ଭୁବନେଶ୍ୱର: ଲୋକଙ୍କ ମୌଳିକ ସମସ୍ୟା ସମାଧାନ ହେଉନି ବୋଲି ବିଏମ୍ସି ନାଁରେ ଅଭିଯୋଗର ପାହାଡ଼। ସ୍ମାର୍ଟ ସିଟି ନାମରେ ଭବିଷ୍ୟତ ସ୍ୱପ୍ନରେ ରାଜଧାନୀବାସୀଙ୍କୁ ମସ୍ଗୁଲ୍ କରାଉଥିବା ବିଏମ୍ସି କର୍ତ୍ତୃପକ୍ଷଙ୍କ ଅପାରଗତା ଏବେ ଚରମ ସୀମାରେ ପହଞ୍ଚିଛି। ଅଧିକାରୀମାନେ ଏତେ ଅପାରଗ ଯେ ସହରର କେନ୍ଦ୍ର ସ୍ଥଳରେ ଥିବା ସତ୍ୟନଗର ମଶାଣିକୁ ବି ଠିକ୍ କରିପାରୁ ନାହାନ୍ତି। ଯିଏ ସେଠାକୁ ଶବଦାହ ପାଇଁ ଯାଇଛନ୍ତି, ସେମାନେ କେବଳ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ମଶାଣି ପରି ଏକ ସମ୍ବେଦନଶୀଳ ତଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିଏମ୍ସି କର୍ତ୍ତୃପକ୍ଷଙ୍କ ଏପରି ଚରମ ଅବହେଳା ସଚେତନ ନାଗରିକମାନଙ୍କୁ ବ୍ୟଥିତ କରୁଛି। ସତ୍ୟନଗର ମଶାଣି ଉପରେ ରାଜଧାନୀର ଅଧିକାଂଶ ପରିବାର ନିର୍ଭର କରନ୍ତି। ବହୁ ସଂଖ୍ୟାରେ ଶବଦାହ ଏଠାରେ କରାଯାଏ। କିନ୍ତୁ ଏଠାରେ ମୌଳିକ ସୁବିଧା ଦିଆଯାଉ ନାହିଁ। ମଶାଣିରେ ପୂର୍ବରୁ ଯେତିକି ସୁବିଧା ଥିଲା, ସେତିକି ବି ରକ୍ଷଣାବେକ୍ଷଣ କରାଯାଉନି। ମଶାଣି ଭିତରକୁ ପଶୁ ପଶୁ ହିଁ ଅବ୍ୟବସ୍ଥା ଆଖିରେ ପଡ଼ିବ। ପ୍ରବେଶ ରାସ୍ତାରେ କୁଢ଼ କୁଢ଼ ଅଳିଆ ଗଦା ହୋଇଛି। ମଶାଣି ଚାରିପାଖେ ରହିଥିବା ପାଚେରି ବି ବହୁ ସ୍ଥାନରେ ଭାଙ୍ଗି ଯାଇଛି। ଦୀର୍ଘ ଦିନ ଧରି ଏହାର ମରାମତି କରାଯାଉନି। ଏଠାରେ ଥିବା ସ୍ନାନକୁଣ୍ଡ ଓ ତୁଠ କାହାର ବ୍ୟବହାରରେ ଆସୁ ନାହିଁ। ଆମ ପରମ୍ପରା ଅନୁଯାୟୀ ଶବଦାହ ପରେ ସ୍ନାନକୁଣ୍ଡର ଆବଶ୍ୟକତା ରହିଛି। ସେଠାରେ ସମ୍ପର୍କୀୟମାନେ ବିଭିନ୍ନ କର୍ମ କରନ୍ତି। କିନ୍ତୁ ସ୍ନାନକୁଣ୍ଡଟି ପରିତ୍ୟକ୍ତ ହୋଇ ରହିଛି। ସେଠାରେ ଯଥେଷ୍ଟ ପାଣି ନାହିଁ। ଯେତିକି ପାଣି ବି ଅଛି, ସେଥିରେ ପତ୍ର ପଡ଼ି ପଚିଯାଇଛି। ପୁଣି ତୁଠ ଚାରିପଟ ସଫା କରାଯାଉ ନ ଥିବାରୁ ଜଙ୍ଗଲ ସୃଷ୍ଟି ହେଲାଣି। ତାହା ଆଉ ବ୍ୟବହାର କରିବା ଅବସ୍ଥାରେ ନାହିଁ। ମଶାଣିରେ ଯଥେଷ୍ଟ ଆଲୋକର ବି ବନ୍ଦୋବସ୍ତ କରାଯାଇ ନାହିଁ। ଫଳରେ ରାତିରେ ଶବଦାହ ପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶବଦାହକୁ ସହଜ ଓ ସୁବିଧା କରିବା ପାଇଁ ୧୯୯୯ ମସିହାରେ ଏକ ବିଦ୍ୟୁତ ଚୁଲା ସ୍ଥାପନ ହୋଇଥିଲା। କିନ୍ତୁ ଏହି ଚୁଲା ଅଧିକାଂଶ ସମୟରେ ଅଚଳ ହୋଇପଡ଼ୁଛି। ଏବେ ପ୍ରାୟ ମାସେରୁ ଅଧିକ ସମୟ ହେବ ଚୁଲା କାମ କରୁନି। ଫଳରେ ବର୍ଷା ସମୟରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚୁଲା ଥାଇ ବି ନ ଥିଲା ପରି। ଚୁଲା ଥିବା ଘରର କାନ୍ଥ ଓ ଛାତ ଫାଟିଗଲାଣି। ଏପରିକି କିଛି ଜାଗାରେ ପାଣି ଗଳୁଛି। ନା ଘର ସଜଡ଼ାଯାଉଛି ନା ଚୁଲା। ପ୍ରତି ଦୁଇ ତିନି ମାସରେ ଥରେ ଚୁଲା ଖରାପ ହେଉଥିଲେ ବି ତାହାର ସ୍ଥାୟୀ ସମାଧାନର ବାଟ ବି ବାହାର କରାଯାଉ ନାହିଁ। ଏନେଇ ବିଏମ୍ସି କମିସନର କ୍ରିଷନ କୁମାରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ସତ୍ୟନଗର ମଶାଣିର ପୁନରୁଦ୍ଧାର କାର୍ଯ୍ୟ ହେବ। ସୌନ୍ଦର୍ଯ୍ୟକରଣ କରାଯିବ। ଏଠାରେ ବିଭିନ୍ନ ପ୍ରକାରର ଫୁଲ ଗଛ ଲଗାଯିବ। ସ୍ନାନକୁଣ୍ଡର ପୁନରୁଦ୍ଧାର କରାଯିବ। ଶବଦାହ ପାଇଁ ଥିବା ବିଦ୍ୟୁତ ଚୁଲା ଯେପରି ବର୍ଷତମାମ୍ କାମ କରିବ ସେନେଇ ଖୁବ୍ ଶୀଘ୍ର ବ୍ୟବସ୍ଥା କରାଯିବ।
ଏତେ ଅପାରଗ? ମଶାଣି ବି ଠିକ୍ କରିପାରୁ ନାହାନ୍ତି
ସତ୍ୟନଗର ମଶାଣିରେ କେବଳ ସମସ୍ୟା ହିଁ ସମସ୍ୟା
/sambad/media/post_attachments/wp-content/uploads/2018/09/m20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)