାରେ ବିଡିଏ କଲ୍ୟାଣୀ ମାର୍କେଟ୍‌ ନିର୍ମାଣ କରିଥିଲା। ଏଥିରେ ରହିଛି ୯୨ଟି ଦୋକାନ ଘର ଓ ୧୬୦ଟି ମଣ୍ଡି। ମାର୍କେଟ୍‌ ନିର୍ମାଣ କରି ବିଡିଏ କର୍ତ୍ତୃପକ୍ଷ ଦାୟିତ୍ୱ ସାରିଦେଲେ। କିନ୍ତୁ ଏହାକୁ କିପରି ରକ୍ଷଣାବେକ୍ଷଣ କରାଯିବ ଏବଂ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ କିଣାବିକା କରିବାକୁ ଭଲ ପରିବେଶ ଯୋଗଇ ଦିଆଯାଇପାରିବ, ସେ ଦିଗରେ ଆଉ ଚିନ୍ତା କଲେନି। ଫଳରେ ମାର୍କେଟ୍‌ଟି ଏକପ୍ରକାର ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଗଲାଣି। ଏଠାକୁ ପ୍ରତି ଦିନ ଶହ ଶହ ଲୋକ ଆସୁଥିଲେ ବି ଶୌଚାଳୟ ପରି ସର୍ବନିମ୍ନ ସୁବିଧା ଉପଲବ୍ଧ ନାହିଁ। ମାର୍କେଟ୍‌ର ପରିମଳ ବ୍ୟବସ୍ଥା ବି ତଦ୍ରୁପ। ଚାରିଆଡ଼େ ପାନଛେପ, ଜରି ଓ ପ୍ଲାଷ୍ଟିକ୍‌ ପଡ଼ିଛି। ବହୁ ସମୟରେ ଏଠାରୁ ଅଳିଆ ଉଠୁନି। ଫଳରେ ସେଠାରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ପାର୍କିଂ ଏହି ମାର୍କେଟ୍‌ ପାଇଁ ଏକ ଗୁରୁତର ସମସ୍ୟା। ମାର୍କେଟ୍‌ରେ ବହୁତ ଦୋକାନ ଥିଲେ ବି ପାର୍କିଂ ପାଇଁ ଜାଗା ନାହିଁ। ଲୋକମାନେ ରାସ୍ତାରେ ଗାଡ଼ି ରଖି ମାର୍କେଟ୍‌କୁ ଆସନ୍ତି। ମାର୍କେଟ୍‌ ପାଇଁ ଉଦ୍ଦିଷ୍ଟ ଥିବା ପାର୍କିଂ ସ୍ଥାନକୁ ସରକାରୀ ସଂସ୍ଥାକୁ ଦିଆଯାଇଛି। ଫଳରେ ଲୋକମାନେ ଅସୁବିଧା ଭୋଗୁଛନ୍ତି। ସେହିପରି ମାର୍କେଟକୁ ଯିବା ଆସିବା କରିବା ପାଇଁ ପ୍ରଶସ୍ତ ରାସ୍ତା ନ ଥିବା ବେଳେ ଏହାର ପଶ୍ଚିମପଟ ରାସ୍ତାକୁ ବନ୍ଦ କରି ଦିଆଯାଇଥିବାରୁ ପୁଣି ଏକ ସମସ୍ୟା ମୁଣ୍ଡ ଟେକିଛି। ମାର୍କେଟ୍‌ର ନିର୍ମାଣଗତ ତ୍ରୁଟି କାରଣରୁ କଂକ୍ରିଟ୍‌ ଖୁଣ୍ଟି ଗୁଡ଼ିକ ବର୍ଷା ପାଣି ସଂସ୍ପର୍ଶରେ ଆସି ନଷ୍ଟ ହେବାକୁ ବସିଲାଣି। କିଛି ସ୍ଥାନରୁ ପଲସ୍ତରା ମଧ୍ୟ ଖସିଲାଣି। ବର୍ଷାଦିନେ ଇଲେକ୍ଟ୍ରି ତାରଗୁଡ଼ିକ ଲୁହା ପାଇପ ସଂସ୍ପର୍ଶରେ ଆସି ଏମିତି ବିପଜ୍ଜନକ ଅବସ୍ଥାରେ ଅଛି ଯେ କେତେବେଳେ କୌଣସି ଅଘଟଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ମାର୍କେଟ୍‌ ସାମ୍ନାରେ ଥିବା ମୁଖ୍ୟ ରାସ୍ତାରୁ ଡିଭାଇଡର୍‌କୁ ବନ୍ଦ କରିବାକୁ ମଧ୍ୟ ଦାବି ହେଉଛି। କଲ୍ୟାଣୀ ମାର୍କେଟ୍‌ ସମସ୍ୟାର ସମାଧାନ ପାଇଁ ବ୍ୟବସାୟୀମାନେ ବିଭିନ୍ନ ସମୟରେ ବିଡିଏ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବିଧାନସଭାରେ

ଏ ନେଇ ପ୍ରଶ୍ନ ମଧ୍ୟ ହୋଇଛି। କିନ୍ତୁ କିଛି ସୁଫଳ ମିଳି ନାହିଁ। ବିଡିଏ କର୍ତୃପକ୍ଷ କାହିଁକି ଏହି ମାର୍କେଟ୍‌ ପ୍ରତି ଏପରି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି, ତାହା ବ୍ୟବସାୟୀମାନେ ବୁଝିପାରୁ ନାହାନ୍ତି। କଲ୍ୟାଣୀ ମାର୍କେଟ୍‌ ବ୍ୟବସାୟୀ ସଂଘର ସୂର୍ଯ୍ୟକାନ୍ତ ସ୍ୱାଇଁ କୁହନ୍ତି, ମାର୍କେଟ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ ହେଲା ପରେ ମଧ୍ୟ ବିଡିଏ ଅଧିକାରୀମାନେ ଭିନ୍ନ ଭିନ୍ନ ମତ ଦେଇ ସରକାରଙ୍କୁ ବିଭ୍ରାନ୍ତ କରୁଛନ୍ତି। ଫଳରେ ସମସ୍ୟାର ସମାଧାନ ହୋଇପାରୁ ନାହିଁ। କଲ୍ୟାଣୀ ମାର୍କେଟରେ ପାର୍କିଂ ବ୍ୟବସ୍ଥା ନଥିବାରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଗାଡ଼ି ରଖିବା ପାଇଁ ସୁବିଧା ନଥିବାରୁ ମାର୍କେଟ ଆସିବାକୁ ଅନେକ ଅମଙ୍ଗ ହେଉଛନ୍ତି ବୋଲି ବ୍ୟବସାୟୀ ଲିଙ୍ଗରାଜ ସେନାପତି ଓ ଦିଲ୍ଲୀପ କୁମାର ସ୍ୱାଇଁ କହିଛନ୍ତି।

ସମ୍ବନ୍ଧିତ ଖବର