ଶ୍ରୀଲିଙ୍ଗରାଜ ମନ୍ଦିରକୁ କୁଡ଼ୁଆ ଅଡ଼ୁଆ, କୈଫିୟତ ଦେବେ ଜମିଭୋଗୀ ସେବାୟତ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପୂଜାରେ ଦୈନିକ ବ୍ୟବହାର ହେଉଥିବା ମାଟି ହାଣ୍ଡି କୁଡ଼ୁଆ ମିଳୁ ନାହିଁ। କୁଡ଼ୁଆ ଯୋଗାଇବାକୁ ଜମି ଭୋଗଦଖଲ କରୁଥିବା‌ ସେବାୟତମାନେ ୧୫ବର୍ଷ ହେଲା କୁଡ଼ୁଆ ଦେଉନାହାନ୍ତି। ଫଳରେ କୁଡ଼ୁଆ କିଣାରେ ହେଉଥିବା ଖର୍ଚ୍ଚ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଖାସ୍‌ କୁଡ଼ୁଆ ଯୋଗାଇବାକୁ ଜମି ଭୋଗ କରୁଥିବା ସତ୍ତ୍ବେ ସେବାୟତମାନେ ଏହି ସେବା କରୁ ନଥିବାରୁ ପ୍ରଶାସନ ଏଣିକି ଦୃଢ଼ କାର୍ଯ୍ୟା‌ନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି। ନିୟମିତ ଭାବେ କୁଡ଼ୁଆ ନ ଯୋଗାଇଲେ, ପ୍ରଥମେ କୈଫିୟତ ମଗାଯିବ ଓ ପରେ ଆବଶ୍ୟକ ପଡ଼ିଲେ ସେବାୟତମାନଙ୍କଠାରୁ ଜମି ଛଡ଼ାଇ ଅଣାଯିବା ଭଳି ଦୃଢ଼ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ସ୍ଥିର କରିଥିବା ଜଣାପଡ଼ିଛି। ଆଜି ଟ୍ରଷ୍ଟ ବୋର୍ଡ ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ କୁଡ଼ୁଆ ଯୋଗାଣକୁ ନେଇ ତନାଘନା ହୋଇଥିଲା। ଜମି ଭୋଗ କରୁଥିବା ସେବାୟତମା‌ନେ ୧୫ବର୍ଷ ହେଲା ମନ୍ଦିରକୁ କୁଡ଼ୁଆ ଯୋଗାଉ ନାହାନ୍ତି। ତେଣୁ ମନ୍ଦିରର ନୀତିକାନ୍ତି ପାଇଁ କୁଡ଼ୁଆ କିଣିବାକୁ ପଡ଼ୁଛି। ପୂର୍ବରୁ ଯେଉଁ କୁଡୁଆ ଗୋଟାକୁ ୧୦ଟଙ୍କାରେ କିଣି ହେଉଥିଲା, ଏବେ ତାହାର ଦାମ୍ ୫୦ରୁ ୬୦ଟଙ୍କାରେ ପହଞ୍ଚିଲାଣି। ତେଣୁ ପ୍ରତ୍ୟେହ ବିଭିନ୍ନ ନୀତି ପୂଜାରେ ଠାକୁରଙ୍କୁ ପ୍ରସାଦ ଲାଗି କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ କୁଡ଼ୁଆ କିଣା ବାବଦରେ ବର୍ଷକୁ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଛି। ଅଥଚ ଏହି ମାଟି କୁଡ଼ୁଆ ଯୋଗାଇବାକୁ ପାଇଁ ବହୁ ମୂଲ୍ୟବାନ ସମ୍ପତ୍ତି (ଜମି) ପାଇଥିବା ସେବାୟତମାନେ ମାଗଣାରେ ଫାଇଦା ନେଉଛନ୍ତି। ଏଥିପାଇଁ ସେମାନଙ୍କୁ କୈଫିୟତ ତଲବ କରାଯିବ। ଆବଶ୍ୟକ ପଡ଼ିଲେ, ଜମି ବ୍ୟାଜ୍ୟାପ୍ତି କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ମନ୍ଦିର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଫନି ମହାବାତ୍ୟା ପରୁଠୁ କୁଡୁଆର ଦାମ ବଢ଼ି ଯାଇଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ କହିବା ଅନୁଯାୟୀ, ମାତ୍ର ଜଣେ କୁମ୍ଭାର ସେବାୟତ ମାଟି କୁଡ଼ୁଆ ପାଇଁ ଅଳ୍ପ କିଛି ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଅନ୍ୟମାନେ ପଇସାଟିଏ ସହଯୋଗ କରୁନାହାନ୍ତି। କିଛି