୫ବର୍ଷର ହିସାବ ନିକାଶ: ୱାର୍ଡ ନଂ ୩୫ ଡ୍ରେନ୍‌ ତିଆରି ହୋଇଛି, ପାଣି ଯାଉନି

0

ଜାନୁଆରି ୧୬ରେ ସରିବ ବିଏମ୍‌ସିର ନିର୍ବାଚିତ ପ୍ରତିନିଧିଙ୍କ (କର୍ପୋରେଟରଙ୍କ) କାର୍ଯ୍ୟକାଳ । ଯଦିଓ ଆସନ୍ତା ନିର୍ବାଚନ କେବେ ହେବ ତାହା ସ୍ଥିର ହୋଇନି କିନ୍ତୁ ବର୍ତ୍ତମାନର ନିର୍ବାଚିତ କର୍ପୋରେଟରମାନେ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବହୁ ନୂଆ ଆଶାୟୀ ବି ମୁଣ୍ଡ ଟେକିଲେଣି। ନୂଆ ପ୍ରତିଶ୍ରୁତି ନେଇ ଭୋଟର୍‌ଙ୍କ ପାଖକୁ ଯିବାକୁ ନେତା ତୟାର। ଆମକୁ ଭୋଟ୍‌ ଦେଇ ଜିତାଇଲେ ଏୟା କରିଦେବୁ ସେୟା କରିଦେବୁ କହିବେ ବୋଲି ଏବେଠୁ ପ୍ରତିଶ୍ରୁତିର ଲମ୍ବା ତାଲିକା‌ ପ୍ରସ୍ତୁତ କଲେଣି। ଏପରିସ୍ଥଳେ ୫ବର୍ଷ ତଳେ ବିଜୟୀ ପ୍ରାର୍ଥୀମାନେ କ’ଣ କ’ଣ ପ୍ରତିଶ୍ରୁତି ଦେଇଥିଲେ, କେତେ ପୂରଣ କରିଛନ୍ତି, କ’ଣ ପାଇଁ ପୂରଣ ହୋଇପାରିନି ତାହାକୁ ରାଜଧାନୀବାସୀଙ୍କ ଆଗରେ ପ୍ରସ୍ତୁତ କରିବାକୁ ‘ସମ୍ବାଦ’ର ଏହି ପ୍ରୟାସ।

ଡ୍ରେନ୍‌ ତିଆରି ହୋଇଛି, ପାଣି ଯାଉନି
ଭୁବନେଶ୍ବର: ରାଜଧାନୀର ଏକ ପ୍ରମୁଖ ସ୍ଥାନରେ ରହିଛି ୩୫ ନଂ ୱାର୍ଡ। ଗତ ୫ବର୍ଷ ଭିତରେ ୱାର୍ଡରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। ତଥାପି ଠିକଣା ଢଙ୍ଗରେ କାମ ହୋଇ ନ ଥିବାରୁ ଏହା ଲୋକଙ୍କ ହିତରେ ଲାଗୁନାହିଁ। ରାଜ୍ୟ ସରକାରଙ୍କ ଅନେକ ଯୋଜନା ସଂପର୍କରେ ଲୋକମାନେ ଜାଣି ନାହାନ୍ତି। ତେବେ ପ୍ରଦର୍ଶନୀ ପଡ଼ିଆକୁ ସଂଯୋଗ କରୁଥିବା ରାସ୍ତାର କଡ଼ରେ ଗଢ଼ି ଉଠିଥିବା ଖାଦ୍ୟ ପ୍ରତିଷ୍ଠାନ(ଖାଓ ଗଳି) ଦୁର୍ନୀତିର ଗନ୍ତାଘର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସେଠାରେ ଥିବା ଏକ ରହସ୍ୟମୟ ଦୋକାନକୁ ନେଇ ଏବେ ଚର୍ଚା ଆରମ୍ଭ ହୋଇଛି।ବିରୋଧୀଙ୍କ ଅଭିଯୋଗ, ସ୍ବେରେଜ୍ କାମ ଏ ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ। ଡ୍ରେନ୍ କାର୍ଯ୍ୟ ଅଧାପନ୍ତରିଆ। ଡ୍ରେନ୍‌କୁ ସଂପୂର୍ଣ୍ଣଭାବେ କାମ କରିବା ପାଇଁ ୱାର୍କଅର୍ଡର ରହିଥିବା ବେଳେ ପୁରୁଣା ପଥରେ ବସାଇ କାମ କରାଗଲା। କୋ-ହାଉସିଂ କଲୋନିରୁ ମାଳି କଲୋନିକୁ ସଂଯୋଗ କରୁଥିବା ଡ୍ରେନ୍‌ରେ ପାଣି କିଭଳି ଯିବ ତାହାର ବାଟ ରଖାଗଲା ନାହିଁ। ଫଳରେ ପୂର୍ବରୁ ଯେମିତି ରାସ୍ତାରେ ପାଣି ଚାଲୁଥିଲା ଏବେ ମଧ୍ୟ ଅବସ୍ଥାରେ ପରିବର୍ତନ ହୋଇନାହିଁ। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇ ଯୋଜନା ଆରମ୍ଭ କରିଥିବା ବେଳେ ୱାର୍ଡର ଅନେକ ହିତାଧିକାରୀଙ୍କ ନିକଟରେ କାର୍ଡ ନାହିଁ। ଅନେକଙ୍କ ପୂର୍ବ କାର୍ଡ ନବୀକରଣ କରାଯାଇ ନାହିଁ। ତେବେ ଖାଓ ଗଳିରେ ୨୦ରୁ ଅଧିକ ଉଠାଦୋକାନୀ ବ୍ୟବସାୟ କରୁଥିବା ବେଳେ ସେମାନଙ୍କୁ ବିଦ୍ୟୁତ ସଂଯୋଗ କରାଯିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ସେଠାରେ ଥିବା ଏକ ରହସ୍ୟମୟ କ୍ୟାବିନ୍ ଆଡ଼କୁ ଇଙ୍ଗିତ କରିଛନ୍ତି। ଏହି କ୍ୟାବିନ୍‌ରୁ ହିଁ ବିଦ୍ୟୁତ ସଂଯୋଗ ଦିଆଯାଉଛି ବୋଲି ବିରୋଧୀଙ୍କ ଅଭିଯୋଗ। ପ୍ରତ୍ୟେକ ଦିନ ସେଠାରେ ସମସ୍ତଙ୍କ ଆଖିଆଗରେ ବିଦ୍ୟୁତ ଚୋରି ହୋଇଥିଲେ ହେଁ, କେହି ରୋକିବାକୁ ନାହାନ୍ତି। ସଂଧ୍ୟା ହେଲେ ସେହି ରାସ୍ତା ସଂପୂର୍ଣ୍ଣ ବନ୍ଦ ହୋଇଯାଉଛି। ୟୁନିଟ୍-୯ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଘରକୁ ଯିବା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗତ ନିର୍ବାଚନରେ ଏହି ୱାର୍ଡରେ ଏକାଧିକ ସ୍ବାଧୀନ ପ୍ରାର୍ଥୀ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲେ। ପ୍ରାୟ ୫ଜଣ ସ୍ବାଧୀନ ପ୍ରାର୍ଥୀ ଭୋଟ ଭାଗ କରିବାରେ ସକ୍ଷମ ହୋଇଥିଲେ।

ରାସ୍ତା ଓ ଡ୍ରେନ୍ କାମ ୯୫ ପ୍ରତିଶତ ସରିଛି
ରାସ୍ତା, ଡ୍ରେନ୍‌ର ପ୍ରାୟ ୯୫ ପ୍ରତିଶତ କାମ ସରିଛି। କର୍ପୋରେଟରଭାବେ ନିର୍ବାଚିତ ହେବାର ୪ମାସ ଭିତରେ ବାୟାବାବା ମଠ ନିକଟରେ ଥିବା ନିକି ହୋମିଓ କ୍ଲିନିକ୍‌ଠାରୁ ସ୍ବେରେଜ୍ ଓ ରାସ୍ତା କାମ ଆରମ୍ଭ କରାଯାଇଥିଲା। ଗତ ୨୫ବର୍ଷ ଧରି ଏହି ସମସ୍ୟା ଥିବା ବେଳେ ଏହାର ସମାଧାନ ହୋଇପାରିଛି। ୟୁନିଟ-୩ ଡିସ୍‌ପେନସାରି ରୋଡ୍‌ରୁ ଆରମ୍ଭ କରି ମାଳି କଲୋନି, ସତ୍ୟସାଇ ସ୍କୁଲର ପଛପଟ ରାସ୍ତାର ସ୍ବେରେଜ୍, ଡ୍ରେନ୍ କାମ ଶେଷ ହୋଇଛି। ତେବେ ମ୍ୟାନହୋଲ ଉପରେ କିଛି ଘର ନିର୍ମାଣ ହୋଇଥିବାରୁ ସମସ୍ୟା ଉପୁଜିଛି। ବିକେକେୱାଇ କାର୍ଡର ଶତ ପ୍ରତିଶତ ନବୀକରଣ ହୋଇଛି। ଖାଓ ଗଳି କେବଳ ରାମ ମନ୍ଦିର ନିକଟରେ ନାହିଁ, ସହିଦ ନଗର, ଏୟାରପୋର୍ଟ, ପଟିଆ ଓ ଇନଫୋସିଟି ଅଞ୍ଚଳରେ ମଧ୍ୟ ଖାଓ ଗଳି ରହିଛି। ସେମାନେ କିଭଳି ସେଠାରେ ବେପାର ଓ ବିଦ୍ୟୁତ ସଂଯୋଗ ଆଣିଛନ୍ତି ତାହା ବିଏମ୍‌ସି ଓ ସେସ୍କୋ କହିପାରିବ।

ଦେବାଶିଷ ସିଟ୍, କର୍ପୋରେଟର
ଅଧାପନ୍ତରିଆ କାମ ହୋଇଛି
ୱାର୍ଡରେ ବିକାଶମୂଳକ କାର୍ଯ୍ୟ ନାଁକୁ ମାତ୍ର ହୋଇଛି। ‌ତ୍ରୁଟିପୂର୍ଣ୍ଣ କାମ ଯୋଗୁଁ ଡ୍ରେନ୍‌ରେ ପାଣି ନ ଯାଇ ରାସ୍ତାରେ ଯାଉଛି। ଏହି କାମରେ ମଧ୍ୟ ବ୍ୟାପକ ହରିଲୁଟ୍‌ ହୋଇଛି। ୱାର୍ଡର ଗରିବ ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡରେ ସୁବିଧା ମିଳୁନାହିଁ। ବାୟାବାବା ବସ୍ତିରେ ଥିବା ମଦନ ନାୟକ ନାମକ ଜଣେ ଯୁବକଙ୍କ ଆରଏସ୍‌ବିୱାଇ କାର୍ଡ ରହିଥିଲେ ହେଁ ସୂଚନା ଅଭାବରୁ ଡାକ୍ତରଖାନାରେ ତାଙ୍କୁ ସୁବିଧା ମିଳି ନ ଥିଲା। ସରକାରଙ୍କ ସ୍ବାସ୍ଥ୍ୟ କାର୍ଡ ସଂପର୍କରେ ଲୋକମାନଙ୍କୁ ସୂଚନା ଦିଆଯାଇ ନାହିଁ କି ଅଧିକାଂଶଙ୍କ କାର୍ଡର ନବୀକରଣ ହୋଇନାହିଁ। ଖାଓ ଗଳି ହିଁ ଦୁର୍ନୀତିର ଗନ୍ତାଘର।
ସୁଜିତ କୁମାର ଦାସ, ପରାଜିତ ପ୍ରାର୍ଥୀ

ସମ୍ବନ୍ଧିତ ଖବର

Leave A Reply

Your email address will not be published.