ଭୁବନେଶ୍ୱର: ଲୋୟର ପିଏମ୍‌ଜିକୁ ସରକାର ଧାରଣାସ୍ଥଳ ଭାବେ ଘୋଷଣା କରିଛନ୍ତି। ଯେଉଁମାନେ ବି ଦାବି ନେଇ ଆସିବେ, ସେମାନେ ଏଠାରେ ବସିବେ। କେବଳ ବିଧାନସଭା ସମୟରେ ନୁହେଁ ବରଂ ବର୍ଷର ବିଭିନ୍ନ ସମୟରେ ଏଠାରେ ବିଭିନ୍ନ ସଂଘ, ସଂଗଠନର ଭିଡ଼ ଜମିଥାଏ। କାହାର ଦାବି ଗ୍ରହଣ ହୁଏ ତ ସରକାର କାହାକୁ ପୁଲିସ ଲଗାଇ ପିଟନ୍ତି। ଅନେକ ମାଡ଼ ଭୟରେ ଛତ୍ରଭଙ୍ଗ ଦିଅନ୍ତି, ଅନେକେ ଗାନ୍ଧୀଙ୍କ ଅହଂସା ନୀତି ଅବଲମ୍ବନ କରି ମାସ ମାସ ବସନ୍ତି। ଅସୁବିଧାରେ ପଡ଼ି ରାଜରାସ୍ତାକୁ ଓହ୍ଲାଇଥିବା ଏହି କର୍ମଚାରୀଙ୍କୁ ଧରି କେତେଜଣ ରାଜନୈତିକ ଫାଇଦା ମଧ୍ୟ ନିଅନ୍ତି। ସରକାର ବି ଆନ୍ଦୋଳନକାରୀଙ୍କ ବଳ କଷନ୍ତି। କାହା ଦାବି ପୂରଣ କରିବେ କାହାର ନ କରିବେ, ରୁଦ୍ଧଦ୍ୱାରରେ ତାହାର ଆକଳନ କରନ୍ତି। ବିଧାନସଭା ଚାଲିଥିବାରୁ ଏହି ଲୋୟର ପିଏମ୍‌ଜି ଏବେ ଉଠୁଛି ପଡ଼ୁଛି। ଆନ୍ଦୋଳନକାରୀ ନେତାଙ୍କ ଚଉଦ ପୁରୁଷ ଉଝାଳୁଥିବା ବେଳେ ମାଡ଼ରେ ଅକଉତୁ ହେଉଥିବା ଦେଖାଯାଇଛି। ଧାରଣାସ୍ଥଳର ସେହି ଚିତ୍ରକୁ ନେଇ ଏହି ସ୍ୱତନ୍ତ୍ର ଉପସ୍ଥାପନା।

Advertisment

ତ୍ରିଶଙ୍କୁ ବ୍ଲକ ଗ୍ରାଣ୍ଟ ଶିକ୍ଷକ : ଘେରିବେ ନା ଫେରିବେ
ଲୋୟର ପିଏମ୍‌ଜିରେ ଏବେ ସ୍ଥାୟୀ ଭାବରେ ୬ଟି ସଂଗଠନ ବସି ରହିଛନ୍ତି। ତା ସହିତ ପ୍ରତ୍ୟେକ ଦିନ ଶୋଭାଯାତ୍ରାରେ ଆସି ହଜାର ହଜାର ଲୋକ ଏଠାରେ ଏକାଠି ହେଉଛନ୍ତି। ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନକାରୀଙ୍କୁ ପହଞ୍ଚାଇ ନ ଦେବା ଯୋଜନାରେ ମାଷ୍ଟର କ୍ୟାଣ୍ଟିନ୍‌ରୁ ପିଏମ୍‌ଜି ମୁଖ୍ୟରାସ୍ତାକୁ ପୁଲିସ ବିଧିବଦ୍ଧ ଭାବରେ ଅବରୋଧ କରି ରଖିଛି। ଏହି ମୁଖ୍ୟରାସ୍ତାରେ ବ୍ଲକ ଗ୍ରାଣ୍ଟ ଶିକ୍ଷକ ବସି ରହିଛନ୍ତି। ବିଭିନ୍ନ ଦାବି ନେଇ ସରକାରଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ସରକାର ବି ଏତେଶୀଘ୍ର ମୁଣ୍ଡ ନୁଆଇଁବା ସ୍ଥିତିରେ ନାହାନ୍ତି। ସେ ବି ଅଡ଼ି ବସିଛନ୍ତି। ସେମାନଙ୍କୁ ବାଦ୍‌ ଦେଇ ଅନ୍ୟ ଶିକ୍ଷକମାନଙ୍କ ଦ୍ୱାରା ଖାତାଦେଖା କାମ ଜାରି ରଖିବା ପାଇଁ ଯୋଜନା କରିଛନ୍ତି। ଏଣୁ ସଂଗଠନର ଭାଳେଣୀ; ଆଉ କୋଉ ଉପାୟରେ ସରକାରଙ୍କୁ ଘେରିବେ ନା ଏଠାରୁ ବ୍ୟାକ୍‌ଫୁଟ ଯିବେ !

