ଜଟଣୀ, ୮/୫ (ଇମିସ): ଜଟଣୀ ପୌରପାଳିକାର ୧୧ନଂ ୱାର୍ଡ ଅଧୀନରେ ରହିଛି ଶ୍ରୀରାମନଗର, ବେହେରା ସାହି, ବେଙ୍ଗୋଲି କଲୋନି, ବିଶ୍ୱନାଥ କଲୋନି, କୁମ୍ଭାରଖାତିଆ, ଆନନ୍ଦ ବଜାର ଆଦି ଅଞ୍ଚଳ। ଏହା ଜଟଣୀ ଟାଉନ୍ର ଏକ ଜଣାଶୁଣା ଅଞ୍ଚଳ। ମାତ୍ର ପରିତାପର କଥା ଏଠାରୁ ଆଜି ବି ଗାଁ’ର ଚିତ୍ର ହଟିପାରିନି। ବହୁ ପ୍ରମୁଖ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ନାହିଁ। ଫଳରେ ରାତିରେ ଲୋକେ ଯାତାୟାତ କରିବାକୁ ଭୟ କରୁଛନ୍ତି। ପଞ୍ଚାୟତ ସ’ ମିଲ୍ରୁ ନୂଆଗାଁ ସ୍କୁଲ୍ ଏବଂ ଆଇଆଇଟି ମୁଖ୍ୟ ରାସ୍ତାରୁ କୁମ୍ଭାର ଖାତିଆ ପର୍ଯ୍ୟନ୍ତ ପ୍ରମୁଖ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଲାଗି ପାରିନାହିଁ।
କେବଳ ସେତିକି ନୁହେଁ, ଏହି ୱାର୍ଡର ବହୁ ରାସ୍ତା ଆଜି ବି କଚ୍ଚା ରାସ୍ତା ହୋଇରହିଛି। ପିଚୁ ପଡ଼ିପାରିନାହିଁ। ଫଳରେ ବର୍ଷା ଦିନେ କାଦୁଅ ପଚପଚ ହୋଇ ଖାଲଖମାରେ ପଡ଼ିଉଠି ଲୋକେ ଯା’ଆସ କରୁଛନ୍ତି। ଏଠାରେ ଅନେକ ଡ୍ରେନ୍ରେ ଆଜର୍ବନା ଜମାହୋଇ ରହୁଛି। ଦୀର୍ଘ ଦିନ ଧରି ସଫା ହେଉନଥିବାରୁ ଡ୍ରେନ୍ ପାଣି ଜମି ରହି ମଶାଙ୍କ ବଂଶ ବୃଦ୍ଧିର କାରଣ ପାଲଟୁଛି। ସେହିପରି ବହୁ ଅଞ୍ଚଳରେ ବିଦ୍ୟୁତ୍ ତାର ଝୁଲନ୍ତା ଅବସ୍ଥାରେ ଥିବାରୁ ଲୋକଙ୍କ ପାଇଁ ବିପଦ ସାଜିଛି। ଅନେକ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍ସଫର୍ମରଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି। ରାସ୍ତା କଡ଼ରେ ଖୋଲାମେଲାରେ ଅସୁରକ୍ଷିତ ଅବସ୍ଥାରେ ରହିଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ସେହିପରି ଏହି ୱାର୍ଡରେ ସବୁ ପରିବାରକୁ ପାଇପ୍ ଜଳ ମିଳିନଥିବା ଅଭିଯୋଗ ହେଉଛି। ଏଠାରେ ଥିବା ମିଲ୍ ପୋଖରୀ ଓ ଇଚ୍ଛାପୁର ସ୍କୁଲ ପାଖ ନଖିନାନୀ ପୋଖରୀ ବଡ଼ କଦର୍ଯ୍ୟ ହୋଇରହିଛି। ପୁନରୁଦ୍ଧାର ହୋଇପାରୁନି। କୁମ୍ଭାରଖାତିଆ ପ୍ରାଥମିକ ବିଦ୍ୟାଳୟରେ ପାଚେରି ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। କୁମ୍ଭାରଖାତିଆ ଶ୍ମଶାନର ପୁନରୁଦ୍ଧାର, ବରିଷ୍ଠ ନାଗରିକଙ୍କ ପାଇଁ ସଭାଗୃହ ନିର୍ମାଣ ସହ ଏହି ଅଞ୍ଚଳରେ ମଶା ଧୂଆଁ ଛାଡ଼ିବାକୁ ଦାବି କରାଯାଇଛି।
ବହୁ ପ୍ରକଳ୍ପ କାମ ଚାଲିଛି
ଏହି ୱାର୍ଡକୁ ବିକଶିତ କରିବାକୁ ବହୁ ପ୍ରକଳ୍ପର କାମ ଚାଲିଛି। ବିଶ୍ୱନାଥ କଲୋନି ରାସ୍ତା ୧୮ଲକ୍ଷ ଟଙ୍କାର ବ୍ୟୟରେ ନିର୍ମାଣ ହୋଇଛି। ପଞ୍ଚାୟତ ସ’ ମିଲ୍ ରାସ୍ତାରେ ୮ଲକ୍ଷ ଟଙ୍କା ଓ ସାଇ ମନ୍ଦିର ରାସ୍ତାରେ ୧୮ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ସେହିପରି ବାଛରା ମୁଣ୍ଡିଆ ତଳେ ଗ୍ରେ ୱାଟର ପ୍ରକଳ୍ପ ନିର୍ମାଣ କରାଯାଇଛି। ମିସନ ଶକ୍ତି ଗୃହ ନିର୍ମାଣ ସହ ବେଙ୍ଗୋଲି କଲୋନି ଓ ବିଶ୍ୱନାଥ କଲୋନିରେ ୧୪ଲକ୍ଷ ଟଙ୍କାରେ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇଛି। ଗୋରୁ ହାଟ ନିକଟରେ ଶୌଚାଳୟ ଓ ଖୁଦୁପୁର ଖେଳପଡ଼ିଆରେ ୧୩ଲକ୍ଷ ଟଙ୍କା ବ୍ୟୟରେ ମୁକ୍ତାକାଶ ବ୍ୟାୟାମଶାଳା ନିର୍ମାଣ କାମ ଚାଲିଛି। କିଛି ସ୍ଥାନରେ ବିବାଦ ଥିବାରୁ ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ସପ୍ଲାଏ ପାଣି କିପରି ସମସ୍ତେ ପାଇପାରିବେ, ସେ ବ୍ୟବସ୍ଥା କରାଯାଉଛି। ବିଦ୍ୟୁତ୍ ବିଭାଗ ସହ କଥା ହୋଇ ଝୁଲନ୍ତା ତାର ଓ ମୁକୁଳା ଟ୍ରାନ୍ସଫର୍ମରକୁ ସୁରକ୍ଷିତ ରଖିବାକୁ ବ୍ୟବସ୍ଥା କରାଯିବ।
-ଦିଲ୍ଲୀପ କୁମାର ମାର୍ଥା, କାଉନ୍ସିଲର