ଭୁବନେଶ୍ୱର,: ରାଜଧାନୀବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଗୋଟିଏ ଫୋନ୍ କଲ୍ରେ ହୋଇଯିବ। ଯଦି ବିଏମ୍ସି, ବିଡିଏ, ସ୍ମାର୍ଟ ସିଟି ଏବଂ କ୍ୟାପିଟାଲ ରିଜିଅନ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଟି ବସ୍)ର ସେବା ନେଇ କାହାର କୌଣସି ଅସୁବିଧା ଥିବ ତେବେ ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୦୦୬୧ ବା ଲ୍ୟାଣ୍ଡ ଲାଇନ୍ ନମ୍ବର ୦୬୭୪-୨୫୪୮୨୯୫ରେ କଲ୍ କରିପାରିବେ। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଆଜି ଏହି ଭୁବନେଶ୍ୱର ଓ୍ଵାନ୍ ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଛି। ବିଏମ୍ସି-ଭବାନୀ ମଲ୍ରେ ଥିବା ଭୁବନେଶ୍ୱର ଅପରେସନ୍ ସେଣ୍ଟର୍ରେ ଏହି ହେଲ୍ପଲାଇନ୍ ନମ୍ବର ରହିବ। ଏହି ନମ୍ବର ୨୪ଘଣ୍ଟା ଖୋଲା ରହିବ। ଏଥିପାଇଁ ଏବେ ୪ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ନମ୍ବର ବିଭିନ୍ନ ସଂସ୍ଥାର ଅଭିଯୋଗ, ପରିଚାଳନା ଏବଂ ସମସ୍ୟାର ସମାଧାନ ଦିଗରେ ସହାୟକ ହେବ।
ବିଏମ୍ସି ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ଏହି ହେଲ୍ପ ଲାଇନ୍ ନମ୍ବର ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ କ୍ରିଷନ କୁମାର କହିଛନ୍ତି ଯେ, ରାଜଧାନୀରେ ବର୍ଷା ଜନିତ ସମସ୍ୟା ହେଉ କି, ଅଳିଆ ଉଠିବା ନେଇ, ସିଟି ବସ୍ ଜନିତ କୌଣସି ସମସ୍ୟା ଥାଉ କି ଟ୍ରାଫିକ ପରିଚାଳନା ଜନିତ ବା ବିଡିଏରେ ଥିବା ସମସ୍ୟା ସମାଧାନ ପାଇଁ ହେଲ୍ପଲାଇନ୍ ନମ୍ବର ଡାଏଲ୍ କରି ଜଣାଇପାରିବେ। ଏହାପରେ ଅଭିଯୋଗକାରୀଙ୍କୁ ଗୋଟିଏ ଟିକେଟ୍ ନମ୍ବର ମିଳିବ। ଅଭିଯୋଗ ନେଇ କ’ଣ ପଦକ୍ଷେପ ନିଆଗଲା, କେତେ ଦୂର ସମାଧାନ ହେଲା, ସମାଧାନ ହେବା ପରେ ଅଭିଯୋଗକାରୀଙ୍କ ମୋବାଇଲ୍ ନମ୍ବରକୁ ମେସେଜ୍ ଚାଲିଯିବ। ଏହି ମେସେଜ୍ ନିଃଶୁଳ୍କ ରହିବ। ଏହି ସମସ୍ତ ପ୍ରକ୍ରିୟା କେନ୍ଦ୍ରୀୟ ଅଭିଯୋଗ ସମାଧାନ ପରିଚାଳନା ଆପ୍ଲିକେସନ୍ ମାଧ୍ୟମରେ ହେବ। ଏବେ ଯେଉଁ ଯେଉଁ ବିଭାଗକୁ ଏହି ଆପ୍ଲିକେସନ୍ରେ ସାମିଲ୍ କରାଯାଇଛି ସେହି ବିଭାଗର ଅଧିକାରୀମାନେ ଅଭିଯୋଗଗୁଡ଼ିକୁ କିପରି ସମାଧାନ କଲେ, କ’ଣ ପଦକ୍ଷେପ ନେଲେ ତାହାର ଅପ୍ ଟୁ ଡେଟ୍ ସୂଚନା ସେମାନଙ୍କୁ ଦିଆଯାଇଥିବା ଆଇଡିରେ ଦେବେ। ଏହା ଭୁବନେଶ୍ୱର ଅପରେସନ୍ ସେଣ୍ଟର୍ରେ ଲାଗିଥିବା ବଡ଼ ପରଦାରେ ସ୍ୱୟଂଚାଳିତ ଭାବେ ଅପ୍ ଟୁ ଡେଟ୍ ହେବ। ଖୁବ୍ ଶୀଘ୍ର ଏହି ନମ୍ବର୍ରେ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗ ଯଥା ଜନସ୍ୱାସ୍ଥ୍ୟ, ପୂର୍ତ୍ତ, ସ୍ୱାସ୍ଥ୍ୟ ବିଭାଗକୁ ସାମିଲ୍ କରାଯିବ ବୋଲି ଜଣାପଡ଼ିଛି। ଭବିଷ୍ୟତରେ ହେଲ୍ପ ଲାଇନ୍ ନମ୍ବର ଆହୁରି ବଢ଼ିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ହେଲ୍ପ ଲାଇନ୍ ନମ୍ବର ଲୋକାର୍ପଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଏମ୍ସି କମିସନର୍ କ୍ରିଷନ କୁମାର, ଅତିରିକ୍ତ କମିସନର ଶୁଭମ୍ ସାକସେନା ପ୍ରମୁଖ ଉପସ୍ଥିତ ଥିଲେ।