ନିଜେ ନିଜର ସେବା କଲେଣି ଫାର୍ମାସିଷ୍ଟ
ରାଜ୍ୟ ଫାର୍ମାସିଷ୍ଟ ସେବା ସଂଘ ଧରି ଅନୁରୂପ ଢ଼ଙ୍ଗରେ ଧାରଣା ଜାରି ରଖିଛି। ବାସ୍ତବରେ ଡାକ୍ତରଙ୍କ ଅନୁପସ୍ଥିତିରେ ସେମାନେ ସେବା କରିବା ସହ ନିରାମୟ ଯୋଜନା ସଫଳତା ପଛରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଗ୍ରେଡ୍‌ ପେ’କୁ ନେଇ ସେମାନେ ଦୀର୍ଘ ଦିନ ହେବ ସରକାରଙ୍କୁ ଦାବି ଜଣାଇଥିଲେ ମଧ୍ୟ ଫଳ ଶୂନ ହୋଇଛି। ଅନଶନରେ ବସି କେତେକ ଅସୁସ୍ଥ ହେଲେଣି। ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଏହି କର୍ମଚାରୀମାନେ ନିଜ ନିଜର ସେବା ଆରମ୍ଭ କଲେଣି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ୩୦ ଜିଲ୍ଲାରୁ ଆସିଥିବା ସଂଘ ମୁଖିଆ ହୋ-ହଲ୍ଲା କରୁଥିଲେ ମଧ୍ୟ ସରକାରଙ୍କୁ ଶୁଭୁନାହିଁ।

ଭିଡ଼ ଭିତରେ ହଜି ଯାଉଛି ୨ ଭଉଣୀଙ୍କ ଚିତ୍କାର
କୋରାପୁଟ ଲମତାପୁଟର ଏକ ଆଦିବାସୀ ପରିବାରର ଦୁଇ ଭଉଣୀ ଏଠାରେ ୩୧ଦିନ ହେଲା ବସି ରହିଛନ୍ତି। ବାପା ମରିଗଲା ପରେ ପଡ଼ୋଶୀ ବାଡ଼ିରୁ ଗଛ କାଟି ନେଲେ। ଦୁଇ ଅବିବାହିତ ଭଉଣୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଲେ। ବଳାତ୍କାର ଉଦ୍ୟମ ବି କଲେ। ଦିନକୁ ଦିନ ଅତ୍ୟାଚାର ସୀମା ଲଂଘିଲା। କୋରାପୁଟ ଜିଲ୍ଲାପାଳଙ୍କୁ ୫ଥର ଦୁଇ ଭଉଣୀ ଭେଟ ହୋଇ ଗୁହାରି କଲେ। ହେଲେ ସୁରକ୍ଷା ମିଳିଲାନି। ଅବସ୍ଥା ଏଭଳି ହେଲା ଯେ ଜୀବନ ଚାଲିଯିବ ଯେମିତି। ଶେଷରେ ସେମାନେ ଭିଟାମାଟି ଛାଡ଼ି ରାଜଧାନୀରେ ପହଞ୍ଚିଲେ। ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ କାଳେ ନୂଆ ଜୀବନ ମିଳିଯିବ, ସେହି ଆଶାରେ ଏଠାରେ ବସି ରହିଲେ। ଦୁଇ ଭଉଣୀଙ୍କର ପୁଲିସ ବାରିକେଡ୍‌ ଭାଙ୍ଗିବାକୁ ବଳ ନାହିଁ, କିମ୍ବା ମାଇକ୍‌ ଲଗାଇ ବିଧାନସଭା ପର୍ଯ୍ୟନ୍ତ ଦୁଃଖ ପହଞ୍ଚାଇବା ପାଇଁ ସମ୍ବଳ ନାହିଁ। ସରକାରଙ୍କୁ ବା ଶୁଭନ୍ତା କେମିତି!

