ଭୁବନେଶ୍ୱର: ବିଏମ୍‌ସିର ଓ୍ୱାର୍ଡ ନମ୍ୱର ୩୪। ସ୍ମାର୍ଟ ସିଟିର ପ୍ରମୁଖ ଅଂଶ। ଓ୍ୱାଟ୍‌କୋ, କୃଷି ଶିଳ୍ପ ନିଗମ, ଉନ୍ନତି ଭବନ, ତୋଷାଳି ପ୍ଲାଜା, ସତ୍ୟନଗର କାଳୀମନ୍ଦିର, ଶ୍ମଶାନ, ଚର୍ଚ୍ଚ ପରି ବହୁ ମୁଖ୍ୟ ଅଞ୍ଚଳ ଏହି ଵାର୍ଡରେ ରହିଛି। ସେହିଭଳି ରାଜଧାନୀର ପୁରୁଣା ଜନବସତି ଭାବେ ଜଣାଶୁଣା ପଞ୍ଜାବୀ କଲୋନି, ସତ୍ୟନଗର ହାଉସିଂବୋର୍ଡ କଲୋନି, ପ୍ରେସ୍‌ କଲୋନି ଓ ଶାନ୍ତିପଲ୍ଲୀ ବସ୍ତି ରହିଛି। ସ୍ମାର୍ଟସିଟିରେ ସାମିଲ୍ ହେବା ପରେ ଏହି ୱାର୍ଡର ଲୋକେ ବେଶ୍ ଖୁସି ହୋଇଯାଇଥିଲେ। ସ୍ମାର୍ଟସିଟି ପାଇଁ କୋଟି କୋଟି ଟଙ୍କା ବି ଖର୍ଚ୍ଚ ହେଲା। କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସବୁ ଦେଖାସୁନ୍ଦର କାମ। ମହାକାଳ ଫଳ ଭଳି ଉପର ବଡ଼ସୁନ୍ଦର, ଭିତର ପୋଡ଼ା ଅଙ୍ଗାର। ମୁଖ୍ୟ ରାସ୍ତା ଓ ସଂଲଗ୍ନ ଅଂଶକୁ ଚକ୍‌ଚକ୍ କରାଯାଇଛି।

Advertisment

publive-image

କିନ୍ତୁ କଲୋନି ବା ଜନବସତି ଅଞ୍ଚଳ ବଡ଼ କଦର୍ଯ୍ୟ। ପ୍ରାୟ ସବୁ ରାସ୍ତା ଅବସ୍ଥା ଶୋଚନୀୟ। ଏବେ ୱାଟ୍‌କୋ ପକ୍ଷରୁ ପାଣି ପାଇପ୍ ବିଛାଇବାକୁ ପ୍ରାୟ ସବୁଆଡ଼େ ରାସ୍ତା ଖୋଳିକି ପକାଇ ଦିଆଯାଇଛି। ଫଳରେ ଲୋକମାନେ ଯାତାୟାତ କରିବାରେ ସମସ୍ୟାରେ ପଡ଼ୁଛନ୍ତି। ସତ୍ୟନଗର ଚର୍ଚ୍ଚ ପଛ ପଟ ରାସ୍ତା ଓ ତୋଷାଳି ଆପାର୍ଟମେଣ୍ଟକୁ ଳମ୍ବିଥିବା ରାସ୍ତାରେ ଵାଟ୍‌କୋ ପକ୍ଷରୁ ପାଣି ପାଇପ୍‌ ବିଛାଇବା କାମ ଚାଲିଛି। ଫଳରେ ଖାଲଖମା ଓ ଧୂଳିଧୂସରିତ ରାସ୍ତାରେ ଲୋକେ ରୁନ୍ଧି ହୋଇଗଲେଣି। ସେହିପରି ତୋଷାଳି ଆପାର୍ଟମେଣ୍ଟରୁ ପୁରାତତ୍ତ୍ୱ ନିବାସ ଓ ରାଜକୁମାର ବସ୍ତିକୁ ଲମ୍ବିଥିବା ରାସ୍ତା, ଦୁର୍ଗାମଣ୍ଡପ ସମ୍ମୁଖ ରାସ୍ତା ମଧ୍ୟ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ଏହି ଵାର୍ଡର ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ସଫେଇ। ଏହି ଵାର୍ଡରୁ ନିମୟିତ ଆବର୍ଜନା ଉଠୁନାହିଁ ବୋଲି ଅଭିଯୋଗ ହେଉଛି। ସ୍ଥାନେସ୍ଥାନେ ଆବର୍ଜନା ଦିନ ଦିନ ଧରି ଗଦା ହୋଇରହୁଛି। ରକ୍ଷଣାବେକ୍ଷଣ ଅଭାବରୁ ସତ୍ୟନଗର ପାର୍କରେ ଜିମ୍‌ ସରଞ୍ଜାମ ଓ ପିଲାଙ୍କ ଖେଳଣା ସାମଗ୍ରୀ ଭାଙ୍ଗିରୁଜି ଗଲାଣି।

ବଡ଼ ସମସ୍ୟା ନାହିଁ, ରାସ୍ତା ସମସ୍ୟା ସାମୟିକ

publive-image

ମୋ ଓ୍ୱାର୍ଡରେ ବିକାଶ କାମ ବେଶ୍ ଆଗୁଆ। ୱାଟ୍‌‌କୋ ପକ୍ଷରୁ ଚାଲିଥିବା କାମ ପାଇଁ ରାସ୍ତା ସମସ୍ୟା ସୃଷ୍ଟି ହୋଇଛି। କିନ୍ତୁ ଏହା ସାମୟିକ ସମସ୍ୟା। ୱାଟ୍‌‌କୋ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସତ୍ୟନଗର ପାର୍କ ଚାରିପଟେ ରାସ୍ତାର ନବୀକରଣ ପାଇଁ ୪୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ୧୮ ଲକ୍ଷ ଟଙ୍କା ବ୍ୟୟରେ ପୋଷ୍ଟାଲ ଛକରୁ ଫରେଷ୍ଟ ଅଫିସ ପର୍ଯ୍ୟନ୍ତ ରାସ୍ତା କାମ ସରିଛି ଏବଂ ଡ୍ରେନ୍‌ରେ ସ୍ଲାବ୍‌ ପଡ଼ିଛି। ଵାର୍ଡ ବିଭିନ୍ନ ରାସ୍ତା ପ୍ରଶସ୍ତୀକରଣ ଓ ପେଭର ବ୍ଲକ୍‌ ପଡ଼ିବା ପାଇଁ ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସତ୍ୟନଗର ପାର୍କରେ ଜିମ୍‌ ସରଞ୍ଜାମ ମରାମତି କାମ ଏହି ମାସରେ କରାଯିବ। ସେହିପରି ତୋଷାଳି ଭବନ ରାସ୍ତା ଓ ଡ୍ରେନ୍‌ କାମ ଖୁବ୍‌ ଶୀଘ୍ର ଆରମ୍ଭ ହୋଇଯିବ। ଓ୍ୱାର୍ଡରେ ଆବର୍ଜନା ପ୍ରଦିଦିନ ଉଠୁଛି, କିନ୍ତୁ କିଛି ଅମାନିଆ ଠିକ୍‌ ସମୟରେ ଆବର୍ଜନା ନଦେଇ ରାସ୍ତାରେ ଗଦା କରୁଛନ୍ତି।

- ପୁଷ୍ପାଞ୍ଜଳି ସେଠୀ, କର୍ପୋରେଟର