ଭୁବନେଶ୍ବର: କିଛି ଦିନର ନିରବତା ପରେ ପୁଣିଥରେ ଅଶାନ୍ତ ହୋଇପଡ଼ିଛି ବାଣୀବିହାର। କ୍ୟାମ୍ପସରେ ଲାଗିରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରାଶାସନିକ କୋଠା ଓ କୁଳପତିଙ୍କ କାର୍ଯ୍ୟାଳୟରେ ତାଲା ପକାଇଥିଲେ। ପ୍ରାୟ ୪ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା ପ୍ରାଶାସନିକ କାର୍ଯ୍ୟ। କର୍ମଚାରୀମାନେ କାର୍ଯ୍ୟାଳୟକୁ ଯାଇପାରି ନଥିଲେ କି ଭିତରୁ ବାହାରକୁ ଆସିପାରି ନଥିଲେ। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ଛାତ୍ରମାନେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରମାନେ ଆନ୍ଦୋଳନରୁ ଓହରିଥିଲେ। ଛାତ୍ରମାନଙ୍କ କହିବା କଥା ହେଉଛି ଯେ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି କେହି ବି ଗୁରୁତ୍ବ ଦେଉନାହାନ୍ତି। ହଷ୍ଟେଲଗୁଡ଼ିକରେ ଛାତ୍ରଛାତ୍ରୀ ସୁରକ୍ଷିତ ନୁହନ୍ତି। ଦିନ ଦ୍ବିପହରରେ କ୍ୟାମ୍ପସ୍ ଭିତରୁ ସାଇକେଲ୍, ମୋଟର ସାଇକେଲ୍, ହଷ୍ଟେଲ ଭିତରୁ ଲାପଟପ୍, ମୋବାଇଲ୍ ଆଦି ଚୋରି ହେଉଛି। ହଷ୍ଟେଲଗୁଡ଼ିକରେ ପାନୀୟ ଜଳ ଠିକ୍ ଭାବେ ମିଳୁନି। ଦିନେ ଦିନେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଉଛି। ପିଇବା ପାଣି ପାଇଁ ପିଲାଙ୍କୁ ନାକେଦମ ହେବାକୁ ପଡ଼ୁଛି। ଭିତ୍ତିଭୂମି ବିକାଶ ବାବଦରେ କର୍ତୃପକ୍ଷ ଟଙ୍କା ଆଦାୟ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କ୍ୟାମ୍ପସ ଚାରିପାଖରେ ପାଚେରି ବୁଲିପାରିନି।
Sambad is now on WhatsApp
Join and get latest news updates delivered to you via WhatsApp
ହଷ୍ଟେଲରୁ ଚୋରି ହେଉଛି ଲାପ୍ଟପ୍, ମୋବାଇଲ୍
ପାଚେରି ନଥିବାରୁ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ
ଯେଉଁଥିପାଇଁ ବସ୍ତିବାସିନ୍ଦା କ୍ୟାମ୍ପସ ଭିତରକୁ ମାଡ଼ି ଆସିଲେଣି। ଗଛ କାଟି ନେଉଛନ୍ତି। ଏତେ ସବୁ କଥା ଜାଣିବା ପରେ ବି କର୍ତୃପକ୍ଷ ଚୁପ୍ ହୋଇ ବସିଛନ୍ତି। କେହି ବି କିଛି ପଦକ୍ଷେପ ନେଉନାହାନ୍ତି। ଶିକ୍ଷକମାନେ ଏଠାରେ ନିର୍ବାଚନ ପାଇଁ ଲଢ଼େଇ କରୁଛନ୍ତି। ପାଠପଢ଼ା ଚୁଲିକୁ ଗଲାଣି। ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ବର୍ଷ ଇତି ମଧ୍ୟରେ ଶେଷ ହେଲାଣି। ୭୬ ବର୍ଷରେ ପଦାର୍ପଣ କରିଛି ରାଜ୍ୟର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନ। ଏହାପରେ ବି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ପ୍ଲାଟିନମ୍ ଜୁବୁଲି ନାଁରେ ଉତ୍ସବ ପାଳନ କରି ଚାଲିଛନ୍ତି। ନିଜର କାର୍ଯ୍ୟ ହାସଲ ପାଇଁ ବାହାର ରାଜ୍ୟ ଓ ଦେଶରୁ ପ୍ରଫେସରମାନଙ୍କୁ ଡାକି ବକ୍ତୃତା କରୁଛନ୍ତି। ଏଥିରେ ଅର୍ଥ ଖର୍ଚ୍ଚ କରିବାକୁ ପଇସା ଥିବା ବେଳେ ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟା କାହିଁକି ସମାଧାନ କରାଯାଉ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ଛାତ୍ରମାନେ ଯେତେବେଳେ ପ୍ରାଶାସନିକ କୋଠାରେ ତାଲା ପକାଇଥିଲେ ସେତେବେଳେ ଅନ୍ତର୍ଜାତୀୟ ବକ୍ତୃତା ଦେବା ପାଇଁ ଆମେରିକାରୁ ଆସିଥିବା ପ୍ରଫେସର ଜଣକ ପିଜି କାଉନ୍ସିଲ୍ ହଲ୍ରେ ବକ୍ତୃତା ଦେଉଥିଲେ। ଛାତ୍ରଙ୍କ ହୋହଲ୍ଲାକୁ ନେଇ ସେ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିଲେ। କର୍ମଚାରୀମାନେ ସେମିତି ୪ ଘଣ୍ଟା ଧରି ବାହାରେ ବୁଲିଥିଲେ।