ଜାଗରରେ ନୀତି ବିଳମ୍ବ ଆଶଙ୍କା: ଅସହଯୋଗ କରିବେ ୩ ନିଯୋଗ, ଚିନ୍ତାରେ ପ୍ରଶାସନ

ପୁରୁଣା ଭୁବନେଶ୍ୱର: ଆଉ ଦୁଇ ସପ୍ତାହ ପରେ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି। ସୁରୁଖୁରୁ‌ରେ ଜାଗର ଯାତ୍ରା ପାଳନ ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଥିବା ବେଳେ ୩ ନିଯୋଗ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ଲିଙ୍ଗରାଜଙ୍କ ପରମ୍ପରା ଠିକ୍‌ ରହୁନଥିବା, ଜାଗର ଦିନର ଭେଟଅର୍ଥ ପ୍ରଶାସନକୁ ଆସୁନଥିବା ଅଭିଯୋଗ କରି ବ୍ରାହ୍ମଣ ନିଯୋଗ ଅସହଯୋଗ କରିବ ବୋଲି ଚେତାବନୀ ଦେଇଛି। ସେହିପରି ଡାଲା ଭୋଗ କଥା ପ୍ରଶାସନ କାର୍ଯ୍ୟକାରୀ କରୁନଥିବାରୁ ସମୟ ଅନୁଯାୟୀ ନୀତି ହେବ ନାହିଁ ବୋଲି ପୂଜାପଣ୍ଡା ନିଯୋଗ କହିଛି। କିଛି କାରଣ ନ ଦର୍ଶାଇ ବଡ଼ୁ ନିଯୋଗ ମଧ୍ୟ ଅସହଯୋଗ କରିବ ବୋଲି କହିଛି। ତେବେ କେବଳ ପାଳିଆ ବଡ଼ୁ ମହାଶିବରାତ୍ରିରେ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାଯାଇଛି। ୩ ନିଯୋଗର ଏପରି ଚେତାବନୀ ପରେ ମନ୍ଦିର ପ୍ରଶାସନ ଚିନ୍ତାରେ ପଡ଼ି ଯାଇଛି। ମିଳିଥିବା ସୂଚନା ମୁତାବକ, ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାରେ ସେବାୟତମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ନୀତି ସୁରୁଖୁରୁରେ ଚାଲିଲେ ଠିକଣା ସମୟରେ ମହାଦୀପ ଉଠିବ। ଆସନ୍ତା ମାର୍ଚ ୪ ତାରିଖରେ ଜାଗର ଯାତ୍ରା ପଡ଼ୁଥିବା ବେଳେ ଏହା ପୂର୍ବରୁ ଆସନ୍ତା ୨୩ ତାରିଖରେ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। କିନ୍ତୁ ସମନ୍ବୟ ବୈଠକ ପୂର୍ବରୁ ତିନି ନିଯୋଗ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ କହିବା ଅନୁଯାୟୀ, ଆସନ୍ତା ଜାଗର ଯାତ୍ରାରେ ବ୍ରାହ୍ମଣ ନିଯୋଗ ଅସହଯୋଗ କରିବ। ଲିଙ୍ଗରାଜଙ୍କ ପରମ୍ପରା ଏ ପର୍ଯ୍ୟନ୍ତ ଠିକ୍‌ ରହୁନାହିଁ। ଜାଗର ଦିନର ଭେଟ ଅର୍ଥ ପ୍ରଶାସନକୁ ଆସୁ ନାହିଁ। ଏନେଇ ଦୀର୍ଘ ଦିନ ହେଲା ଅଭିଯୋଗ କରାଯାଉଥିଲେ ହେଁ ପ୍ରଶାସନ ଶୁଣୁନଥିବାରୁ ନିଯୋଗ ଏପରି ନିଷ୍ପତ୍ତି ନେଇଥିବା କହିଛି। ସେହିପରି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହନ୍ତି, ଡାଲା ଭୋଗ କଥା ପ୍ରଶାସନ କାର୍ଯ୍ୟକାରୀ କରୁନଥିବାରୁ ମହାଶିବରାତ୍ରି ଦିନ ସମୟ ଅନୁଯାୟୀ ନୀତି ହେବ ନାହିଁ। କିନ୍ତୁ ବଡ଼ୁ ନିଯୋଗ ଅସନ୍ତୋଷର କାରଣ କହିବାକୁ ମନା କରିଛି। ବଡ଼ୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡ଼ୁ କୁହନ୍ତି, ମହାଶିରାତ୍ରୀ ଦିନ କୌଣସି ବଡ଼ୁ ନିଯୋଗ ସଭ୍ୟ କାର୍ଯ୍ୟରେ ଯୋଗ ଦେ‌ବେ ନାହିଁ। କେବଳ ପାଳିଆ ବଡ଼ୁ କାର୍ଯ୍ୟରେ ଯୋଗଦେବେ ବୋଲି ସେ କହିଛନ୍ତି। ଏପରି ତିନି ନିଯୋଗର ଅସନ୍ତୋଷ ଏବେ ମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ବିଶ୍ୱପ୍ରସିଦ୍ଧ। ଏଠାରେ ମହାଦୀପ ଉଠିଲା ପରେ ବହୁ ଶ୍ରଦ୍ଧାଳୁ ଉପବାସ ଭାଙ୍ଗିଥାନ୍ତି। ସେଦିନ ନୀତି ବିଳମ୍ବ ହେଲେ ପ୍ରଶାସନ ଓ ରାଜ୍ୟ ସରକାର ନିନ୍ଦିତ ହେବେ ବୋଲି ସେବାୟତମାନେ କହିଛନ୍ତି। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କିଛି ମତାମତ ଦେଇନାହାନ୍ତି। ଏ ସଂପର୍କରେ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା କହିଛନ୍ତି, ଏ ସଂପର୍କରେ ଆଲୋଚନା କରାଯାଇ ବିଚାର କରାଯିବ।

ସମ୍ବନ୍ଧିତ ଖବର