ପାଳି କରି ଗୀତ ଗାଉଛନ୍ତି ଅଧ୍ୟାପକ, କର୍ମଚାରୀ
ସବୁଠୁ ନିଆରା ହୋଇଛି ଅଧ୍ୟାପକ-କର୍ମଚାରୀ ସମାବେଶ। ବିଭିନ୍ନ ଦାବି ନେଇ ସେମାନେ ସପ୍ତାହଠାରୁ ବେଶି ଦିନ ହେବ ବସିଲେଣି। ଧାରଣାସ୍ଥଳରେ ହିଁ ଗୀତ ଲେଖା ହେଉଛି। ସେଠାରେ ହିଁ ସ୍ୱର ସଂଯୋଜନା ମଧ୍ୟ ହେଉଛି। ଗାୟକ ବି ସେଠାରୁ ହିଁ ବାହାରୁଛନ୍ତି। ‘ଆହେ ନବୀନ ଭାଇ; କେମିତି ପାରୁଛ ତୁମେ ଶାନ୍ତିରେ ଶୋଇ’ ଏଭଳି କେତେ ଗୀତ ସକାଳୁ ସଞ୍ଜ ଯାଏ ପାଳି କରି ଅଧ୍ୟାପକ ଓ କର୍ମଚାରୀମାନେ ଗାଉଛନ୍ତି। ହେଲେ ସରକାରଙ୍କ କାନରେ ପଡ଼ୁ ନାହିଁ।

ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା
ଓଡ଼ିଶା ଜଳଯୋଗାଣ ଓ ପରିମଳ କର୍ମଚାରୀ ସଂଘ ୨୦୭୮ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ଦାବିରେ ଆମରଣ ଅନଶନ ଆରମ୍ଭ କରିଛି। ସ୍ଥାୟୀ କରିବା ପାଇଁ ଯେଉଁ ଆର୍ଥିକ ବୋଝ ପଡ଼ିବ ତାହା କିଭଳି କେଉଁ ହେଡ୍‌ରୁ ଭରଣା ହେବ ତାହାର ହିସାବ ମଧ୍ୟ ସେମାନେ ସରକାରଙ୍କୁ ଦେଖାଇଛନ୍ତି। ହେଲେ ସରକାର ନଛୋଡ଼ ବନ୍ଧା। କେବଳ ପ୍ରତିଶ୍ରୁତି ଦେଇ ବସି ଯାଇଛନ୍ତି। ସେହିପରି ଆଇସିଟି ବିଦ୍ୟାଳୟ ସଂଯୋଜକ ୫ ଦଫା ଦାବି ନେଇ ତିନିଦିନ ହେବ ଲୋୟର ପିଏମ୍‌ଜିଠାରେ ଧାରଣା ଆରମ୍ଭ କରିଛି। ଗତ ନଭେମ୍ବରରେ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ପରେ ସେମାନଙ୍କୁ ପ୍ରତାରିତ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏବେ ସେମାନଙ୍କ ଧାରଣାକୁ ତିନିଦିନ ବିତିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ସୂଚନା ଆସିନାହିଁ। ଅଦିନ ମେଘ ସହ କୁଆପଥର ପଡ଼ୁଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ହାଇସ୍କୁଲରେ କାର୍ଯ୍ୟରତ ୪ ହଜାର ସଂଯୋଜକ ଅହୋରାତ୍ର ଧାରଣା ଦେଉଛନ୍ତି।