କୁମ୍ଭାର ପରିବାରଙ୍କୁ ଏଥିପାଇଁ ବହୁ ମୂଲ୍ୟବାନ ଜମି ଦିଆଯାଇଛି। ମନ୍ଦିର ପକ୍ଷରୁ ମିଳିଥିବା ସୂଚନାନୁସାରେ, ୨୭ଜଣ ସେବାୟତଙ୍କୁ ଏଥିପାଇଁ ଜମି ଯୋଗାଇ ଦିଆଯାଇଛି। ଭୁବନେଶ୍ୱର ତହସିଲ ଅଧୀନ ନୂଆଗାଁ ମୌଜାର ପ୍ଲଟ୍‍ ନଂ ୭୫, ୭୯, ୮୫, ୮୬, ୮୮, ୮୯, ୯୩, ୯୫, ୯୯, ୧୦୪, ୧୩୨, ୧୪୨, ୧୪୫, ୧୫୨, ୧୫୫, ୧୬୪, ୧୬୮, ୧୬୭, ୨୧୯, ୨୨୦, ୨୨୫, ୨୨୬, ୨୩୧, ୨୩୪, ୨୩୫, ୨୩୬, ୨୩୯, ୨୪୦, ୨୪୨, ୨୪୯, ୨୫୦, ୨୫୫, ୨୫୯, ୨୨୭, ୨୨୮, ୨୪୭, ୨୫୧, ୨୫୨, ୨୫୪, ୨୨୨, ୨୬୦, ୨୬୨ରେ ଥିବା ୪୨ଟି ପ୍ଲଟରେ ମୋଟ୍‌ ୨୬ ଏକର ୪୪୧ଡିସିମିଲ ଜମି ଯୋଗାଇ ଦିଆଯାଇଛି।

ମହାପ୍ରଭୁଙ୍କୁ ପ୍ରତିଦିନ ୪ଥର ଧୂପରେ ଶୁଖୁଲି ଭୋଗ ଲାଗି କରାଯାଇଥାଏ। ସେହିଭଳି ୪ ଧୂପରେ ଅନ୍ନ ମହାପ୍ରସାଦ ଭୋଗ ଲାଗି ହୁଏ। ଏଥିରେ ପ୍ରତିଦିନ ମାଟିର ସମଗ୍ରୀ ଯଥା ୪ ଗୋଟି ହାଣ୍ଡି, ୪ଟି ସରା, ୯ଟି ମୁଗ ଓଳି, ୨ଟି ପଲମ, ୩ଟା ନମ୍ୱରି ହାଣ୍ଡି, ୩ଟା ପଖାଳ ଓଳି, ଗୋଟିଏ ଦିସେରି ହାଣ୍ଡି ଦରକାର ହୁଏ। ସେହିପରି ମହାପ୍ରଭୁଙ୍କ ପୂଷ୍ୟାଭିଷେକ ବେଳେ ୧୧୦ଟି ମାଟି କଳସ, ଶୀତଳଷଷ୍ଠୀରେ ଚାରୁଅନ୍ନ ବଣ୍ଟନ ପାଇଁ ୧୦୮ଟି ଦିସେରିଆ ହାଣ୍ଡି ଆବଶ୍ୟକ ହୁଏ । ଏଥିସହ ବିଭିନ୍ନ ବଡ଼ ପୂଜାପର୍ବ, ବ୍ରତ ଓ ଚତୁର୍ଦ୍ଦଶୀରେ ଅଧିକ ମାଟି କୁଡ଼ୁଆ ଦରକାର ହୁଏ। ଏହି ସବୁ ସାମଗ୍ରୀଗୁଡ଼ିକ ପୂର୍ବରୁ କୁମ୍ଭାର ସେବାୟତମାନେ ଯୋଗାଉଥିଲେ। କିନ୍ତୁ ଏବେ ମନ୍ଦିର ପ୍ରଶାସନ ଲକ୍ଷାଧିକ ଟଙ୍କା ବ୍ୟୟ କରି କିଣୁଛି। ଏଥିପାଇଁ ଦୈନିକ ଏକ ହଜାରରୁ ଅଢ଼େଇ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟୟ ହେଉଛି। ପୁଣି ପ୍ରତିବର୍ଷ କିଣା ମୂଲ୍ୟ ଶତକଡ଼ା ୫ ଭାଗ ବଢ଼ୁଛି। ଫଳରେ ମନ୍ଦିରର ବ୍ୟୟଭାର ବଢ଼ିବାରେ ଲାଗିଛି।

ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡ ସଭାପତି ସୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟ୍ରଷ୍ଟବୋର୍ଡ଼ ବୈଠକ‌ରେ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଲାଇଟ୍‌ ସାଉଣ୍ଡ ଥିବା ପାର୍ଶ୍ବର ବିନ୍ଦୁସାଗର କୂଳରେ ଅସ୍ଥାୟୀ ଫୁଲ କୁଣ୍ଡ ରଖି ଶୋଭା‌ବୃଦ୍ଧି କରାଯିବ ବୋଲି ସ୍ଥିର କରାଯାଇଛି। ଆଇଓସିଏଏ ପକ୍ଷରୁ ଆସିଥିବା ଅନୁଦାନରେ ଏହି ଫୁଲ କୁଣ୍ଡ ରଖାଯିବ। ସେହିପରି ଏହି ବୈଠକରେ ରଥ ତିଆରି ପାଇଁ ବ୍ୟୟ ମଞ୍ଜୁର ହେବା ସହ ବଢ଼େଇବାଙ୍କ ନିକଟ ମନ୍ଦିର ପ୍ରଶାସନର ଏକ କୋଠାକୁ ଭଡ଼ାରେ ଦିଆଯିବା ସହ ବିଭିନ୍ନ ମହାସୁଲ ବାବଦରେ ବାକିଥିବା ଟଙ୍କା ଆଦାୟ କରାଯିବ ବୋଲି ଏଥିରେ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର