ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ବିଧିରେ ବିଭ୍ରାଟ: ହେଲାନି ମଙ୍ଗନ, କେମିତି ପଡ଼ିବ ହାତଗଣ୍ଠି?

ପୁରୁଣା ଭୁବନେଶ୍ୱର: ରାତି ପାହିଲେ ଶୀତଳ ଷଷ୍ଠୀ। ଅନୁଷ୍ଠିତ ହେବ ଶିବ ବିବାହ। କିନ୍ତୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଏହି ମହାନ୍ ପର୍ବରେ ଦେଖାଦେଇଛି ମହାବିଭ୍ରାଟ। ମନ୍ଦିର ପ୍ରଶାସନର ଅବହେଳାକୁ ବିରୋଧ କରି ସେବାୟତମାନେ ଅସହଯୋଗ କରିବାରୁ ଆଜି ହୋଇପାରିଲାନି ମଙ୍ଗଳକୃତ୍ୟ ବିଧି ସମ୍ପନ୍ନ। ଦିନ ତମାମ୍ ମନ୍ଦିରରେ ନୀତିରେ ବି ଘଟିଛି ବିଭ୍ରାଟ। ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟ‌ରେ ଲାଗି ରହିଥିବା ଛକାପଞ୍ଝା କାରଣରୁ ଶୀତଳ ଷଷ୍ଠୀ ଭଳି ଠାକୁରଙ୍କ ବିଧି ବନ୍ଦ ହୋଇଯାଇଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟ‌ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ମଙ୍ଗନ ନୀତି ବନ୍ଦ ହୋଇଯାଇଥିବା ବେଳେ ଆସନ୍ତାକାଲି କିଭଳି ବାହାଘର ପର୍ବ ଅନୁଷ୍ଠିତ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ମନ୍ଦିର ପ୍ରଶାସନ ମଧ୍ୟ ନିରବ ରହିଥିବାରୁ ଏକାମ୍ର କ୍ଷେତ୍ରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

ସୂଚନାନୁଯାୟୀ, ଆଜି ପୂର୍ବାହ୍ନରୁ ସେବାୟତମାନଙ୍କ ଅସହଯୋଗ ଆରମ୍ଭ ହୋଇଥିଲା। ମନ୍ଦିର ପ୍ରଶାସନକୁ ଚେତାଇବାକୁ ମଙ୍ଗଳ ଆଳତି ବେଳରୁ ସେବାୟତ ନିଯୋଗ ପକ୍ଷରୁ ନୀତିରେ ଅସହଯୋଗ କରାଯାଇଥିଲା ଓ ପ୍ରଥମେ ସକାଳୁ ଦୁଇ ଘଣ୍ଟା ନୀତି ବିଳମ୍ବ ହୋଇଥିଲା। ଅବଶ୍ୟ ଏହା ପ୍ରତୀକାତ୍ମକ ଅସହଯୋଗ ଆନ୍ଦୋଳନ ଥିଲା ଓ ୨ଘଣ୍ଟା ନୀତି ବନ୍ଦ କରାଯିବା ପରେ ପୁଣି ନୀତି ସ୍ବାଭାବିକ ହୋଇଥିଲା। ତଥାପି ପ୍ରଶାସନ କିଛି ପଦକ୍ଷେପ ନେଇନଥିଲା। ଫଳରେ ସନ୍ଧ୍ୟାରେ ପୁଣି ନୀତି ବନ୍ଦ ହୋଇଥିଲା।

ସନ୍ଧ୍ୟାରେ ବଲ୍ଲଭ ପରେ ଦ୍ବିପ୍ରହର ଧୂପ ନୀତି ହୋଇଥିଲା ଓ ଏହା ପରେ ଠାକୁରାଣୀଙ୍କ ଦ୍ବିପ୍ରହର ଧୂପ ହୋଇଥିଲା। ସୂଚନାଯୋଗ୍ୟ, ବିଧି ଅନୁସାରେ ଏହି ସମୟରେ ଶଙ୍କୁଡ଼ି ଭୋଗ ପ୍ରସ୍ତୁତି ହୁଏ। ଏହା ପରେ ଶଙ୍କୁଡ଼ି ଭୋଗ ମନ୍ଦିର ବେଢ଼ା ପରିକ୍ରମା କରାଯାଇଥା’ନ୍ତା। ଏହା ପରେ ଲିଙ୍ଗରାଜଙ୍କ ବିବାହ ପାଇଁ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ ହୋଇଥା’ନ୍ତା ଓ ବଡ଼ସିଂହାର ପରେ ପହୁଡ଼ ପଡ଼ିଥାନ୍ତା। କିନ୍ତୁ ପୂର୍ବ ଘୋଷଣା ଅନୁଯାୟୀ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନୀତିରେ ଅସହଯୋଗ କରାଗଲା। ଦ୍ବିପ୍ରହର ଧୂପ ନୀତି ପରେ ସେବାୟତମାନେ ଆଉ କୌଣସି ନୀତିରେ ସାମିଲ ହୋଇନଥିଲେ। ଫଳରେ ଠାକୁରଙ୍କ ବିବାହ ପାଇଁ ମଙ୍ଗନ ବିଧି ଅନୁଷ୍ଠିତ ହୋଇପାରିଲା ନାହିଁ।

ବଡ଼ କଥା ହେଉଛି, ମନ୍ଦିରର ଦୁଇ ପ୍ରମୁଖ ନିଯୋଗ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ପୂର୍ବରୁ ଏନେଇ ଚେତାବନୀ ଦିଆଯାଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରାରେ ସହଯୋଗ କରିବେ ନାହିଁ ବୋଲି ଲିଖିତ ଜଣାଇଥିଲେ। ହେଲେ ପ୍ରଶାସନ ସେମାନଙ୍କ ଏହି ଚେତାବନୀକୁ ହାଲୁକା ଭାବେ ନେଲା। ଫଳରେ ସେମାନେ ନୀତିରେ ଅସହଯୋଗ କଲେ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି। ଆଜି ନୀତି ବନ୍ଦ ନେଇ ଉଭୟ ନିଯୋଗ ପକ୍ଷରୁ ବୈଠକ କରାଯାଇଥିଲା। ପ୍ରଶାସନ ସେବାୟତଙ୍କ କଥା ଶୁଣୁ ନଥିବାରୁ ସେମାନେ ଅସହଯୋଗ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ଉଭୟ ନିଯୋଗ ପକ୍ଷରୁ କୁହାଯାଇଛି ଯେ ସେବାୟତ ନିଯୋଗଙ୍କୁ ବିଭିନ୍ନ ଯାନିଯାତ୍ରା ସମୟରେ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଆଜି ଯାଏଁ ପୂରଣ କରିପାରିନି। ସେବାୟତମାନେ ସେବାପୂଜା ପାଇଁ ଠାକୁରଙ୍କ ଜମି ରାଜରାଜୁଡ଼ା ସମୟରେ ପାଇଥିଲେ। ଏକାମ୍ର ବିକାଶ ଯୋଜନାରେ ସେମାନଙ୍କ ସ୍ବତ୍ବ କାଟି ଦିଆଯାଇଛି। ସେହିପରି କପିଳନାଥ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ଯାତ୍ରାରେ ଯୋଗ ଦେଉନଥିବାରୁ ୮ବର୍ଷ ହେଲା ପରମ୍ପରା ଭଙ୍ଗ ହେଉଛି। ଅଥଚ ମନ୍ଦିର ପ୍ରଶାସନ କିଛି କରିପାରୁନି। ଗତ ଶିବରାତ୍ରୀ ଓ ରୁକୁଣା ରଥଯାତ୍ରା ବେଳେ ମନ୍ଦିର ପ୍ରଶାସନ ତିନି ନିଯୋଗର ଦାବିକୁ ଏକ ମାସ ଭିତରେ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା, ଅଥଚ ହୋଇପାରିଲା ନାହିଁ। ଏମିତିକି ଚନ୍ଦନ ଯାତ୍ରା ସରିବା ପରେ ମଧ୍ୟ ପ୍ରଶାସନ ସେବାୟତ ନିଯୋଗର କୌଣସି ସମସ୍ୟା ସମାଧାନ କରୁନାହିଁ। ଏନେଇ ମନ୍ଦିର କାର୍ଯ୍ୟନିବାର୍ହୀ ଅଧିକାରୀ ଓ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ କିଛି ପ୍ରତିକ୍ରିୟା ଦେଇପାରିନାହାନ୍ତି। ତେବେ ସ୍ଥାନୀୟ ମୁରବିମାନେ ଓ ଭୁବନେଶ୍ବର ଶୀତଳଷଷ୍ଠୀ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଥିଲେ ବି କିଛି ଫଳ ମିଳିନଥିଲା।

ସଜବାଜ ହୋଇ ବସିଛି କମିଟି

ଏଣେ ବିଧିରେ ବିଭ୍ରାଟ ଦେଖା ଦେଇଥିବା ବେଳେ ଶୀତଳ ଷଷ୍ଠୀ କମିଟି କିନ୍ତୁ ସଜବାଜ ହୋଇ ବସିଛି। ଭୁବନେଶ୍ୱର ଶୀତଳଷଷ୍ଠୀ କମିଟି ପକ୍ଷରୁ ଏକାମ୍ର ସାଂସ୍କୃତିକ ପ୍ରକାଶନୀ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତୁତି ନେଇ ସୂଚନା ଦିଆଯାଇଛି। କମିଟି ସଭାପତି ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ଧୁମ୍‌ଧାମରେ ପାଳିତ ହେବ। କେଦାରଗୌରୀ ମନ୍ଦିରରୁ ନବଦମ୍ପତିଙ୍କୁ ଶୋଭାଯାତ୍ରାରେ ନିଆଯାଇ ଗୋସାଗରେଶ୍ୱର ଛକ ନିକଟ ଶୀତଳଷଷ୍ଠୀ ରୋଡ୍‌, ତିନିମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖଳା ଛକ ମଧ୍ୟ ଦେଇ ନଗର ପରିକ୍ରମା କରାଯିବ। ଚଳିତ ବର୍ଷ ବିଭିନ୍ନ ପ୍ରଦେଶରୁ ନୃତ୍ୟ ଦଳ ଆସିବେ। ଏଥିସହ ବିଭିନ୍ନ ଘଣ୍ଟବାଦ୍ୟ, ସମ୍ବଲପୁରୀ, ଦୁଲୁଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢ଼ୋଲ, ମହୁରୀ, ବନ୍ୟଜନ୍ତୁ ବେଶ, କଣ୍ଡେଇ ନାଚ, ନାଗା ନାଚ, ଘୋଡ଼ା ନାଚ, ମୟୂରଭଞ୍ଜ ଛଉ ନୃତ୍ୟ, ଢୋଲ ମାଦଳ, ମହିଳା କଳସୀ ନୃତ୍ୟ, ଦେବଦେବୀ ବେଶ, ବନାଟିକୁ ନେଇ ବିଶାଳ ଶୋଭାଯାତ୍ରା କରାଯିବ। ଏହି ସମ୍ମିଳନୀରେ କମିଟି ଉପସଭାପତି ସନତ ମିଶ୍ର, ସମ୍ପାଦକ ପୃଥିବୀକାନ୍ତ ମହାପାତ୍ର, ରଶ୍ମି ମହାପାତ୍ର, କେଦାରନାଥ ମହାପାତ୍ର, ବେଣୁଧର ପାତ୍ର, ବିଷ୍ଣୁ ପ୍ରସାଦ ମୁଦୁଲି ଓ ବହୁ ସଭ୍ୟ ଯୋଗ ଦେଇଥିଲେ।

ହେବ କି ସଜ ମଙ୍ଗନ ସଜ ବାହା ନୀତି?

ଆଜି ମଙ୍ଗଳକୃତ୍ୟ ବିଧି ବନ୍ଦ ହେବା ପରେ ବି ବିବାହ ପର୍ବ ସମ୍ପନ୍ନ ହେବା ପାଇଁ ରାସ୍ତା ରହିଛି। ପ୍ରଶାସନ ଚାହି‌ଲେ ସେବାୟତମାନଙ୍କ ସହ ଆଲୋଚନା କରି ସଜ ମଙ୍ଗନ ସଜ ବିବାହ ନୀତି ଅନୁଷ୍ଠିତ ହୋଇପାରିବ। ମଙ୍ଗନ ବିଧି ବେଳେ ଏକାମ୍ର କ୍ଷେତ୍ରର ବିଭିନ୍ନ ସ୍ଥାନରେ ଥିବା ଅଷ୍ଟଦେବୀ ମଠ କପାଳୀ ଠାକୁରାଣୀ, ମହନୀ ଠାକୁରାଣୀ, ଆଖଡ଼ା ଚଣ୍ଡୀ ଠାକୁରାଣୀ, ରାମାୟଣୀ ଠାକୁରାଣୀ, କପାଳୀ ଠାକୁରାଣୀ, ଉତ୍ତରାୟଣୀ ଠାକୁରାଣୀ, ଗୌରୀ ଠାକୁରାଣୀ, ଅମ୍ୱିକା ଠାକୁରାଣୀ ଓ ଦ୍ୱାରବାସିନୀ ଠାକୁରାଣୀଙ୍କୁ ନିମନ୍ତ୍ରଣ କରାଯାଇଥାଏ। ବିବାଦର ସମାଧାନ ହୋଇଗଲେ, ଶନିବାର ସକାଳୁ ସକାଳୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇପାରିବ। ସେହିଭଳି ମଙ୍ଗନର ଅନ୍ୟାନ୍ୟ ନୀତି ମଧ୍ୟ ପୂର୍ବାହ୍ନ ଭିତରେ ସମାହିତ ହୋଇପାରିବ ବୋଲି କୁହାଯାଇଛି।

Odisha News In English

 

ବଡ଼ବଡ଼ିଆଙ୍କ ରହସ୍ୟମୟ ନିରବତା, ଇସ୍ତଫା ଦେଲେ ଟ୍ରଷ୍ଟ ବୋର୍ଡ ସଭ୍ୟ

ଶୀତଳ ଷଷ୍ଠୀ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ପର୍ବର ଅବ୍ୟବହିତ ପୂର୍ବରୁ ଆଜି ମଙ୍ଗନ ନୀତି ବନ୍ଦ ହେବା ଭଳି ବିଭ୍ରାଟ ଘଟିଛି। ଦୁଇ ନିଯୋଗକୁ ମନ୍ଦିର ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପୂରଣ ନ ହେବାରୁ ସେବାୟତମାନେ ପୂର୍ବ ଘୋଷଣା ଅନୁସାରେ ଅସହଯୋଗ କରିବାରୁ ଏଭଳି ସ୍ଥିତି ଉପୁଜିଛି। ତେଣୁ ଆସନ୍ତାକାଲି ବିବାହ ବିଧିକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ମନ୍ଦିର ପ୍ରଶାସନର ବଡ଼ବଡ଼ିଆଙ୍କ ରହସ୍ୟମୟ ନିରବତା ବିଭିନ୍ନମହଲରେ ବିସ୍ମୟ ସୃଷ୍ଟି କରିଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ ଓ ମନ୍ଦିର ପ୍ରଶାସନର ପଦାଧିକାରୀମାନେ ମୁହଁ ଖୋଲିବାକୁ ନାରାଜ। ସମସ୍ୟାର ସମାଧାନ ପାଇଁ କେହି ପଦକ୍ଷେପ ନେବା ଭଳି ଦେଖାଯାଉନାହିଁ। ଏମିତିକି ସେବାୟତମାନଙ୍କ ସହ ସଦ୍ୟ ଆଲୋଚନା ମଧ୍ୟ କରାଯାଇନାହିଁ।

ତେଣୁ ଠାକୁରଙ୍କ ଏତେ ବଡ଼ ପର୍ବରେ ଆରମ୍ଭ ହୋଇଥିବା ବିଶୃଙ୍ଖଳାର ସମାଧାନ ସମ୍ଭାବନା ଦେଖାଯାଉନାହିଁ। ଏନେଇ ଦେବୋତ୍ତର ବିଭାଗ କମିସନର ଶିଶିର କୁମାର ରଥଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସମ୍ଭବ ହୋଇନଥିଲା। ଟ୍ରଷ୍ଟ ବୋର୍ଡ ସଭ୍ୟ ଅବନୀ ପଟ୍ଟନାୟକ ଓ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡ ସଭାପତିଙ୍କ ସହ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ। ମନ୍ଦିର କାର୍ଯ୍ୟନିର୍ବାହୀ ମଧ୍ୟ ଚୁପ୍‌ ହୋଇଯାଇଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ଏଣେ ଆଜିର ନୀତି ବନ୍ଦ ଓ ପ୍ରଶାସନର ଅବହେଳା ଅଭିଯୋଗ ପରେ ମନ୍ଦିର ଟ୍ରଷ୍ଟ ବୋର୍ଡର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବର୍ତମାନର ଟ୍ରଷ୍ଟ ବୋର୍ଡ ସଭ୍ୟ ଅବନୀ ପଟ୍ଟନାୟକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। କିଛି ଅପ୍ରତ୍ୟାଶିତ କାରଣରୁ ସେ ଇସ୍ତଫା ଦେଇଥିବା ଦେବୋତ୍ତର କମିସନରଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର