ସମସ୍ୟାରୁ ମୁକୁଳିପାରୁନି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ପାଳି କରି ହେବ ପାଠପଢ଼ା‌

ଦ୍ବିତୀୟ କ୍ୟାମ୍ପସ ନେଇ ମୁହଁ ଖୋଲିଲେନି ଉଚ୍ଚଶିକ୍ଷା ମନ୍ତ୍ରୀ, ନିରାଶ ହେଲେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଓ ଛାତ୍ରୀ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ସାଢ଼େ ତିନି ବର୍ଷ ବିତିଲାଣି। ତଥାପି କ୍ୟାମ୍ପସର ବିକାଶ ହୋଇପାରୁନି। ଏବେ ବି ଗୋଟିଏ କ୍ୟାମ୍ପସ ଓ ଗୋଟିଏ କୋଠାରେ ଚାଲିଛି ୪ଟି ଶିକ୍ଷାନୁଷ୍ଠାନ। ପ୍ରତି ଶିକ୍ଷାବର୍ଷ ଆରମ୍ଭରେ ସମସ୍ୟା ହେଉଥିଲେ ମଧ୍ୟ କେହି ବି ପରିସ୍ଥିତିକୁ ଗୁରୁତ୍ବର ସହ ନେଉନାହାନ୍ତି। ୨୦୧୬ରୁ ଆଜି ଯାଏ ଯେତେବେଳେ ବି ସମୀକ୍ଷା ହେଉଛି ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବ କହୁଛନ୍ତି ଆମେ କରିଦେବୁ। ମାସେ ଦୁଇ ମାସ ମଧ୍ୟ‌ରେ ହୋଇଯିବ। ତେବେ କେଉଁଠି ଓ କେବେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହେବ ସେନେଇ କେହି ବି ସ୍ପଷ୍ଟ କରୁନାହାନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଦୁଇ ଦିନ ତଳେ କ୍ୟାମ୍ପସକୁ ଆସିଥିବାରୁ ଛାତ୍ରୀମାନେ ଆଶା ରଖିଥିଲେ ଦ୍ବିତୀୟ କ୍ୟାମ୍ପସ ନେଇ କିଛି ଭଲ ଖବର ମିଳିବ। ତେବେ ମନ୍ତ୍ରୀ ଶ୍ରୀ ସାହୁ ଛାତ୍ରୀମାନଙ୍କୁ ନିରାଶ କରିଛନ୍ତି। ଦ୍ବିତୀୟ କ୍ୟାମ୍ପସ ନେଇ କିଛି ବି ସ୍ପଷ୍ଟ କଲେନି। ଛାତ୍ରୀଙ୍କ ସହ ମିଶିଲେ କଥା‌ ହେଲେ, ପାଠପଢ଼ା ସମ୍ପର୍କରେ ପଚାରି ବୁଝିଲେ। ହେଲେ ଦ୍ବିତୀୟ କ୍ୟାମ୍ପସର ନାଁ ଗନ୍ଧ ଧରିଲେ ନାହିଁ। କ୍ୟାମ୍ପସର ସ୍ଥିତି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସାହୁ ବହୁ ଆଗରୁ ଅବଗତ ଥିଲେ ମଧ୍ୟ ତାଙ୍କ ନିରବତା ଛାତ୍ରୀମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଗଣମାଧ୍ୟମର ପ୍ରତିନିଧିମାନେ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଦ୍ବିତୀୟ କ୍ୟାମ୍ପସ ନେଇ ପଚାରିବାରୁ ସେ କହିଥିଲେ ଯେ ଖୁବ୍‌ଶୀଘ୍ର ଦ୍ବିତୀୟ କ୍ୟାମ୍ପସ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯିବ। ତେବେ କେବେ ବୈଠକ ବସିବ? କେବେ ସୁଦ୍ଧା ଦ୍ବିତୀୟ କ୍ୟାମ୍ପସ ହେବ? ଆଦି ବିଷୟରେ ପଚାରିବାରୁ ସେ କଥାକୁ ଏଡ଼ାଇ ଯାଇଥିଲେ।

ଅନ୍ୟପକ୍ଷରେ ପ୍ରଥମରୁ ଗୋଠପାଟଣାଠାରେ ଚିହ୍ନଟ ହୋଇଥିବା ଜମିକୁ ମୁହଁ ମୋଡ଼ୁଥିବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏବେ ସହମତି ପ୍ରକାଶ କରିଛନ୍ତି। ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଯେଉଁ ୩୦ ଏକର ଜମି ଚିହ୍ନଟ ହୋଇଛି ସେଠାରେ ଦ୍ବିତୀୟ କ୍ୟାମ୍ପସ କରିବା‌ରେ କୌଣସି ଆପତ୍ତି ନାହିଁ। ତେବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜମିର ପରିମାଣ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଉ ନାହିଁ। ସେଠାରେ ଥିବା ପ୍ରାୟ ୬୦ ଏକର ଜମି ମଧ୍ୟରୁ ଓଡ଼ିଆ ବିଶ୍ବବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଲାଗି ୩୦ ଏକର ଲେଖାଏ ଜମି ଦେବାକୁ ନିଷ୍ପତ୍ତି ହୋଇଥିଲା। ଏବେ ଓଡ଼ିଆ ବିଶ୍ବବିଦ୍ୟାଳୟ ସତ୍ୟବାଦୀରେ ହେବ ବୋଲି ସ୍ଥିର ହୋଇଛି। ତେଣୁ ଗୋଠପାଟଣାରେ ଥିବା ସମସ୍ତ ୬୦ ଏକର ସରକାରୀ ଜମି ବିଶ୍ବବିଦ୍ୟାଳୟକୁ ହସ୍ତନ୍ତର କରାଗଲେ ଏକ ପୂର୍ଣ୍ଣାଙ୍ଗ କ୍ୟାମ୍ପସ ହୋଇପାରିବ।

ଇତିମଧ୍ୟରେ ୨୦୧୯-୨୦ ଶିକ୍ଷା ବର୍ଷ ଆରମ୍ଭ ହୋଇଯାଇଛି। ଗୋଟିଏ କ୍ୟାମ୍ପସରେ ଯୁକ୍ତ୨, ଯୁକ୍ତ୩, ପିଜି, ଏମ୍‌ ଫିଲ୍‌ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଥିବାରୁ ଏଥର ବି ସମସ୍ୟା ସୃଷ୍ଟି ହୋଇଛି। ପ୍ରଥମତଃ ହଷ୍ଟେଲ ଅଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଏଠାରେ ନାମ ଲେଖାଇଥିବା ଶହ ଶହ ଛାତ୍ରୀ ରହିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ତିନି ବର୍ଷ ପରି ଏଥର ମଧ୍ୟ ଗୋଟିଏ କ୍ୟାମ୍ପସରେ ୪ଟି ପାଠ୍ୟକ୍ରମର ଛାତ୍ରୀଙ୍କୁ ଶିକ୍ଷା ଦିଆଯିବ। ଜୁଲାଇ ୨୯ରୁ ସକାଳେ ଯୁକ୍ତ୨ ଛାତ୍ରୀଙ୍କ ପାଠପଢ଼ା ହେବ। ମଧ୍ୟାହ୍ନ ଓ ଅପରାହ୍‌ଣରେ ଯୁକ୍ତ୩, ପିଜି, ଏମ୍‌ ଫିଲ୍‌ ପାଠ୍ୟକ୍ରମ ଛାତ୍ରୀଙ୍କ ପାଠପଢ଼ା କରାଯିବ।

ସମ୍ବନ୍ଧିତ ଖବର