କିଛି ହୋଇଛି, ବହୁତ ବାକି ଅଛି ୱାର୍ଡ ନଂ ୬୫ ଅସଜଡ଼ା ରହିଗଲା ଡୁମୁଡୁମା ବଜାର

ଭୁବନେଶ୍ବର: ବିଏମ୍‌ସିର ୱାର୍ଡ ନଂ- ୬୫। ଏଠାରେ ଡୁମୁଡୁମା ହାଉସିଂବୋର୍ଡ କଲୋନିର ପୁରୁଣା ଫେଜ୍ ସବୁ ରହିଛି। କିନ୍ତୁ ଗତ ପାଞ୍ଚ ବର୍ଷ ଭିତରେ ଏଠାରେ ବିଏମ୍‌ସି ଦ୍ବାରା ହୋଇଥିବା ଉନ୍ନୟନ କାମକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଡ୍ରେନ୍‌, ଷ୍ଟିଟ୍‌ ଲାଇଟ୍‌, ଘରକୁ ପାଣି ଓ ବିଜୁଳି ସଂଯୋଗକୁ ନେଇ ବସ୍ତିବାସିନ୍ଦାମାନେ ସନ୍ତୋଷ ପ୍ରକାଶ କରୁଥିବାବେଳେ ଫେଜ୍‌ ଲାଇନ୍‌ଗୁଡ଼ିକରେ ଡ୍ରେନ୍‌, ପାର୍କ, କଲ୍ୟାଣ ମଣ୍ଡପ ଆଦି ନିର୍ମାଣକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି।  ଏହି ଅଞ୍ଚଳର ମୁଖ୍ୟବଜାର ଡୁମୁଡୁମା ବଜାର ହୋଇଥିଲେ ହେଁ ପୂରା ଅବ୍ୟବସ୍ଥିତ ହୋଇ ରହିଛି। ଭେଣ୍ଡିଂ ଜୋନ୍‌ ନଥିବାରୁ ଉଠାଦୋକାନୀମାନେ ମନଇଚ୍ଛା ରାସ୍ତାକୁ ମାଡ଼ି ବସିଛନ୍ତି। ପାର୍କିଂ ବ୍ୟବସ୍ଥା ନଥିବାରୁ ମାର୍କେଟିଂ କରିବାରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ଏଠ‌ାରେ ହାଇସ୍କୁଲଟିଏ ନଥିବାରୁ ପିଲାମାନଙ୍କୁ ଦୂରକୁ ଯିବାକୁ ପଡ଼ୁଛି। କିଛି ମୁଖ୍ୟ ରାସ୍ତା ଉପରେ ଏବେ ବି ସ୍ବେରେଜ୍ ପାଣି ଭାସୁଥିବାରୁ ଯାତାୟାତରେ ଘୋର ଅସୁବିଧା ହେଉଛି। କର୍ପୋରେଟର ଅନେକ ଉନ୍ନୟନମୂଳକ କାମ କରିଥିଲେ ବି ଲୋକଙ୍କ ନିହାତି କିଛି ଜରୁରୀ ଆବଶ୍ୟକତାକୁ ପୂରଣ କରିପାରିନାହାନ୍ତି ବୋଲି କୁହାଯାଉଛି। ନୂଆ କରି ବିଏମ୍‌ସିରେ ସାମିଲ୍ ହୋଇଥିବା ପାତ୍ରପଡ଼ା ଅଞ୍ଚଳକୁ ଅଧିକ ଗୁରୁତ୍ବ ଦେଇଥିବାରୁ କର୍ପୋରେଟରଙ୍କ ଉପରେ ହାଉସିଂବୋର୍ଡ କଲୋନିବାସୀଙ୍କ କ୍ଷୋଭ ରହିଛି। ୱାର୍ଡରେ କେଉଁ ଅଞ୍ଚଳ ରହିଛି- ଏହି ୱାର୍ଡରେ ଡୁମୁଡୁମା ହାଉସିଂ ବୋର୍ଡ କଲୋନିର ଫେଜ୍ ୧, ଫେଜ୍୨, ଫେଜ୍ ୪, ଫେଜ୍୫, ସୁବାସନଗର ବସ୍ତି, ପାତ୍ରପଡ଼ା, ଭଗବାନପୁର,ଉଦୟଗିରି ବିହାର ଓ କଳିଙ୍ଗବିହାର ଏମ୍‌ଆଇଜି କଲୋନି ଆଦି ଅଞ୍ଚଳ ରହିଛି। କଳିଙ୍ଗବିହାର ଏମ୍‌ଆଇଜି କଲୋନି, ପାତ୍ରପଡ଼ା, ଭଗବାନପୁର ଓ ଉଦୟଗିରି ବିହାରକୁ ନୂଆ କରି ଏହି ୱାର୍ଡରେ ସାମିଲ୍ କରାଯାଇଛି।

ମୌଳିକ ସମସ୍ୟା ସୁଧୁରିଛି
ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ସହ ହାଉସିଂ ବୋର୍ଡ କଲୋନିର ସ୍ବଚ୍ଛଳବର୍ଗଙ୍କୁ ଯେତିକି ଗୁରୁତ୍ବ ଦେଇଛି ସୁବାସନଗର ଭଳି ବସ୍ତିବାସିନ୍ଦାଙ୍କ ପାଇଁ ମଧ୍ୟ କାମ କରିଛି। ସୁବାସନଗର ବସ୍ତିରେ ୧୫ ଶହରୁ ଅଧିକ ଲୋକଙ୍କୁ ରାସନ୍ କାର୍ଡ ମିଳିଛି। ସବୁ ଘରକୁ ବିଜୁଳି ଓ ପାଣି ସଂଯୋଗ ଦିଆଯାଇଛି। ଦୁଇଟି ପ୍ରମୁଖ ଛକରେ ଶୌଚାଳୟ ନିର୍ମାଣ ହୋଇଛି। ପାତ୍ରପଡ଼ା‌ ଭଗବାନପୁରରେ ୧୦ରୁ ଅଧିକ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି। ସେହିଭଳି ଫେଜ୍ ଲାଇନ୍‌ଗୁଡ଼ିକରେ ଡ୍ରେନ୍‌ କାମକୁ ଗୁରୁତ୍ବ ଦିଆଯାଇଛି। ପ୍ରାୟ ସବୁ ଫେଜ୍‌ରେ ଡ୍ରେନ୍ କାମ କରାଯାଇଛି। ଫେଜ୍୪ ଓ ୫ରେ ଦୁଇଟି ପାର୍କ ନିର୍ମାଣ କରାଯାଇଛି। କମ୍ୟୁନିଟି ସେଣ୍ଟର ମଧ୍ୟ କରାଯାଇଛି। ସେହିଭଳି ଡୁମୁଡୁମା ଛକରୁ ଯଦୁପୁର ପର୍ଯ୍ୟନ୍ତ ରାସ୍ତାକୁ ଦୋହରୀକରଣ କରାଯାଇଛି। ସବୁ ଗଳିକନ୍ଦିରେ ଷ୍ଟ୍ରିଟ୍‌ ଲାଇଟ୍ ଲାଗିଛି। ଉଦୟଗିରି ବିହାର ଓ କଳିଙ୍ଗବିହାର ଏମ୍‌ଆଇଜି କଲୋନିକୁ କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଇଛି। ତେବେ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇପାରିନଥିବାରୁ ମନରେ ଅବସୋସ ରହିଯାଇଛି। ଡୁମୁଡୁମା ହାଉସିଂବୋର୍ଡ କଲୋନି ପାଇଁ ୧୬ ନମ୍ବର ଜାତୀୟ ରାଜପଥ ଛକରେ ଏକ ବଡ଼ ଗେଟ୍‌ ନିର୍ମାଣ କରିବା ସ୍ବପ୍ନ ମଧ୍ୟ ଅଧୁରା ରହିଯାଇଛି।
ଜ୍ୟୋତ୍ସାମୟୀ ଜେନା, କର୍ପୋରେଟର୍‌

ସମ୍ବନ୍ଧିତ ଖବର