ଭୁବନେଶ୍ୱର: ‘କାୟାକଳ୍ପ’ ପୁରସ୍କାରର ଅର୍ଥକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ବିବାଦ ଥମିବାର ନାଁ ନେଉନାହିଁ। କିଛିଦିନ ପୂର୍ବରୁ ସଫେଇ କର୍ମଚାରୀ ‘କାୟାକଳ୍ପ’ ପୁରସ୍କାର ଅର୍ଥରୁ ସେମାନଙ୍କ ଭାଗ ପାଇଁ ଅଡ଼ି ବସିଥିବା ବେଳେ ଆଜି ହସ୍ପିଟାଲରେ କାର୍ଯ୍ୟର ଠିକା ଓ ଆଉଟସୋର୍ସିଂ କର୍ମଚାରୀମାନେ ସେମାନଙ୍କ ଭାଗ ମାଗିଛନ୍ତି। ଏହାକୁ ନେଇ ହସ୍ପିଟାଲରେ କିଛି ସମୟରେ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ପରବର୍ତୀ ସମୟରେ ହସ୍ପିଟାଲ କର୍ତୃପକ୍ଷ ସେମାନଙ୍କୁ ବୁଝାଇବା ପରେ ସେମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ଠିକା ଓ ଆଉଟସୋର୍ସିଂରେ ନିଯୁକ୍ତ ହୋଇଥିବା ଡାଟାଏଣ୍ଟ୍ରି ଅପରେଟର, ଆଟେଣ୍ଡାଣ୍ଟ, ଅକ୍ସିଜେନ୍ ପ୍ଲାଣ୍ଟ ଟେକ୍ନିସିଆନ୍, ଇଲେକ୍ଟ୍ରିସିଆନ୍ ଓ ଏସି ଟେକ୍ନିସିଆନ୍ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ‘କାୟାକଳ୍ପ’ ପୁରସ୍କାର ବାବଦରେ କ୍ୟାପିଟାଲ ହସ୍ପିଟାଲକୁ ମିଳିଥିବା ଅର୍ଥରୁ ସେମାନଙ୍କ ଭାଗ ପ୍ରଦାନ କରିବାକୁ ଦାବି କରିଥିଲେ। ଯାହାକୁ ନେଇ ହସ୍ପିଟାଲରେ କାର୍ଯ୍ୟରେ ବାଧା ଉପୁଜିଥିଲା। ରୋଗୀମାନଙ୍କୁ ଷ୍ଟ୍ରେଚର୍ରେ ନେବା ଓ ଆନ୍ଦୋଳନକାରୀମାନେ ହସ୍ପିଟାଲ କର୍ତୃପକ୍ଷଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଥିଲେ। ଏହି ପୁରସ୍କାର ଗାଇଡଲାଇନ୍ରେ ଠିକା କର୍ମଚାରୀଙ୍କୁ ସେମାନଙ୍କ ଭାଗ ପ୍ରଦାନ ନେଇ କୌଣସି ନିୟମ ନ ଥିବା ହସ୍ପିଟାଲ କର୍ତୃପକ୍ଷ କହିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିସନଙ୍କୁ ଏ ସଂପର୍କରେ ଜଣାଇ ଦିଆଯିବ ବୋଲି ହସ୍ପିଟାଲ କର୍ତୃପକ୍ଷ ବୁଝାଇବା ପରେ ଆନ୍ଦୋଳନକାରୀ ଆନ୍ଦୋଳନରୁ ଓହରି ଯାଇଥିଲେ। ଆନ୍ଦୋଳନକାରୀମାନେ ପରବର୍ତୀ ସମୟରେ ଜାତୀୟ ସ୍ୱାସ୍ଥ୍ୟ ମିସନ କର୍ତୃପକ୍ଷଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଥିବା ସୂଚନା ମିଳିଛି।କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଠିକା କର୍ମଚାରୀମାନେ ‘କାୟାକଳ୍ପ’ ପୁରସ୍କାର ବାବଦ ଅର୍ଥ ଦାବି କରି ଆନ୍ଦୋଳନ କରିଥିଲେ। ‘କାୟାକଳ୍ପ’ ପୁରସ୍କାରରେ ସେମାନଙ୍କୁ ଭାଗ ଦେବାର କୌଣସି ନିର୍ଦେଶ ନାହିଁ। ସେମାନେ ଅଯଥା ଆନ୍ଦୋଳନ କରୁଛନ୍ତି। ତେବେ ସେମାନଙ୍କ ଦାବିକୁ ଏନ୍ଏଚ୍ଏମ୍କୁ ଜଣାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।
ଥମୁନି ‘କାୟାକଳ୍ପ’ ପୁରସ୍କାର ବିବାଦ
ଆନ୍ଦୋଳନକୁ ଓହ୍ଲାଇଲେ ଆଉଟସୋର୍ସିଂ ଓ ଠିକା କର୍ମଚାରୀ
/sambad/media/post_attachments/wp-content/uploads/2018/06/m6-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)