ଦେଢ଼ ହାତ ଗଡ଼ି ଅଟକିଲା ରଥ

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ବିଭ୍ରାଟ

ରଥ ପାଖରେ ପ୍ରବଚନ
ଆଜି ରକୁଣା ରଥ ପାଖରେ ଦିନ ତମାମ ପ୍ରବଚନ ପରିବେଷଣ କରାଯାଇଥିଲା। ଜିଲ୍ଲା ଲୋକ ସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ମହାଖଳା ମଣ୍ଡପରେ ରଥ ସଂପର୍କିତ ଧାରା ବିବରଣୀ ପ୍ରଦାନ ସହ ପ୍ରବଚନ ଅନୁଷ୍ଠିତ ହୋଇଥିଲା। ବିଭାଗର ଗୌରଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ମାନଗୋବିନ୍ଦ ମହାସୂପକାର, ବୈକୁଣ୍ଠନାଥ ପ୍ରଧାନ, ସଚ୍ଚିଦାନନ୍ଦ ବେହେରା, ପ୍ରଫେସର ଜୟକୃଷ୍ଣ ଦାଶ, ଇଂ ଅଭିନନ୍ଦନ ଦାସ ପ୍ରମୁଖ ପ୍ରବଚନ ଦେଇଥିଲେ।

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ବହୁ ପ୍ରତୀକ୍ଷିତ ରୁକୁଣା ରଥଯାତ୍ରାରେ ଆଜି ଚରମ ବିଭ୍ରାଟ ସୃଷ୍ଟି ହୋଇଛି। ଚଳିତ ବର୍ଷର ଏହି ବିଭ୍ରାଟ ପୂର୍ବ ବର୍ଷର ସମସ୍ତ ବିଭ୍ରାଟକୁ ଟପିଯାଇଛି। ଯାହା ଶ୍ରାଦ୍ଧାଳୁଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରିଛି। ନୀତି ବିଳମ୍ବ ପରେ ବାରମ୍ବାର ରଥ ଦଉଡ଼ି ଛିଣ୍ଡିବାରୁ ରଥ ଟଣା ଏକପ୍ରକାର ହୋଇପାରିନାହିଁ। ରଥ ମାତ୍ର ଦେଢ଼ ହାତ ଗଡ଼ିବା ପରେ ଅଟକି ଯାଇଛି। ଏମିତି ବିଭ୍ରାଟ ଭିତରେ ସନ୍ଧ୍ୟା ହୋଇଯିବାରୁ ଆଜି ପାଇଁ ରଥ ଟଣା ବନ୍ଦ ରହିଛି। ଆସନ୍ତାକାଲି ଅପରାହ୍ଣ ୨ଟାରେ ପୁଣି ରଥ ଟଣା ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏଭଳି ବାରମ୍ବାର ରଥ ଦଉଡ଼ି ଛିଣ୍ଡିବା ନେଇ କତା ନିଗମକୁ କୈଫିୟତ୍‌ ତଲବ କରାଯିବ ବୋଲି ଜଣାପଡ଼ିଛି। ପରମ୍ପରା ଅନୁଯାୟୀ ଆଜି ଭୋର ସାଢ଼େ ୫ଟାରେ ପହୁଡ଼ ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ କରାଯାଇଥିଲା। ୫ଟା ୩୦ରୁ ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ସାହାଣମେଲା ଦର୍ଶନ ହୋଇଥିଲା। ଏହାପରେ ଛାମୁ ପରିଷ୍କାର, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ଶ୍ରୀଜିଉଙ୍କ ବେଶ, ଦେବଦେବୀଙ୍କ ବଲ୍ଲଭ, ସକାଳ ଧୂପ, ଭୋଗ ମଣ୍ଡପ, ସର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ମହାସ୍ନାନ, ବେଶ ପରେ ମଧ୍ୟାହ୍ନରେ ଯାତ୍ରା ପୂଜା ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ପ୍ରାୟ ୨ଟାରେ ମନ୍ଦିର ବେଢ଼ା ପରିକ୍ରମା କରାଯିବା ପରେ ଶ୍ରୀଜିଉଙ୍କ ପହଣ୍ଡି ହୋଇଥିଲା। ଅପରାହ୍ଣ ସାଢ଼େ ୨ଟାରେ ରଥ ପରିକ୍ରମା କରି ମହାପ୍ରଭୁ ରଥାରୂଢ଼ ହୋଇଥିଲେ। ରଥ ଉପରେ ପରିକ୍ରମା କରାଇବା ପରେ ସେବାୟତମାନେ ଶ୍ରୀଜିଉଙ୍କୁ ରଥ ସିହାଂସନରେ ବସାଇଥିଲେ। ଛେରାପହଁରା ନୀତି ପରେ ପୂଜାପଣ୍ଡା ସେବାୟତଙ୍କ ଦ୍ଵାରା ପୂଜା କରାଯାଇଥିଲ। କିଛି ସମୟ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଚାରିଦ୍ଵାର ପୂଜା ପରେ ରଥରେ ଚାରି ଘୋଡ଼ା ଯୋଚା ଯାଇଥିଲା। ପ୍ରାୟ ସାଢ଼େ ୪ଟାରେ ଚାରମାଳ ଖୋଲାଯିବା ପରେ ୫ଟାରେ କାଳେସି ରଥ ସମ୍ଭାଳିଥିଲେ।

ଅପରାହ୍ଣ ଠିକ୍‌ ୫ଟା ୧୦ମିନିଟ୍‌ରେ ରଥ ଟଣା ଆରମ୍ଭ ହୋଇଥିଲା। ହରିବୋଲ ହୁଳହୁଳି ଧ୍ୱନିରେ ରଥଦାଣ୍ଡ ଉଛୁଳି ପଡ଼ିଥିଲା। ହେଲେ ଶ୍ରଦ୍ଧାଳୁମାନେ ଯେତେ ବଳ ଖର୍ଚ କରି ରଥ ଟାଣିଥିଲେ ମଧ୍ୟ ୩୦ମିନିଟ୍‌ ପର୍ଯ୍ୟନ୍ତ ରଥ ଆଗକୁ ଗଡ଼ି ନଥିଲା। ବାରମ୍ବାର ରଥ ଦଉଡ଼ି ଛିଣ୍ଡିବାରୁ ରଥ ଟଣା ବିଳମ୍ବିତ ହୋଇଥିଲା। ଡାହୁକ ବୋଲି ଦେବା ସହ ଠାକୁରଙ୍କ ଦ୍ଵାହି ଦେବା ପରେ ରଥ ମାତ୍ର ଦେଢ଼ ହାତ ଗଡ଼ିଥିଲା। ମାତ୍ର ଏହାପରେ ଚତୁର୍ଥ ଥର ପାଇଁ ରଥ ଦଉଡ଼ି ଛିଣ୍ଡିବାରୁ ରଥ ଟାଣୁଥିବା ଭକ୍ତମାନେ ପରସ୍ପର ଉପରେ କଚାଡ଼ି ହୋଇ ପଡ଼ିଥିଲେ। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏମିତି ବିଭ୍ରାଟ ଭିତରେ ସନ୍ଧ୍ୟା ହୋଇଯିବାରୁ ୬ଟା ୪୫ରେ ରଥଟଣା ବନ୍ଦ କରାଯାଇଥିଲା। ତେବେ ଏହାପରେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ହଜାର ହଜାର ଭକ୍ତ ଭିଡ଼ ଜମାଇ ଥିଲେ। ଭକ୍ତମାନେ ରଥକୁ ଲାଗିଥିବା ସିଡ଼ିରେ ଚଢ଼ି ଦର୍ଶନ କରିଥିଲେ। ରାତି ପର୍ଯ୍ୟନ୍ତ ଏଭଳି ଭିଡ଼ ଲାଗି ରହିଥିଲା।

