ଅଫିସର୍‌ଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

କମିସନରେଟ୍‌ ପୁଲିସରେ ଅଦଳ ବଦଳ ପରେ...

ଭୁବନେଶ୍ୱର: ୨୦୧୭ ଡିସେମ୍ବର ପ୍ରଥମ ସପ୍ତାହ। କମିସନରେଟ ପୁଲିସରେ ଏକ ବଡ଼ଧରଣର ଅଦଳ ବଦଳ ହୋଇଥିଲା। ୧୧ ଜଣ ଇନ୍ସପେକ୍ଟର ମଧ୍ୟ ଏସିପି ର‍୍ୟାଙ୍କକୁ ପଦୋନ୍ନତି ପାଇଥିଲେ। ସେଥି ମଧ୍ୟରୁ କେବଳ ୪ ଜଣ ଏସିପିଙ୍କୁ ବିଭିନ୍ନ ଜୋନ୍‌ ଓ ଟ୍ରାଫିକ୍‌ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ପଦୋନ୍ନତି ପାଇଥିବା ଅନ୍ୟ ୭ଜଣ ଏସିପି ଏବେ ବି ଇନ୍ସପେକ୍ଟର ଇନ-ଚାର୍ଜ ଏସିପି ହୋଇ କାମ କରୁଛନ୍ତି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପଦୋନ୍ନତି ପାଇବା ପରେ ମଧ୍ୟ ପଦବି ମିଳି ନ ଥିବାରୁ ସେମାନଙ୍କ କ୍ଷେତ୍ରରେ ପାତରଅନ୍ତର କରାଯାଉଥିବା କୁହାଯାଉଛି। ୫ ମାସ ତଳେ ଭୁବନେଶ୍ୱରର ଖାରବେଳନଗର ଥାନା ଇନ୍ସପେକ୍ଟର ଅନୁପ କାନୁନ୍‌ଗୋ, ସହିଦନଗର ଥାନା ଇନ୍ସପେକ୍ଟର କିଶୋର ମୁଣ୍ଡ, କ୍ୟାପିଟାଲ ଥାନା ଇନ୍ସପେକ୍ଟର ମାନସ ଗଡ଼ନାୟକ, ଏୟାରଫିଲ୍ଡ ଥାନା ଇନ୍ସପେକ୍ଟର ଡିଏସ୍‌ ପ୍ରତାପ, ତମାଣ୍ଡୋ ଥାନା ଇନ୍ସପେକ୍ଟର ଅତନୁ କୁମାର ରାଉତ, ବଡ଼ଗଡ଼ ଥାନା ଇନ୍ସପେକ୍ଟର ଶୁଭେନ୍ଦୁ ସିହ୍ନା, ଏନର୍ଜି ଥାନା ଇନ୍ସପେକ୍ଟର ଚନ୍ଦ୍ରଶେଖର ସାହୁ, ଧଉଳି ଥାନା ଇନ୍ସପେକ୍ଟର ପ୍ରଭାସ ପାଳ, ପିଆର୍‌ଓ ଇନ୍ସପେକ୍ଟର୍‌ ସୂର୍ଯ୍ୟମଣି ପ୍ରଧାନ, ସେସ୍ପାଲ ସ୍କ୍ଵାଡ୍‌ ଇନ୍ସପେକ୍ଟର ସଂଜୀବ ଶତପଥୀ ଓ ଡିଆଇବି ଇନ୍ସପେକ୍ଟର ରଜତ ରାୟ ପ୍ରମୁଖଙ୍କ ଏସିପି ର‍୍ୟାଙ୍କକୁ ପଦୋନ୍ନତି ଘଟିଥିଲା। ପ୍ରଭାସ ପାଳ, ଚନ୍ଦ୍ରଶେଖର ସାହୁ ଓ ଅତନୁ କୁମାର ରାଉତଙ୍କୁ କମିସନରେଟ୍‌ ପୁଲିସରୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଥିଲା। ଅନ୍ୟ ୮ ଜଣ କମିସନରେଟ୍‌ ପୁଲିସରେ ପୁନଃ ଥାନାଗୁଡ଼ିକରେ ଏସିପି ଇନ-ଚାର୍ଜ ଭାବେ ନିଯୁକ୍ତି ପାଇଥିଲେ। କେବଳ ପଦୋନ୍ନତି ପାଇଥିବା ବଡ଼ଗଡ଼ ଥାନା ଇନ୍ସପେକ୍ଟର ଶୁଭେନ୍ଦୁ ସିହ୍ନାଙ୍କୁ ଜୋନ୍‌-୪ ଏସିପି ଓ ମୁଖ୍ୟାଳୟ ଏସିପି ସେକ୍‌ ସରିଫୁଦ୍ଦିନ୍‌ଙ୍କୁ କଟକ ଜୋନ୍‌-୨ ଏସିପି ଦାୟିତ୍ୱ ପ୍ରଦାନ କରାଯାଇଥିଲା। କିଛି ଦିନ ତଳେ ଖାରବେଳନଗର ଥାନା ଏସିପି ଇନଚାର୍ଜ ଅନୁପ କାନୁନଗୋଙ୍କୁ ଟ୍ରାଫିକ୍‌ ଏସିପି, ସହିଦନଗର ଥାନା ଏସିପି ଇନଚାର୍ଜ କିଶୋର ମୁଣ୍ଡ୍‌ଙ୍କୁ ଜୋନ୍‌-୫ ଦାୟିତ୍ୱ ପ୍ରଦାନ କରାଯାଇଛି।

ପଦୋନ୍ନତି ପାଇଥିବା ଅନ୍ୟ ୭ ଜଣ ଏସିପି ଏବେ ବି ଇନ୍ସପେକ୍ଟର ଇନ-ଚାର୍ଜ ଏସିପି ହୋଇ କାମ କରୁଛନ୍ତି। ଯେତେବେଳେ କି କଟକ ଓ ଭୁବନେଶ୍ୱରରେ ୧୧ଟି ଏସିପି ପଦବି ଏବେ ବି ଖାଲି ରହିଛି। ଏସିପି ପଦବିରେ କେହି ନ ଥିବା କାରଣରୁ ବିଭାଗୀୟ କାର୍ଯ୍ୟ ଓ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତରେ ସମସ୍ୟା ସୃଷ୍ଟି ହେଉଛି। ଏପରିକି ପଦୋନ୍ନତି ପରେ ପରେ ବରିଷ୍ଠ ଓ କନିଷ୍ଠ ପୁଲିସ ଅଫିସରଙ୍କ ମଧ୍ୟରେ ଥିବା ତାରତମ୍ୟ ମଧ୍ୟ ରହୁନାହିଁ। ଫଳରେ ଜୋନ୍‌ ଏସିପି ଥାନା ଏସିପିଙ୍କ କାର୍ଯ୍ୟର ସମୀକ୍ଷା କରିବା ଓ ନିର୍ଦେଶ ଦେବା ଘଟଣାକୁ ସହଜରେ ହଜମ କରି ପାରୁନାହାନ୍ତି ପଦୋନ୍ନତି ପାଇଥିବା ଏସିପିମାନେ। ସେହିପରି ଏସ୍‌ଆଇରୁ ଇନ୍ସପେକ୍ଟର୍‌ ର‍୍ୟାଙ୍କକୁ ପଦୋନ୍ନତି ପାଇଥିବା ଅଫିସରମାନଙ୍କ ମଧ୍ୟରେ ଅସନ୍ତୋଷ ବାରି ହୋଇପଡ଼ିଲାଣି। ଯାହାର ପ୍ରଭାବ କାର୍ଯ୍ୟରେ ପଡ଼ୁଛି। କେହି କାହା କଥା ମାନିବା ପରିସ୍ଥିତିରେ ନାହାନ୍ତି। ଏ ସମ୍ପର୍କରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଅନ୍ୟ ଜିଲ୍ଲାରୁ ଇନ୍ସପେକ୍ଟରମାନେ କମିସନରେଟ୍‌ ପୁଲିସରେ ଯୋଗ ଦେବା ପରେ ଫାଙ୍କା ପଡ଼ିଥିବା ଏସିପି ପଦବି ପୂରଣ କରାଯିବ।

ସମ୍ବନ୍ଧିତ ଖବର