ଉଲ୍ଲେଖଯୋଗ୍ୟ ଯେ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ ବୋଲି ପୂର୍ବରୁ ମନ୍ଦିର ଟ୍ରଷ୍ଟବୋର୍ଡ ବୈଠକରେ ନୀତି ନିର୍ଘଣ୍ଟ ହୋଇଥିଲା। ମାତ୍ର ନୀତି ବିଳମ୍ବ ଯୋଗୁ ନିର୍ଧାରିତ ସମୟରେ ରଥ ଟଣା ଆରମ୍ଭ ହୋଇ ପାରି ନଥିଲା। ପ୍ରାୟ ଘଣ୍ଟାଏ ୧୦ ମିନିଟ୍‌ ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟାଏରୁ ଊର୍ଧ୍ୱ ସମୟ ପର୍ଯ୍ୟନ୍ତ ନୀତି ବିଳମ୍ବ ହୋଇଥିଲା। ଶୁକ୍ରବାର ରଥରେ କପଡ଼ା ବାନ୍ଧିବାରେ ବିଳମ୍ବ ହୋଇଥିବା ବେଳେ ଆଜି ସବୁ ନୀତିରେ କିଛି କିଛି ସମୟ ବିଳମ୍ବ ହୋଇଥିଲା। ତେବେ ରଥ ଉପରେ ଠାକୁରଙ୍କ ବିଜେ ପରେ ନୀତି ଓ ଦର୍ଶନ ଯୋଗୁଁ ଆଉ ଅଧଘଣ୍ଟା ବିଳମ୍ବ ହୋଇଥିଲା। ଅନ୍ୟପକ୍ଷରେ ବାରମ୍ବାର ରଥ ଦଉଡ଼ି ଛିଣ୍ଡିବାରୁ ରଥଟଣା ବିଳମ୍ବ ହେଲା ବୋଲି କୁହାଯାଉଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କତା ନିଗମ ରୁକୁଣା ରଥକୁ ଦଉଡ଼ି ଯୋଗାଇଥିଲା। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ୩୦ହଜାର ୬୧୫ଟଙ୍କା ପ୍ରଦାନ କରାଯାଇଛି। ତେବେ ଚଳିତ ବର୍ଷ ରଥର ଡାହାଣ ପାର୍ଶ୍ୱ ଦଉଡ଼ି ୪ ଥର ଛିଣ୍ଡିଥିଲା। ଏହା ଫଳରେ ରଥ ଟଣା ବିଳମ୍ବ ହେବାରୁ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ କତା ନିଗମକୁ କୈଫିୟତ୍‌ ତଲବ କରାଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କହିଛନ୍ତି।

ବାରମ୍ବାର ଛିଣ୍ଡିଲା ରଥ ଦଉଡ଼ି
କତା ନିଗମକୁ ହେବ କୈଫିୟତ ତଲବ
ପୁଣି ନୀତି ବିଳମ୍ବ, ରଥ ଉପରେ ଭକ୍ତଙ୍କ ଭିଡ଼

 

ଥାନା ଫୋନ୍‌ ଅଚଳ
ରୁକୁଣା ରଥଯାତ୍ରା ପରି ଗୁରୁତ୍ୱପୂର୍ଣ୍ଣ ଉତ୍ସବ ସମୟରେ ଶ୍ରୀଲିଙ୍ଗରାଜ ଥାନା ଫୋନ୍‌ ଅଚଳ ହେବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛିା। ଥାନାର ଫୋନ୍‌ ନମ୍ବର-୦୬୭୪୨୩୪୦୭୫ କୁ ଯେତେ କଲ୍‌ ହେଲେ ମଧ୍ୟ କେହି ଉଠାଉ ନଥିଲେ ବୋଲି ଅଭିଯୋଗ ହୋଇଛି। ଯାତ୍ରାକୁ ନେଇ ପୁଲିସ ତତ୍ପରତା ପ୍ରକାଶ କରିଥିଲେ ମଧ୍ୟ ଫୋନ୍‌ ଅଚଳ ହେବାରୁ ବହୁ ଶ୍ରଦ୍ଧାଳୁ ଅସୁବିଧାରେ ପଡ଼ିଥିଲେ।

୨ଜଣଙ୍କ ପକେଟ୍‌ମାର, ଜଣଙ୍କ ଚେନ୍‌ ଲୁଟ

ରଥଯାତ୍ରା ଭିଡ଼ ବେଳେ ୨ଜଣ ବ୍ୟକ୍ତିଙ୍କ ପକେଟ୍‌ମାର ହୋଇଥିବା ବେଳେ ଜଣଙ୍କ ଚେନ୍‌ ଲୁଟ୍‌୍‌ ହୋଇଛି। ସେହିପରି ୩ଜଣଙ୍କ ମୋବାଇଲ ଲୁଟ୍‌ ହୋଇଛି ବୋଲି ଅଭିଯୋଗ ହୋଇଛି। ସବୁଜ ବନାମ କମଳା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ ବିଭିନ୍ନ ସେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର କରାଯାଇଥିଲା। ଏକାମ୍ର ଜନଜାଗରଣ ମଞ୍ଚ, ସେବା ପ୍ରତିନିଧି, ସ୍ନେହୀ ସମାଜ, ପିଡିଏଚ୍‌ଆର୍‌ଆଇ, ପ୍ରଦୀପ ସେବା ଟ୍ରଷ୍ଟ, ସମ୍ପର୍କ ପରିବାର, ସତ୍ୟସାଇ ସେବା ଗ୍ରୁପ୍‌, ଏକାମ୍ର କଲେଜ ଆଦି ବହୁ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର ହୋଇଥିଲା। ତେବେ ରଥ ପାଖରେ ସବୁଜ ରଙ୍ଗ କ୍ୟାମ୍ପ୍‌ ସହ କମଳା ରଙ୍ଗର କ୍ୟାମ୍ପରେ ଜଳଛତ୍ରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଥିଲା। ସବୁଜ ରଙ୍ଗର ବିଜେଡି କ୍ୟାମ୍ପରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ରଞ୍ଜିତ ମହାପାତ୍ର ଓ ବହୁ କର୍ପୋରେଟର୍‌ ଥିବା ବେଳେ ରଥ ନିକଟରେ ଥିଲା ବିଜେପିର କମଳା ରଙ୍ଗର ଜଳଛତ୍ର କ୍ୟାମ୍ପ। ବିଜେପିର ମଣ୍ଡଳ ସଭାପତି ଶେଷ ଶେଖର ଗରାବଡ଼ୁଙ୍କ ନେତୃତ୍ଵରେ ହୋଇଥିବା ଏହି ଜଳଛତ୍ରରେ ବିଜେପି ନେତା ଅମିୟ ଦାଶ, ଶିବ ବେହରାଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

ଠେଲାପେଲାରେ ୨ ଆହତ
ଆଜି ରଥ ଟଣା ବେଳେ ଚିତ୍ର କାରିଣୀ ମନ୍ଦିରଠାରେ ଜଣେ ଯୁବକ ତଳେ ପଡ଼ି ଆହତ ହୋଇଥିଲେ। ସେ ହେଲେ ରାଜଧାନୀ ଉପକଣ୍ଠ କଲ୍ୟାଣପୁରର ପ୍ରକାଶ ବେହେରା(୪୨)। ତାଙ୍କ ମୁଣ୍ଡ ଫାଟି ରକ୍ତ ବାହାରିବାରୁ ସେଚ୍ଛାସେବୀମାନେ ତାଙ୍କୁ ବିଏମ୍‌ସି ହସ୍‌ପିଟାଲରେ ଭର୍ତି କରିଥିଲେ। ସେହିପରି ଆଉ ଜଣେ ମଧ୍ୟ ଠେଲାପେଲା ଯୋଗୁ ତଳେ ପଡ଼ି ଯାଇଥିଲେ। ତେବେ ତାଙ୍କ ପରିଚୟ ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର